ଲୁହା ପାଇପ୍‌ର ୧୩ ଫୁଟ ଭିତରେ ଫସି ରହିଥିଲା ଶିଶୁ..ଏମିତି ବୋର୍‌ୱେଲରୁ ଉଦ୍ଧାର କଲେ ରେସ୍କ୍ୟୁ ଟିମ୍‌

ଶିଶୁଟିକୁ ଉଦ୍ଧାର କରାଯିବା ପରେ ଚାରିଆଡ଼େ ଖୁସିର ଲହରି ଖେଳି ଯାଇଛି । ବିଶେଷ କରି ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ଯୋଗୁ ଶିଶୁଟି ସୁରକ୍ଷିତ ଭାବେ ପାଇପ୍‌ରୁ ଉଦ୍ଧାର ହୋଇଛି । 

ବୋର୍‌ୱେଲରୁ ଜିତିଲା ଜୀବନ

୮ ଘଣ୍ଟାର ନନ୍‌ଷ୍ଟପ୍ ଅପରେସନ । ବୋର୍‌ୱେଲରୁ ଜିତିଲା ଜୀବନ । ସୁରକ୍ଷିତ ଉଦ୍ଧାର ହେଲା ଶିଶୁ କନ୍ୟା । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲିରେ ବୋର୍‌ୱେଲରେ ପଡ଼ିଥିବା ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ପରେ ତାକୁ ଆମ୍ବୁଲାନ୍ସରେ ବୁର୍ଲା ହସ୍ପିଟାଲ୍‌ ନିଆଯାଇ ଚିକିତ୍ସା କରଯାଉଛି ।

ଶିଶୁଟିକୁ ଉଦ୍ଧାର କରାଯିବା ପରେ ଚାରିଆଡ଼େ ଖୁସିର ଲହରି ଖେଳି ଯାଇଛି । ବିଶେଷ କରି ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ଯୋଗୁ ଶିଶୁଟି ସୁରକ୍ଷିତ ଭାବେ ପାଇପ୍‌ରୁ ଉଦ୍ଧାର ହୋଇଛି । ତେବେ ରେସ୍କ୍ୟୁ ଟିମ୍ ପାଇଁ ୧୩ ଫୁଟ ତଳେ ୮ ଘଣ୍ଟା ଫସି ରହିଥିବା ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିବା ଏତେଟା ସହଜ ନଥିଲା ।

ସହଜ ନଥିଲା ଉଦ୍ଧାର କାର୍ଯ୍ୟ...

ବୋର୍‌ୱେଲ ଠାରୁ ଟିକିଏ ଦୂରରେ ଜେସିବି ସହାୟତାରେ ସମାନ୍ତରାଳ ଭାବେ ଗାତ ଖୋଳା ଯାଇଥିଲା । ଏହାପରେ ଏକ ଛୋଟିଆ ସୁଡ଼ଙ୍ଗ କରାଯାଇ ଲୁହା ପାଇପ୍‌କୁ ଆରି ବ୍ଲେଡ୍ ଓ ପରେ ମେସିନରେ କଟା ଯାଇଥିଲା । ଶିଶୁଟିକୁ ପାଇପ୍‌ ଭିତରୁ ସୁରକ୍ଷିତ ଉଦ୍ଧାର କରିବା ଚ୍ୟାଲେଞ୍ଜିଂ ଥିଲା ବୋଲି କହିବା ସହ ଉଦ୍ଧାରକାରୀ ଟିମ୍‌କୁ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ପ୍ରଶଂସା କରିଛନ୍ତି ।

କିପରି ପାଇପ୍‌ କାଟିଲେ ଶିଶୁର କ୍ଷତି ହେବନି, କାଟିବା ବେଳେ ଶିଶୁଟି ଯେପରି ତଳକୁ ଖସି ନଯାଏ, ଲୁହା ପାଇପ୍‌ ଯେପରି ତାତି ନଯାଏ ସେଥିପ୍ରତି ନଜର ରଖାଯାଇଥିଲା । ପାଇପ୍‌ ଭିତରକୁ ନିରନ୍ତର ଅକ୍ସିଜେନ ଛଡାଯାଉଥିଲା ଓ ଶିଶୁଟିକୁ ଉଷୁମ ରଖିବା ପାର୍ଇ ୧୦୦ୱାଟ୍ ଇଲେକ୍ଟ୍ରି ବଲ୍‌ବ ତଳକୁ ଛଡ଼ାଯାଇଥିଲା ।

ପିଲାଟିର କାନ୍ଦ ଉଦ୍ଧାରକାରୀ ଟିମ୍‌କୁ ବେଶୀ ଉତ୍ସାହିତ କରିଥିଲା ।  ଏଥିପାଇଁ ବିଶେଷ ସହାୟକ ହୋଇଥିଲା ଭୁବନେଶ୍ୱରରୁ ଏୟାରଲିଫ୍ଟ ହୋଇଥିବା ଭିକ୍ଟିମ୍ ଲୋକେସନ କ୍ୟାମେରା । ଏଥିସହ ବୋର୍‌ୱେଲ ରେସ୍କ୍ୟୁ ଇତିହାସରେ ଓଡ଼ିଶା ପାଇଁ ବଡ଼ ଅଭିଜ୍ଞତା ମିଳିଛି ।

ଲୁହା ପାଇପ୍‌ର ୧୩ ଫୁଟ ଭିତରେ ଫସି ରହିଥିଲା ଶିଶୁ...

ଶିଶୁଟି ଲୁହା ପାଇପ୍‌ର ୧୩ ଫୁଟ ଭିତରେ ଫସି ରହିଥିଲା । ପ୍ରଥମେ ପାଇପ୍‌ ପାଖରେ ଜେସିବି ଦ୍ୱାରା ୨୦ ଫୁଟର ଗାତ ଖୋଳା ଯାଇଥିଲା । ପରେ ହାତରେ ମାଟି ଖୋଳି ପାଇପ୍‌ ପାଖରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ଏହାପରେ ପ୍ରଥମେ ଆରି ବ୍ଲେଡ୍‌ରେ ଏବଂ ପରେ ମେସିନରେ ପାଇପ୍ କଟାଯାଇଥିଲା ।

ସମ୍ବଲପୁରର ରେଙ୍ଗାଲିରେ ନବଜାତକ ଶିଶୁ ସୁରକ୍ଷିତ ଉଦ୍ଧାର ହେବା ଅତ୍ୟନ୍ତ ଖୁସିର ବିଷୟ । ଅମୂଲ୍ୟ ଜୀବନଟିକୁ ରକ୍ଷା କରିବା ପାଇଁ ଉତ୍ସର୍ଗୀକୃତ ଓ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ଅଗ୍ନିଶମ ବାହିନୀ, ଓଡ୍ରାଫ, ପୋଲିସ, ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ହୃଦୟରୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।

ଭୁବନେଶ୍ୱରରୁ ଯାଇଥିବା ଭିକ୍ଟିମ୍ ଲୋକେସନ କ୍ୟାମେରା ବୋର୍‌ୱେଲ ଭିତରକୁ ଛଡାଯାଇ ପ୍ରକୃତ ସ୍ଥିତି ଜଣାପଡ଼ିବା ପରେ ପାଇପ୍‌ର ଉପର ଭାଗରେ ଦ୍ୱିତୀୟ ପର୍ଯ୍ୟାୟ କଟିଂ କରାଯାଇଥିଲା । ଏହାପରେ ସୁରକ୍ଷିତ ଭାବେ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଥିଲା । ତେବେ ଶିଶୁ କନ୍ୟାଟି କେଉଁ ପରିସ୍ଥିତିରେ ଗାତରେ ପଡ଼ିଥିଲା ତା’ର ତଦନ୍ତ ହେବ ବୋଲି ଏସ୍‌ପି କହିଛନ୍ତି । 

‘ପ୍ରତିଟି ଜୀବନ ମୂଲ୍ୟବାନ’...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ପ୍ରତିଟି ଜୀବନ ମୂଲ୍ୟବାନ । ସମ୍ବଲପୁରର ରେଙ୍ଗାଲିରେ ନବଜାତକ ଶିଶୁ ସୁରକ୍ଷିତ ଉଦ୍ଧାର ହେବା ଅତ୍ୟନ୍ତ ଖୁସିର ବିଷୟ । ଅମୂଲ୍ୟ ଜୀବନଟିକୁ ରକ୍ଷା କରିବା ପାଇଁ ଉତ୍ସର୍ଗୀକୃତ ଓ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ଅଗ୍ନିଶମ ବାହିନୀ, ଓଡ୍ରାଫ୍, ପୋଲିସ, ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ହୃଦୟରୁ ସାଧୁବାଦ ଜଣାଉଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉଦ୍ଧାରକାରୀ ଟିମ୍ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ ଉଦ୍ଧାର ହୋଇଥିବା ନବଜାତ ଶିଶୁ କନ୍ୟାର ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି । ସେ ଲେଖିଛନ୍ତି, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲିସ୍ତିତ ଶ୍ରୀରାମ ବୁଢା ଜଙ୍ଗଲ ଠାରେ ପରିତ୍ୟକ୍ତ ବୋର୍‌ୱେଲରୁ ନବଜାତ ଶିଶୁକନ୍ୟା ସୁରକ୍ଷିତ ଭାବେ ଉଦ୍ଧାର ହେବା ଖବର ଆମ ସମସ୍ତଙ୍କୁ ଆଶ୍ୱସ୍ତ କରିଛି । ମାଆ ସମଲେଶ୍ୱରୀଙ୍କ ପାଖରେ ଶିଶୁଟିର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି । ଉଦ୍ଧାରକାରୀ ଟିମ୍‌ର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।