ବ୍ରାହ୍ମଣୀକୁ ଖସିଗଲା ଟ୍ରକ୍ , ଘଟଣାସ୍ଥଳରେ ଡ୍ରାଇଭର ମୃତ

ବ୍ରାହ୍ମଣୀ ନଦୀକୁ ଖସି ପଡ଼ିଲା ଟ୍ରକ୍‌। ଚାଲିଗଲା ଡ୍ରାଇଭରଙ୍କ ଜୀବନ।

ପରଜଙ୍ଗରେ ନଦୀକୁ ଖସିଲା ଆଇରନ ଓର୍ ବୋଝେଇ ଟ୍ରକ୍

News Summary

ପରଜଙ୍ଗରେ ନଦୀକୁ ଖସିଲା ଆଇରନ ଓର୍ ବୋଝେଇ ଟ୍ରକ୍

କେନ୍ଦୁଝରରୁ ଅନୁଗୁଳ ଯିବାବେଳେ ନଦୀକୁ ଖସି ଯାଇଛି ଟ୍ରକ୍

ଟ୍ରକ ଚକା ଫାଟିବାରୁ ଦୁର୍ଘଟଣା ଘଟିଥିବା ସୂଚନା

କାମାକ୍ଷାନଗର(ବିଦ୍ୟାଧର ବରାଳ) : ବ୍ରିଜ୍ ଉପରୁ ନଦୀକୁ ଖସିଗଲା ଟ୍ରକ୍ । ଏଭଳି କିଛି ଅଘଟଣ ଘଟିଛି ଢେଙ୍କାନାଳ ପରଜଙ୍ଗରେ । ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ସରାଙ୍ଗ-ଜଟିଆ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀ ବ୍ରିଜ ତଳକୁ ଏକ ଆଇରନ ଓର୍ ବୋଝେଇ ଟ୍ରକ ଖସି ପଡିଛି । ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଜଣଙ୍କ ପାଲଲହଡା ଅଞ୍ଚଳର ମାନସ ରଞ୍ଜନ ଧୀବର ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ OD୦୯P ୦୧୨୨ ନମ୍ବର ଥିବା ଆଇରନ ବୋଝେଇ ଟ୍ରକଟି କେଉଁଝରରୁ ଅନୁଗୁଳର ଏକ ପ୍ଲାଣ୍ଟକୁ ଯାଉଥିଲା । ଆଉ ଜଟିଆ ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଟ୍ରକର ଆଗ ଚକାଟି ଫାଟି ଯାଇଥିଲା । ଫଳରେ ଟ୍ରକଟି ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସି ପଡ଼ିଥିଲା । ଘଟଣା ସ୍ଥଳରେ ଟ୍ରକ ଭିତରେ ଡ୍ରାଇଭର ଜଣଙ୍କ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ । ସେ ଟ୍ରକ୍ ଭିତରେ ଚାପି ହୋଇ ରହିଯାଇଥିଲେ।

ତେବେ ତାଳଚେର ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଠିକାସଂସ୍ଥାର ଏକ ମେସିନ ସାହାଯ୍ୟରେ ମୃତ ଦେହଟିକୁ ଟ୍ରକ ଭିତରୁ ଉଦ୍ଧାର କରାଯାଇଥିଲା । ଏ ନେଇ କିଛି ସମୟ ଧରି ୫୩ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା । ସରାଙ୍ଗ ଫାଣ୍ଡି ଅଧିକାରୀଙ୍କ ହସ୍ତକ୍ଷେପ ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି।