ଜୁଏଲ ଓରାମଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ : ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ଗୌରୀ ମୁଣ୍ଡାରୀ

ସାଂସଦ ଜୁଏଲ ଓରାମଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗୌରୀ ମୁଣ୍ଡାରୀ ।

ଅଶାଳୀନ ଭାଷାରେ ସାଂସଦ ଗାଳି ଗୁଲଜ କରିଥିବା ଅଭିଯୋଗ

News Summary

ଅଶାଳୀନ ଭାଷାରେ ସାଂସଦ ଗାଳି ଗୁଲଜ କରିଥିବା ଅଭିଯୋଗ

୧୫ ଦିନ ଭିତରେ ରିପୋର୍ଟ ଦେବାକୁ ଏସ୍ପିଙ୍କୁ କମିଶନ ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶ

ସାଂସଦ ଜୁଏଲ ଓରାମ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ଗୌରୀ ମୁଣ୍ଡାରୀ । ରାଜନୀତି ପାଇଁ ତାଙ୍କର ଆଗ୍ରହ ଥିବାରୁ ପଞ୍ଚାୟତ ନିର୍ବାଚନରେ ସୁଯୋଗ ଦେବାକୁ ସେ ସାଂସଦଙ୍କୁ ଅନୁରୋଧ କରିଥିଲେ । ତାଙ୍କୁ ଉତ୍ସାହିତ କରିବା ବଦଳରେ ଅଶାଳୀନ ଭାଷାରେ ସାଂସଦ ଗାଳି ଗୁଲଜ କରିଥିବା ଗୌରୀ ଅଭିଯୋଗ କରିଛନ୍ତି । ଏନେଇ ପ୍ରଥମେ ସେ ଥାନାରେ ଅଭିଯୋଗ କରିଥିଲେ, କିନ୍ତୁ ଅଭିଯୋଗକୁ ଗୁରୁତ୍ୱ ଦିଆନଯିବାରୁ ବାଧ୍ୟହୋଇ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି କହିଛନ୍ତି ।

ଗୌରୀ ଗତ ୨୫ ତାରିଖରେ ଗଣମାଧ୍ୟମରୁ ଖବର ଜାଣିବା ପରେ ମହିଳା କମିଶନ ନିଜ ଆଡୁ ଏକ ମାମଲା ରୁଜୁ କରିଥିବା ସୂଚନା ଦେଇଛନ୍ତି । ଆସନ୍ତା ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଆବଶ୍ୟକ ହେଲେ ଅପରପକ୍ଷଙ୍କୁ କମିଶନ ନୋଟିସ କରିପାରନ୍ତି ବୋଲି କହିଛନ୍ତି । ତେବେ ଏନେଇ ଜୁଏଲ ଓରାମଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ତେବେ ସଂପୃକ୍ତ ଯୁବତୀ ଗତ ୨୪ ତାରିଖରେ ରାଉରକେଲା ସେକ୍ଟର ୩ ନମ୍ବର ବିଜେପି ଅଫିସରେ ଭଙ୍ଗାରୁଜା କରିଥିବା ନେଇ ବିଜେପି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । କୌଣସି ଏକ ନିର୍ଦ୍ଧିଷ୍ଟ ପାର୍ଟି ଦ୍ୱାରା ଏଭଳି ଆୟୋଜନ କରାଯାଇଥିବା କୁହାଯାଇଥିଲା । ସଂପୃକ୍ତ ଯୁବତୀ ଜୁଏଲଙ୍କୁ ବଦନାମ କରିବାକୁ ଏଭଳି କରୁଛନ୍ତି ବୋଲି ପୂର୍ବରୁ କହିଥିଲା ବିଜେପି । ଯୁବତୀଙ୍କ କହିବା ଅନୁସାରେ ସରପଞ୍ଚ ପ୍ରାର୍ଥୀ ଭାବେ ସେ ଛିଡ଼ା ହେଉଥିବାରୁ ସମର୍ଥନ ପାଇଁ ଜୁଏଲ୍‌ଙ୍କୁ କହିଥିଲେ । ତେବେ ଜୁଏଲ୍ ତାଙ୍କୁ ସହଯୋଗ ବଦଳରେ ଫୋନ୍‌ରେ ଗାଳିଗୁଲଜ କରିଥିଲେ ।