ନାତି ପାଇଁ ଆଈ ହାତରେ ଭିକ୍ଷାଥାଳ : କାନ୍ଦି କାନ୍ଦି କହୁଛି, ମୋ ନାତିକୁ ବଞ୍ଚାଇ ଦିଅ..

ଡାକ୍ତର କହିଛନ୍ତି ବାହାରକୁ ନେଇ ଅପରେସନ କଲେ ଭଲ ହୋଇଯିବ । ହେଲେ ଭଲ କରିବାକୁ ପାଖରେ ଅର୍ଥ ନାହିଁ, ଯାହା ବି ଥିଲା ଡାକ୍ତରଖାନାରେ ଦେଖାଇ ସବୁ ସରିଯାଇଛି ।

Begging

ଜନ୍ମ ହେଉ ହେଉ ଯମଯନ୍ତ୍ରଣା ଭୋଗୁଛି କୁନି ପୁଅ । ପେଟ ଫୁଲି ଯିବାରୁ ଦିନ ରାତି ରାହା ଧରି କାନ୍ଦୁଛି । ନାତିର ଯନ୍ତ୍ରଣା ଦେଖି ଆଈ ଘରେ ରହିପାରୁନି  । ନାତି ମୁହଁକୁ ଦେଖି ଦିନ କାଟିବେ ବୋଲି ଭାବୁଥିଲେ , ହେଲେ ଏବେ ସବୁ କିଛି ଓଲଟପାଲଟ୍ ହୋଇଯାଇଛି । କୁନି ପୁଅର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ବୟସର ଅପରାହ୍ନରେ ଭିକ ମାଗୁଛନ୍ତି ବୃଦ୍ଧ ମହିଳା । 

ଡାକ୍ତର କହିଛନ୍ତି ବାହାରକୁ ନେଇ ଅପରେସନ କଲେ ଭଲ ହୋଇଯିବ । ହେଲେ ଭଲ କରିବାକୁ ପାଖରେ ଅର୍ଥ ନାହିଁ, ଯାହା ବି ଥିଲା ଡାକ୍ତରଖାନାରେ ଦେଖାଇ ସବୁ ସରିଯାଇଛି । ବାପା ଜଣେ ଛୋଟ ମୋଟ ପାଞ୍ଜି ଜ୍ୟୋତିଷ, ତା ଭିତରେ ପାଞ୍ଚ ପ୍ରାଣୀ କୁଟୁମ୍ବକୁ ପୋଷିବାକୁ ପଡୁଛି । ନାତି ପାଇଁ କେଉଁଠୁ ଏତେ ଟଙ୍କା ଆଣିବେ, ସେନେଇ ଚିନ୍ତାରେ ପଡ଼ିଛନ୍ତି ଆଈ ପ୍ରମିଳା ଦାସ ।

ନାତି ଲାଗି ବୃଦ୍ଧା ବୟସରେ ଘରୁ ଗୋଡ଼ ବାହାର କରି ଗାଁ ଠାରୁ ସହରକୁ ଯାଇ ବିନତି କରୁଛନ୍ତି । ନାତି ଲାଗି କିଛି ସାହାଯ୍ୟ କର, ନାତି ଟିକେ ଭଲ ହୋଇ ଯିବ ବୋଲି କହି ହାତ ପାତୁଛନ୍ତି । ଯିଏ ଯାହା ଦେଲା ସଞ୍ଚୁଛନ୍ତି, କେତଦିନ ଏପରି ଭିକ ମାଗିବେ, ଏତେ ଟଙ୍କା କେବେ ଯୋଗାଡ଼ ହେବ, ଏଣୁ ଅନ୍ୟକୁ ସାହାଯ୍ୟ ମାଗୁଛନ୍ତି । ଏଭଳି ହୃଦୟବିଦାରକ ଦୃଶ୍ୟ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀ ପଡା ବ୍ଲକର କେନ୍ଦୁଡ଼ିହି ଗ୍ରାମରେ ଦେଖିବାକୁ ମିଳିଛି ।

ପ୍ରଥମେ ଝିଅଟିଏ ହେଲା ପରେ ପରିବାରରେ ଟିକେ ଦୁଃଖ ଥିଲା । ଝିଅ ଜନ୍ମର ୯ ବର୍ଷ ପରେ ପୁଅ ଟିଏ ହେଲା । ପୁଅଟି ପାଇ ପରିବାରର ଖୁସି କହିଲେ ନ ସରେ । କିଏ ଜାଣି ଥିଲା ଏ ଖୁସି ବେଶୀ ଦିନ ନୁହେଁ, ମାତ୍ର ୩ ମାସର ।

ପୁଅର ପେଟ ଫୁଲିବା ପରେ ଯନ୍ତ୍ରଣା ହେଲା । ପରିବାର ଲୋକେ ରାଉରକେଲା , ବୁର୍ଲା, କଟକ ନେଇ ଚିକିତ୍ସା ଆରମ୍ଭ କଲେ । ଡାକ୍ତର ଭିନ୍ନ ଭିନ୍ନ ମତ ଦେଲେ । କିଏ କହିଲା ଜଣ୍ଡିସ ତ କିଏ କହିଲା ଲିଭର ଖରାପ । ନୂଆ ଲିଭର ଲଗାଇବାକୁ ହେଲେ ଅର୍ଥ ଦରକାର ଏବଂ ତାହା ଓଡିଶାରେ ହେବନି, ବାହାରକୁ ନେଇ ଅପରେସନ କଲେ ସବୁ ଠିକ ହୋଇଯିବ । 

ପରିବାର ବାପା ମା' ଙ୍କ ଭିତରେ ଭାଳେଣି ପଡ଼ିଗଲା, କୋଉଠୁ ଆଣିବେ ଏତେ ଟଙ୍କା, କିଏ ଦେବ, ଯାହା ବି ଥିଲା ବିକି ଭାଙ୍ଗି, ଲୋନ କରି ସବୁସରିଗଲା, କୋଉଠୁ ଆଣିବୁ ଏତେ ଅର୍ଥ ବାହାରକୁ ନେବାକୁ । ଏଭଳି ପ୍ରଶ୍ନ ମନ ଭିତରେ ଘାଣ୍ଟି ହେଲା । ଘରେ ୫ ପ୍ରାଣୀ କୁଟୁମ୍ଭ, ପୁଅ ପାପି କେଉଁଠି ଛୋଟ ମୋଟ କାମ କରି ଯାହା ଆଣେ ପରିବାର ଚଳେ । 

ସେଥିପାଇଁ ଗାଁ, ସହର, ଦୋକାନ ବୁଲି ବୁଲି ଭିକ ମାଗୁଛନ୍ତି ପ୍ରମିଳା । ଯିଏ ଯାହା ଦେଲା ତାକୁ ସଂଚୟ କରୁଛନ୍ତି କେବଳ ନାତିକୁ ଭଲ କରିବା ପାଇଁ । କେତଦିନ ଏମିତି ବୁଢ଼ୀ ବୟସରେ ଭିକ ମାଗିବେ । ପାଞ୍ଚ ଟଙ୍କା ଦଶ ଟଙ୍କା କରି ଏତେ ଟଙ୍କା କେତେଦିନରେ ସଞ୍ଚୟ କରିବେ ବୋଲି ଭାବି ଭାବି ଭାଙ୍ଗି ପଡ଼ିଲେଣି ପ୍ରମିଳା । ନାତିର ଦୁଃଖରେ ଆଖିରୁ ଝରି ଯାଉଛି ଧାର ଧାର ଲୁହ, ଆଉ ସେହି ଲୁହ ଭିଜା ଆଖିରେ ସେ କହିଛନ୍ତି, ଯଦି ସରକାର କି ଅନ୍ୟ କେହି ସାହାଯ୍ୟ କରନ୍ତେ ତାହେଲେ ମୋ ନାତି ଟିକେ ଭଲ ହୋଇ ଯାଆନ୍ତା ଆଉ ତା ପାଟିରେ ଟିକେ ହସ ଦେଖି ପାରନ୍ତି ।

ଏନେଇ ଓଟିଭିର ଏକ ଟିମ୍‌ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁଙ୍କୁ ପଚାରିବାରୁ ସେ କହିଥିଲେ ତାଙ୍କୁ ଆମ ଟିମ ନଜର ରଖିଛି ଏବଂ ଆମେ ତାଙ୍କୁ ରାଉରକେଲା, ବୁର୍ଲା, କଟକ ନେଉଛୁ ଏବଂ ତାଙ୍କର କିପରି ବାହାରେ ଚିକିତ୍ସା ହେବ, ଆମେ ସରକାରଙ୍କ ତରଫରୁ ଚେଷ୍ଟା କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ଆପଣ ସାହାଯ୍ୟ କରିବାକୁ ଚାହୁଁଥିଲେ, ଏହି ଠିକଣାରେ ଯୋଗାଯୋଗ କରନ୍ତୁ

ଠିକଣା

ଦୀପକ ଦାସ

ଗ୍ରାମ, କେନ୍ଦୁଡ଼ିହି,

ପୋ, କଳେଇ ପୋଷ,

ଭାୟା, ଲହୁଣୀ ପଡା,770044, ସୁନ୍ଦରଗଡ଼ ,

ଫୋନ,7653970366,9556265280