ଏ ଖାଇବା କିଏ ଖାଇବ? ଭାତରେ ପୋକ, ଡାଲିରେ ହଳଦୀ..ଅଣ୍ଡା ତରକାରୀ କଥା ପଚାରେ କିଏ?

ମଧ୍ୟାହ୍ନ ଭୋଜନ ଖାଇଲେ ପିଲାଙ୍କ ସ୍ୱାସ୍ଥ୍ୟ ବଢିବ ନା ମେଡିକାଲ ଯିବାକୁ ପଡ଼ିବ ? କୁନି କୁନି ପିଲାଙ୍କୁ ଦିଆଯାଉଥିବା ଭାତରେ ସାଲୁବାଲୁ ହେଉଛନ୍ତି ପୋକ, ଡାଲିରେ ଖାଲି ହଳଦୀ । ଆଉ ଅଣ୍ଡା ତରକାରୀ କଥା ପଚାରେ କିଏ?

mid-day meals

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯାଉଛି ପୋକରା ଚାଉଳର ଭାତ ସାଙ୍ଗକୁ ପାଣିଚିଆ ଡାଲି । ଦିନେ କି ଦୁଇଦିନ ନୁହେଁ ମାସମାସ ଧରି ଏମିତି ନିମ୍ନମାନର ଖାଦ୍ୟ ପିଲାଙ୍କୁ ଦିଆଯାଉଛି । କେତେବେଳେ ମଧ୍ୟାହ୍ନ ଭୋଜନରେ ପୋକ ବାହାରୁଛି ତ ଆଉ କେତେବେଳେ ଡାଲିରେ ଡାଲି କମ୍‌ ପାଣି ଅଧିକ ରହିଛି । ଏନେଇ ପିଲାମାନେ ବାରମ୍ବାର ଘରେ କହିବା ପରେ ସ୍ଥିତି ଏମିତି ହୋଇଛି ଯେ ସ୍କୁଲ ହତା ଭିତରକୁ ଆସି ଏବେ ପାଟିତୁଣ୍ଡ କରୁଛନ୍ତି ଅଭିଭାବକ ।

ଗଞ୍ଜାମ କବିସୂର୍ଯ୍ୟନଗର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଲାଗି ରହିଥିବା ଗୌଡ଼ସାହି ୧ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ଦିଆଯାଉନି ଉନ୍ନତମାନର ଖାଦ୍ୟ । ପ୍ରଥମରୁ ପଂଚମ ପର୍ଯ୍ୟନ୍ତ ପାଖାପାଖି ୭୦ ପିଲା ପାଠ ପଢୁଛନ୍ତି । ସରକାରୀ ନିୟମ ଅନୁସାରେ ପ୍ରତିଦିନ ପିଲାଙ୍କୁ ମଧ୍ୟାହ୍ମ ଭୋଜନ ମିଳେ । ହେଲେ ତାହା ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ଅଭିଭାବକଙ୍କ ଅଭିଯୋଗ ଅନୁସାରେ, ଏଠାରେ ପଢୁଥିବା ପିଲାଙ୍କୁ କର୍ତ୍ତୃପକ୍ଷ ଯେଉଁ ମଧ୍ୟାହ୍ନ ଭୋଜନ ଦେଉଛନ୍ତି ତାହା ଆଦୌ ପୁଷ୍ଟିକର ନୁହେଁ । ବରଂ ପିଲାଙ୍କୁ ପାଣିଆ ଡାଲି, ହଳଦୀ ପାଣି ଅଣ୍ଡା ତରକାରୀକୁ ମିଳୁଛି ପୋକରା ଚାଉଳର ଭାତ । ତେଣୁ ଏମିତି ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଅରାଜି ହେଉଛନ୍ତି ପିଲା ।

ମିଳିଥିବା ସୂଚନା ଅନୁସାରେ, ପ୍ରତିଦିନ ବିଦ୍ୟାଳୟକୁ ୫୦ରୁ ଅଧିକ ପିଲା ଆସୁଛନ୍ତି । ଏମିତିକି ରୋଷେଇ କରିବାକୁ ଦାୟିତ୍ୱ ନେଇଥିବା ସଂସ୍ଥା ସରକାରୀ ନିୟମର ଖୋଲା ଉଲଙ୍ଘନ କରିବା ସହିତ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ରୋଷେଇ ହେଉନି । ଯେଉଁଥି ଲାଗି ଅନେକ ସମୟରେ ପିଲାମାନେ ଖାଦ୍ୟ ବି ପାଉନାହାନ୍ତି । ଆଉ ପିଲାଙ୍କ ଖାଦ୍ୟକୁ ବାଟମାରଣା କରି ମାଲେମାଲ ହେଉଛନ୍ତି ଅସାଧୁ ବ୍ୟକ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍କୁଲରେ ପିଲାଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି ପ୍ରଧାନଶିକ୍ଷୟିତ୍ରୀ । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ସେ ଅବଗତ ବି କରିଛନ୍ତି । ସେପଟେ ପୂରା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କବିସୂର୍ଯ୍ୟନଗର ବିଆରସିସି । କହିଛନ୍ତି, ଘଟଣାର ତଦନ୍ତ ହେବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।