ପୁନର୍ଜନ୍ମ ପାଇଲା ବିଜୁ ବାବୁଙ୍କ ଡାକୋଟା ବିମାନ

ବିଜୁ ବାବୁଙ୍କ ସନ୍ତକ ଓ ଅପାସୋରା ସ୍ମୃତି ବିଜଡ଼ିତ ଡାକୋଟା ବିମାନକୁ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ ୱାନ୍ ସମ୍ମୁଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ।

ଭୁବନେଶ୍ୱର ବିମାନ ବନ୍ଦରରେ ଶୋଭା ପାଇଲା ବିଜୁଙ୍କ ପ୍ରିୟ ଡାକୋଟା

ପ୍ରତୀକ୍ଷାରେ ଅନ୍ତ, ଉତ୍କଣ୍ଠାରେ ପୂର୍ଣ୍ଣଛେଦ । ପୁନର୍ଜନ୍ମ ପାଇଲା କୋଲକାତାରେ ଅବହେଳିତ ବିଜୁ ବାବୁଙ୍କ ଦକ୍ଷ ପାଇଲଟିଂ କୌଶଳ ଓ ପରାକ୍ରମର ଏକାନ୍ତ ମୁକସାକ୍ଷୀ ଡାକୋଟା ବିମାନ । ଏକଦା ପ୍ରବାଦ ପୁରୁଷଙ୍କ ସାହସିକତା ଓ ନିର୍ଭିକତା ଗୁଣର ପରିଚାୟକ ଥିବା ଏହି ଡାକୋଟା ବିମାନ ଦୀର୍ଘ ୬ ଦଶନ୍ଧି ପରେ ପୁଣି ମୁଣ୍ଡ ଟେକି ଛିଡ଼ା ହୋଇଛି ।

ବିଜୁ ବାବୁଙ୍କ ସନ୍ତକ ଓ ଅପାସୋରା ସ୍ମୃତି ବିଜଡ଼ିତ ଡାକୋଟା ବିମାନକୁ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ ୱାନ୍ ସମ୍ମୁଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି । ଡାକୋଟାକୁ ଆଖି ପୁରାଇ ଦେଖିବା ସହ ବିଜୁଙ୍କ ଭଳି ଦକ୍ଷ ଓ ଦୁଃସାହସିକ ପାଇଲଟଙ୍କର ସେ ପୁରୁଣା ସ୍ମୃତିକୁ ରୋମନ୍ଥନ କରିଛନ୍ତି ଲୋକେ ।

୧୯୪୬ ପୂର୍ବରୁ ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସର ପାଇଲଟ ଥିବା ବିଜୁ ବାବୁ ସେତେବେଳେ ଏହି ଡାକୋଟା ବା ଡଗଲାସ ଡିସି ୩ ବିମାନକୁ ନିର୍ଭିକତାର ସହ ଉଡ଼ାଉଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ, କାଶ୍ମୀର ଯୁଦ୍ଧ, ଇଣ୍ଡୋନେସିଆର ସ୍ୱାଧୀନତା ଆନ୍ଦୋଳନ ଏବଂ ରେଙ୍ଗୁନରୁ ବ୍ରିଟିଶ ରାଜ ପରିବାରକୁ ଉଦ୍ଧାର ଆଦି ଏକାଧିକ ଦୁସାହସିକ କାର୍ଯ୍ୟ ଲାଗି ଏହି ଡାକୋଟା ବିମାନକୁ ବ୍ୟବହାର କରି ଅତି ଦକ୍ଷତାର ସହ କାର୍ଯ୍ୟ ସମ୍ପନ୍ନ କରିଥିଲେ ।

୧୯୪୭ରେ ସେ କଳିଙ୍ଗ ଏୟାରଲାଇନ୍ସ ପ୍ରତିଷ୍ଠା କରି ଏହି ଡାକୋଟା ବିମାନକୁ ସେଥିରେ ସାମିଲ କରିଥିଲେ । ତେବେ ୧୯୭୨ରେ ଡାକୋଟାର ପ୍ରଚଳନ ବନ୍ଦ ହେବା ପରଠ କୋଲକାତା ବିମାନବନ୍ଦରରେ ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା ଡାକୋଟା । ଗତ ଜାନୁଆରୀ ୧୭ ତାରିଖରେ ଏହି ବିମାନକୁ ୩ ଭାଗ କରି ସଡ଼କ ପଥରେ ଭୁବନେଶ୍ୱର ଅଣାଯାଇଥିଲା । ଭୁବନେଶ୍ୱରର ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ ଅନୁଷ୍ଠାନର ଏକ ୩୦ ଜଣିଆ ଟିମ୍ ଏହି ବିମାନ ଆଣିବାଠୁ ସଂସ୍ଥାପନ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ନେଇଥିଲା।

ଡାକୋଟା ଏବେ ପୁନର୍ଜନ୍ମ ପାଇ ନିଜ ସ୍ଥିତାବସ୍ଥାକୁ ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରର ଟର୍ମିନାଲ ୧ ସମ୍ମୁଖରେ ନିର୍ମିତ ସ୍ୱତନ୍ତ୍ର ପେଡେଷ୍ଟ୍ରାଲ ଉପରେ ଅବସ୍ଥାପିତ ହୋଇଛି । ଏହାର ମରାମତି, ନବୀକରଣ ଓ ପୁନଃସ୍ଥାପନ ଲାଗି ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଭୁବନେଶ୍ୱରରୁ କ୍ୟାମେରାପର୍ସନ ବିଶ୍ୱଜିତଙ୍କ ସହ ଅତୁଲ୍ୟ ବାଉତଙ୍କ ରିପୋର୍ଟ, ଓଟିଭି