ବାପା ବାହା ହୋଇ ଚାଲିଗଲା ପରେ, ଘରର ବୋଝ ମୁଣ୍ଡାଇଛନ୍ତି ଗାୟତ୍ରୀ

ଦୁନିଆକୁ ଭଲ କରି ଦେଖିବା ଆଗରୁ ମାଆ ଆରପାରିକୁ ଚାଲି ଗଲେ । ବାପା ଅନ୍ୟ ଜଣଙ୍କୁ ବାହା ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେ । ଘରେ ଜେଜେ ବୁଢୀ ଓ ସାନ ଭଉଣୀ । ଏମାନଙ୍କ ସେବା ଯତ୍ନ କରିବା ପାଇଁ ପାଠରେ ଡୋରୀ ବାନ୍ଧି ଦେଇଛନ୍ତି ଗାୟତ୍ରୀ । ଏବେ କୁଲି ମଜୁରୀ କରି ଘର ଚଳାଉଛନ୍ତି । ଗାୟତ୍ରୀଙ୍କ ସଂଘର୍ଷର କାହାଣୀକୁ ନେଇ ଆମର ଏ ରିପୋର୍ଟ ।

Gayatri

ନୂଆପଡ଼ା, (ମାୟାଧର ସରାଫ): ଏ ହେଉଛନ୍ତି ନୂଆପଡା ଜିଲ୍ଲା କୋମନା ବ୍ଲକ ଜଟଗଡ ପଞ୍ଚାୟତ ଭରୁଆମୁଣ୍ଡା ଗାଁର ଗାୟତ୍ରୀ ମାଝି । ଜଣେ ମେଧାବୀ ଛାତ୍ରୀ । ଓଡିଶା ଆଦର୍ଶ ବିଦ୍ୟାଳୟରେ ୭ମ ଶ୍ରେଣୀରେ ପାଠ ପଢୁ ଥିଲେ । ଆଶା ରଖିଥିଲେ ପାଠ ପଢିବେ, ଚାକିରି କରିବେ । କିନ୍ତୁ ତାଙ୍କ ମାଆ ବାସନ୍ତୀଙ୍କ ଦେହାନ୍ତ ହେଲା ପରେ ବାପା ଲୋଚନ ମାଝି ଦ୍ୱିତୀୟ ବିବାହ କଲେ । ଗାୟତ୍ରୀ ଓ ତାଙ୍କ ସାନ ଭଉଣୀ ତପସ୍ୱିନୀଙ୍କ କଥା ଆଉ ବୁଝିଲେ ନାହିଁ । ବାପା ତାଙ୍କ ନୂଆ ପରିବାର ଧରି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଗଲେ । ଘରେ ରହିଲେ ଲୋଚନଙ୍କ ମାଆ ୮୦ ବର୍ଷିୟା ବୃଦ୍ଧା ବିମଳେ ମାଝି । ଏବେ ଘରେ ଜେଜେ ମାଆ ଏବଂ ୨ ନାବାଳିକା ନାତୁଣୀ । ଜେଜେ ମାଆ ଓ ସାନ ଭଉଣୀ ଗାୟତ୍ରୀର ଦାୟିତ୍ୱ ମୁଣ୍ଡାଇଛନ୍ତି ଗାୟତ୍ରୀ । ସରକାରୀ ଯୋଜନାରେ କାହାରିକୁ ଚାଉଳ ମିଳେ ନାହିଁ । ବୃଦ୍ଧା ବିମଳେ ମାଝି ଯେଉଁ ୫୦୦ ଟଙ୍କା ଭତ୍ତା ପାଆନ୍ତି, ସେଥିରେ ବଡ କଷ୍ଟରେ ଚଳନ୍ତି । ଏବେ ପରିବାର ଚଳାଇବା ପାଇଁ ସମସ୍ୟା ହେବାରୁ ଗାୟତ୍ରୀ ପାଠ ପଢା ଛାଡି ଦେଇଛନ୍ତି । କୁଲି ମଜୁରୀ କରି ପରିବାର ଚଳାଉଛନ୍ତି ।

ମାଆ ଚାଲିଯିବା ପରେ ବାପା ବି ପାଖରେ ନାହାନ୍ତି କି କିଛି ଦେଖାଶୁଣା ବି କରୁନାହାନ୍ତି । ବୃଦ୍ଧା ବିମଳେ ଜୀବନର ଶେଷ ପାହାଚରେ । ଗାୟତ୍ରୀ ଝିଅ ହେଲେ ବି କୁଲି ମଜୁରୀ କରୁଛନ୍ତି । ଜେଜେ ମାଆର କଥା ବୁଝୁଛନ୍ତି । ସାନ ଭଉଣୀକୁ ପାଠ ପଢାଉଛନ୍ତି । ସବୁ ଦିନେ ପେଟପୂରା ଖାଇବାକୁ ପାଆନ୍ତିନି ଏମାନେ । କେବେ କେବେ ଭୋକରେ ବି ଶୋଇବାକୁ ପଡିଥାଏ ଏମାନଙ୍କୁ । ଏମାନଙ୍କ ସମସ୍ୟା ଜାଣି ନୂଆପଡା ଆକ୍ସନ ଗ୍ରୁପର ସ୍ୱେଚ୍ଛାସେବୀମାନେ ଗାୟତ୍ରୀଙ୍କ ଘରକୁ ଆସିଥିଲେ । ମାସକର ରାସନ ସାମଗ୍ରୀ ସହ ୧ ହଜାର ଟଙ୍କା ସହାୟତା ଦେଇଛନ୍ତି । ଏ ପରିବାର ପ୍ରତି ସରକାର ସହାୟତା ଦେବାକୁ ଦାବି କରିଛନ୍ତି ଗାଁ ଲୋକେ । ଏହି ପରିବାରକୁ ସରକାରଙ୍କ ସହାୟତା ଯୋଗାଇଦେବାକୁ କୋମନା ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ଗାୟତ୍ରୀଙ୍କ ପାଠ ପଢା ସଂପର୍କରେ ବିଚାର କରାଯିବ ବୋଲି କହିଛନ୍ତି । ସହାୟତା ମିଳିପାରିଲେ ମେଧାବୀ ଗାୟତ୍ରୀଙ୍କ ଅନ୍ଧକାରମୟ ଭବିଷ୍ୟତ ପୁଣି ଆଲୋକିତ ହୋଇ ପାରିବ ।