’ଆଗରୁ କହିଛି, ଏବେ ବି କହୁଛି. . . କଦାପି ଯୋଡ଼ି ହେବନି ଭଙ୍ଗା ସମ୍ପର୍କ‘

ସୋସିଆଲ ମିଡିଆରେ ଏନେଇ ଅନୁଭବ ପୋଷ୍ଟ କରି ଲେଖିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସେ ନିରବତା ଅବଲମ୍ବନ କରିଛନ୍ତି, ତା ମାନେ ନୁହେଁ ଯେ, କିଛି ଗଣମାଧ୍ୟମ ସଂସ୍ଥା ଓ ୟୁଟ୍ୟୁବ୍ ଚ୍ୟାନେଲ ମନକୁ ଯାହା ଆସିବ ତାହା ଲେଖିବେ ।

ମିଥ୍ୟା ଖବର ଛାପୁଥିବା ଓ ଅପଲୋଡ୍ କରୁଥିବା ନ୍ୟୁଜ୍ ପୋର୍ଟାଲ ଏବଂ ୟୁଟ୍ୟୁବ୍ ଚ୍ୟାନେଲକୁ ତାଗିଦ

ଯୋଡ଼ି ହେବନି ଭାଙ୍ଗି ଯାଇଥିବା ସମ୍ପର୍କ । କୋର୍ଟଙ୍କ ନିର୍ଦ୍ଦେଶ ପରେ କିଛି ଦିନ ଚୁପ୍‌ ରହିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି । ମିଥ୍ୟା ଖବର ଛାପୁଥିବା ଓ ଅପଲୋଡ୍ କରୁଥିବା ନ୍ୟୁଜ୍ ପୋର୍ଟାଲ ଏବଂ ୟୁଟ୍ୟୁବ୍ ଚ୍ୟାନେଲକୁ ତାଗିଦ କରିଛନ୍ତି ।  ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କୁ ନେଇ କିଛି ମିଡିଆ ଚ୍ୟାନେଲ ବିଭିନ୍ନ ପ୍ରକାର ଗୁଜର ଖବର ପ୍ରକାଶ କରୁଥିବାରୁ ସେ ଏଥିପାଇଁ ଆବଶ୍ୟକ ହେଲେ କୋର୍ଟଙ୍କ ଆଶ୍ରୟ ନେବେ ବୋଲି କହିଛନ୍ତି ।

ଏକ ୟୁଟ୍ୟୁବ ଚ୍ୟାନେଲ ଅନୁଭବ ଓ ବର୍ଷାଙ୍କୁ ନେଇ ‘ତାଙ୍କୁ ଛାଡ଼ି ରହିହେଉନି, ଆମେ ପୁଣି ମିଶିବୁ’ ଶୀର୍ଷକ ଏକ ପୋଷ୍ଟ କରିଛି । ସେଥିରେ ବର୍ଷା ଓ ଅନୁଭବଙ୍କ ଏକ ଫଟୋ ମଧ୍ୟ ରହିଛି । ଏହି ପୋଷ୍ଟକୁ ଅନୁଭବ ନାପସନ୍ଦ କରିବା ସହ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ମୁଁ ଚୁପ୍‌ ରହିଛି । ଏହାର ଅର୍ଥ ନୁହେଁ କିଛି ମିଡିଆ ଚ୍ୟାନେଲ୍ ଓ ୟୁଟ୍ୟୁବ୍‌ ଚ୍ୟାନେଲ ମନକୁ ଯାହା ଆସିବ, ତାହା ଲେଖିବେ ।

 

କେବେ ସେ ପୁରୁଣା ସମ୍ପର୍କ ଯୋଡ଼ି ହେବନି । ଏବେ ନୁହେଁ, କି କେବେ ନୁହେଁ । ପ୍ରଥମରୁ ସ୍ପଷ୍ଟ କରିଦେଇଛି, ଏ ସମ୍ପର୍କର ଆଉ କୌଣସି ଭବିଷ୍ୟତ ନାହିଁ । ତେଣୁ ମିଛ ଖବର ପ୍ରସାରଣ ନକରିବା ପାଇଁ କହିଛନ୍ତି ଅନୁଭବ ।

ସୂଚନାଯୋଗ୍ୟ ଜୁନ୍‌ ୨ ତାରିଖରେ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବର୍ଷାଙ୍କ ରହଣୀ ବ୍ୟବସ୍ଥା ପାଇଁ ଅନୁଭବଙ୍କୁ ମାସିକ ୩୦ ହଜାର ଟଙ୍କା ଦେବାକୁ କୋର୍ଟ ନିର୍ଦେଶ ଦେଇଥିଲେ । ଏମିତିକି ପ୍ରତି ମାସ ୧୦ ତାରିଖ କିମ୍ବା ତା ପୂର୍ବରୁ ବର୍ଷାଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ କୁହାଯାଇଥିଲା । ତେବେ କୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ଦିନ ପରେ ପତ୍ନୀ ବର୍ଷାଙ୍କୁ ୩୦ ହଜାର ଟଙ୍କା ଦେଇଥିଲେ ସାଂସଦ ଅନୁଭବ ମହାନ୍ତି।