ପଟ୍ଟା ଦେଇଦେଲେ, ଜମି ଚିହ୍ନଟ କଲେନି...ଘର ପାଇଁ ଅପେକ୍ଷା କରିଛନ୍ତି ଶହଶହ ହିତାଧିକାରୀ

ବସ୍ତିର କିଛି ବାସିନ୍ଦା ୨୦୧୭ରୁ ପଟ୍ଟା ପାଇଥିଲେ ବି ଜମି ଚିହ୍ନଟ କରାଉନି ପ୍ରଶାସନ । ସ୍ଥାୟୀ ଜମି କିମ୍ବା ସରକାରୀ ପଟ୍ଟା ମିଳିନଥିବାରୁ ଘର ଖଣ୍ଡିଏ କରି ପାରୁନାହାନ୍ତି ହିତାଧିକାରୀ । ଏମିତି ସ୍ଥିତିରେ ଦୋଛକିରେ ଛିଡା ହୋଇ ଭାଗ୍ୟକୁ ନିନ୍ଦିବା ଛଡ଼ା ଆଉ କିଛି ଚାରା ବି ନାହିଁ।

JAGA MISSION

ବସ୍ତିବାସିନ୍ଦାଙ୍କୁ ଜାଗା ଯୋଗାଇ ଦେବାକୁ ସରକାରଙ୍କ ଅନେକ ଯୋଜନା ରହିଛି ।  କିନ୍ତୁ ଯୋଜନା ଯୋଜନା ବାଟରେ ହିଁ ରହିଯାଉଥିବା ପରି ମନେ ହେଉଛି । ନିଜ ନାଁରେ ଜାଗା ଖଣ୍ଡେ ପାଇଁ ଲଢେଇ କରି ଥକିଗଲେଣି ବସ୍ତିବାସିନ୍ଦା, ହେଲେ ପାଇଲେନି । କେନ୍ଦ୍ରାପଡ଼ା ପୌରାଞ୍ଚଳର ୨୧ ନମ୍ୱର ୱାର୍ଡର ବସ୍ତି ବାସିନ୍ଦାଙ୍କ ଦୁଃଖ କହିଲେ ନସରେ । ବର୍ଷବର୍ଷ ଧରି ଜମି ଖଣ୍ଡେ ପାଇବା ପାଇଁ ଦୌଡି ଦୌଡି ନୟାନ୍ତ ହେଲେଣି କିନ୍ତୁ ହାତକୁ ପଟ୍ଟା ଆସୁନି ।

ବସ୍ତିର କିଛି ବାସିନ୍ଦା ୨୦୧୭ରୁ ପଟ୍ଟା ପାଇଥିଲେ ବି ଜମି ଚିହ୍ନଟ କରାଉନି ପ୍ରଶାସନ । ସ୍ଥାୟୀ ଜମି କିମ୍ବା ସରକାରୀ ପଟ୍ଟା ମିଳିନଥିବାରୁ ଘର ଖଣ୍ଡିଏ କରି ପାରୁନାହାନ୍ତି ହିତାଧିକାରୀ । ଏମିତି ସ୍ଥିତିରେ ଦୋଛକିରେ ଛିଡା ହୋଇ ଭାଗ୍ୟକୁ ନିନ୍ଦିବା ଛଡ଼ା ଆଉ କିଛି ଚାରା ବି ନାହିଁ ।

ପୌରାଞ୍ଚଳର ଶ୍ୟାମଗୁଡ଼ିଆ, କଜଳା, ନସିଡିପୁର ମିରପାଟଣା ଓ ଶାନ୍ତସାହି ବସ୍ତିବାସିନ୍ଦା ଜାଗା ପାଇଁ ଲଢେଇ ଜାରି ରଖିଛନ୍ତି । ପୌରାଞ୍ଚଳର ଅନ୍ୟ ୱାର୍ଡରେ ଥିବା ବସ୍ତିରେ ମଧ୍ୟ ସମାନ ସମସ୍ୟା । ଭଙ୍ଗା ଦଦରା ଛପର ଘରେ ବର୍ଷବର୍ଷ ଧରି ପିଲା ଛୁଆ, ପରିବାର ଧରି ଚଳି ଆସୁଛନ୍ତି  ହେଲେ ଘର ପାଉନାହାନ୍ତି । ଏମିତିକି ଭୂମିହୀନଙ୍କ ଦୁଃଖ ବୁଝିବାକୁ ପ୍ରଶାସନର ଆନ୍ତରକତା ନଥିବା ଅଭିଯୋଗ ବି ହୋଇଛି ।

ଅନ୍ୟପଟେ ପୌରସଂସ୍ଥା କର୍ତ୍ତୃପକ୍ଷ କହିଛନ୍ତି, ୫୯୪ ପରିବାରକୁ ଜାଗା ମିଶନରେ ଅନ୍ତର୍ଭୁକ୍ତ କରାଯାଇଛି । ୩୪୭ ଜଣଙ୍କୁ ପଟ୍ଟା ଦିଆସରିଛି, ଅନ୍ୟମାନଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ । ତେବେ ସମୟ କହିବ କେବେ ଜାଗା ମିଶନ ଜରିଆରେ ଘର ପାଉଛନ୍ତି ହିତାଧିକାରୀ...