In the sundang there was a local brewery
ରାଜ୍ୟ ରାଜଧାନୀରେ ମଦ ବିକ୍ରି ମହାସୁଡ଼ଙ୍ଗର ମହାଖୁଲାସା। ସାଲିଆସାହି ବସ୍ତିର ଘର ଭିତରେ ଗୁପ୍ତ ସୁଡ଼ଙ୍ଗ ଆଉ ସୁଡ଼ଙ୍ଗ ଭିତରେ ମଦଭାଟିର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ। ପାର୍ବଣ ପୂର୍ବରୁ ବେଆଇନ ମଦ ପ୍ରସ୍ତୁତକାରୀଙ୍କ ଉପରେ ପ୍ରହାର କରି ବଡ଼ ଧରଣର ସଫଳତା ପାଇଛି କମିଶନେରେଟ୍ ପୋଲିସ। ପାଇଛି ଚାଉଳି ଆଉ ମହୁଲିରୁ ପ୍ରସ୍ତୁତ ୭୦ ଲିଟର ମଦ, ୧୪ ହଜାର ଲିଟର ପୋଚ ସହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ବିପୁଳ ସାମଗ୍ରୀ। ତା’ସହ ଘର ଭିତରେ ସୁଡ଼ଙ୍ଗ କରି ଯେଭଳି ଢଙ୍ଗରେ ବେଆଇନ ମଦ ତିଆରି କରୁଥିଲେ ମାଫିଆ, ଦୃଶ୍ୟ ଦେଖି ତାଜୁବ୍ ହୋଇଯାଇଛି ପୋଲିସ।
ଭୁବନେଶ୍ୱର ର ସାଲିଆସାହିସ୍ଥିତ ଇଡ୍କୋ ବସ୍ତିରେ କାୟା ମେଲାଇଥିବା ବେଆଇନ ମଦ ବେପାର ବିରୋଧରେ କମିଶନରେଟ୍ ପୋଲିସ ପହଞ୍ଚି ସବୁ ମଦ ହାଣ୍ଡି ଭାଙ୍ଗି ନଷ୍ଟ କରିଦେଇଛି। ସମୟ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ହଠାତ୍ ୪ ପ୍ଲାଟୁନ୍ ଫୋର୍ସ ଆସି ଘେରିଯାଇଥିଲେ ବସ୍ତିରେ ଦେଶୀ ମଦ ତିଆରି କରୁଥିବା ମଦ ବେପାରୀଙ୍କ ଘରକୁ। ତାପରେ ଆରମ୍ଭ ହୋଇଯାଇଥିଲା ଅପରେସନ୍ ।
ଏହି ଅପରେସନ୍ ଭିତରେ ଯାହା ସାମ୍ନାକୁ ଆସିଲା ତାହା ସମସ୍ତଙ୍କୁ ତାଜୁବ୍ କରିଦେଇଥିଲା। କାରଣ ବେପାରୀଙ୍କ ଘର ଭିତରେ ଥିଲା ସୁଡ଼ଙ୍ଗ ଆଉ ସୁଡ଼ଙ୍ଗ ଭିତରେ ଚାଲୁଥିଲା ବେଆଇନ ମଦଭାଟି। ପୋଲିସକୁ ଚକ୍ମା ଦେବା ଉଦ୍ଦେଶ୍ୟରେ ଏଭଳି ସୁଡ଼ଙ୍ଗ କରି ମଦ ପ୍ରସ୍ତୁତି ଏବଂ ବ୍ୟବସାୟର କଳାଧନ୍ଧା ଚଳାଇଥିଲେ ବେପାରୀ।
ଏହାଛଡା ଘଟଣାସ୍ଥଳରେ ଏକ ଘରେ ସାମ୍ନାପଟୁ ପଡିଥିଲା ତାଲା। ପୋଲିସ୍ ତାଲା ଭାଙ୍ଗି ଦେଖିଲା ବେଳକୁ ଘରେ ଭିତରେ ଚାଲିଥିଲା ଦେଶୀ ମଦର କାରଖାନା। ମଦ ବେପାରର ପାଇଁ ମହାସୁଡ଼ଙ୍ଗର ଖବର ପାଇ ଆଜି ରେଡ୍ କରିଥିଲା ପୋଲିସ। ଏହା ପରେ ମହାସୁଡ଼ଙ୍ଗର ହୋଇଥିଲା ମହାଖୁଲାସା।
ଆଗକୁ ପାର୍ବଣ ଆସୁଥିବା ବେଳେ ଏହାକୁ ଲକ୍ଷ୍ୟ ରଖି ସକ୍ରିୟ ହେଉଥିଲେ ସାଲିଆସାହିର ବସ୍ତିରେ ରହୁଥିବା ମଦ ବେପାରୀ। ଏଥିରେ ପ୍ରମୁଖ ଭୂମିକା ନିଭାଉଥିଲେ ମହିଳା। ଏକଥା ନୁହେଁ ଯେ, ପୋଲିସ ଏ ସମ୍ପର୍କରେ ଜାଣି ନଥିଲା। ପୋଲିସ ଜାଣିଥିଲା ସବୁକିଛି, ପୂର୍ବରୁ ବି ଏକାଧିକ ଥର ଛାପା ମାରିଥିଲା। ତଥାପି ପୋଲିସ୍କୁ ଚାଲେଞ୍ଜ କରି ମଦ ମାଫିଆ ଚଳାଇଥିଲେ ନିଜର ନିଷିଦ୍ଧ ବେପାର।
ତେବେ କେମିତି ତିଆରି କରି ଏହି ମଦ ବେପାର ଚଳାନ୍ତି ମହିଳାମାନେ, ସେନେଇ ଗଣମାଧ୍ୟମ ଆଗରେ ଖୁଲମଖୁଲା ବଖାଣିବା ସହ ବାଢ଼ିଛନ୍ତି ଅଜବ ପ୍ରକାରର ଯୁକ୍ତି। ଏପରିକି ରାଜ୍ୟ ସରକାରଙ୍କୁ ଚାଲେଞ୍ଜ୍ କରି କାମ ଧନ୍ଧା ନ ମିଳିଲେ ଏଭଳି ନିଶା ବେପାର ଜାରି ରଖିବୁ ବୋଲି ଖୋଲାଖୋଲି କହିଛନ୍ତି ଏହି ମହିଳା ମଦ ବ୍ୟବସାୟୀ।
ପୂଜା ପୂର୍ବରୁ ବେଆଇନ ଦେଶୀ ମଦ କାରବାର ରୋକିବାକୁ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ପୋଲିସର ଏହା ଥିଲା ସ୍ୱତନ୍ତ୍ର ଅଭିଯାନ। ଏହି ଅଭିଯାନ କ୍ରମରେ ଆଜି ୧୦ଟି ଘରେ ରେଡ୍ କରିଥିଲ ପୋଲିସ୍। ତା’ସହ ୭୦ ଲିଟର ଦେଶୀ ମଦ ଜବତ କରିବା ସହ ୧୪ ହଜାର ଲିଟର ପୋଚକୁ ନଷ୍ଟ କରିଥିଲା ପୋଲିସ। ସେହିପରି ମଦ ତିଆରି ପାଇଁ ବ୍ୟବହୃତ ୪୨୩ଟି ହାଣ୍ଡି ସହ ସରଞ୍ଜାମକୁ ପୋଲିସ ଜବତ କରି ୬ ଜଣଙ୍କୁ ଅଟକ ରଖିଛି।
ବ୍ରାଉନ ସୁଗର ବେପାର ବିରୋଧରେ ଅପରେସନ୍ ହ୍ୱାଇଟ୍ ସ୍ପାଇଡର୍, ଚୋରା ବନ୍ଧୁକ ରାକେଟ୍ ବିରୋଧରେ ଅପରେସନ୍ ବ୍ଲାକ୍ସ୍ମୋକ୍ ପରେ ଆଜି ବେଆଇନ ମଦ ବେପାର ବିରୋଧରେ ସାଲିଆସାହି ବସ୍ତିରେ ପୋଲିସର ଏହି ଅପରେସନ୍ ପରେ କେତେ ରୋକାଯାଇପାରିବ ବେଆଇନ ମଦ ବେପାରକୁ, ତାକୁ ଏବେ ଅପେକ୍ଷା।
(ରିପୋର୍ଟ : ଭୁବନେଶ୍ୱରରୁ ଆଲୋକ ମହାନ୍ତି)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663693993.jpg)