Advertisment

ଏକାସଙ୍ଗେ ଗୋଟିଏ ବାଇକ୍‌ରେ ୧୨୫୦ କିଲୋମିଟର ବୁଲିଲେ ୨୫ ଚାଷୀ !

ବସ୍‌ର ଯେଉଁ ନମ୍ବର ଦିଆଯାଇଛି, ବାସ୍ତବରେ ସେଇଟା ହେଉଛି ଗୋଟିଏ ପଲସର ମୋଟର ସାଇକେଲ୍‌ର।

ଅଦ୍ୟତନ ହୋଇଛି
undefined

FAKE FARMER

Advertisment

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, ଯେଉଁଠି କଲମ ଚାଷରେ ସବୁ ଅସମ୍ଭବ ସମ୍ଭବ କେମିତି ? ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ହାତଲେଖା ଏ ତଥ୍ୟ ଉପରେ ନଜର ପକାନ୍ତୁ: ୨୦୧୬ ଆର୍ଥିକ ବର୍ଷରେ କୃଷିକ୍ଷେତ୍ର ପରିଭ୍ରମଣ ପାଇଁ ଖୋର୍ଦ୍ଧା ଜିଲ୍ଲା ଆତ୍‌ମା ପକ୍ଷରୁ, ବାଣପୁର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରକୁ ଆସିଥିଲା ୩୦ ହଜାର ଟଙ୍କା। ଯେଉଁ ଟଙ୍କାରେ ୧୦୦ ଚାଷୀ ବୁଲି ଯାଇଥିଲେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କୃଷିମେଳା। ସେହିପରି ୨୦୧୭ ବର୍ଷ ପାଇଁ ୧୫୦ ଚାଷୀଙ୍କ ପରିଭ୍ରମଣ ପାଇଁ ଆସିଥିଲା ଲକ୍ଷେ ୩୦ ହଜାର ଟଙ୍କା। ସେଥିରୁ ରାଜ୍ୟସ୍ତରୀୟ କୃଷିମେଳା ପରିଦର୍ଶନ ପାଇଁ ୩୦ ହଜାର ଟଙ୍କାରେ ଭୁବନେଶ୍ୱର ଗଲେ ୧୦୦ ଚାଷୀ। ୫୦ ହଜାର ଟଙ୍କାରେ ବଲାଙ୍ଗିର ବୁଲିଗଲେ ୨୫ ଚାଷୀ। ବାକି ୫୦ ହଜାର ଟଙ୍କାରେ ଅନୁଗୁଳ, ଢେଙ୍କାନାଳ ଓ ଫୁଲବାଣୀ ଗଲେ ଆଉ ୨୫ ହିସାବ ବରାବର।

Advertisment

ହେଲେ ଏଇଠି ଅସଲ ଆଶ୍ଚର୍ଯ୍ୟ- ସୂଚନା ଅଧିକାର ତଥ୍ୟ ଅନୁଯାୟୀ, ୨୦୧୬ରେ ଯେଉଁ ଶହେ ଚାଷୀ ଖୋର୍ଦ୍ଧା ଯାଇଥିଲେ ସେ ଭିତରେ ଲିଷ୍ଟରେ ଥିଲେ ନନ୍ଦପୁର ପଞ୍ଚାୟତ ନନ୍ଦପୁର ଗାଁର ରମେଶ ଚନ୍ଦ୍ର  ପଣ୍ଡା, ପିତା ଭାଗିରଥି ପଣ୍ଡା। ହେଲେ ସେ କହୁଛନ୍ତି- ମୁଁ କେବେ ଯାଇନି।

ରମେଶ ତ କେବେ ଯାଇ ନାହାନ୍ତି ଏ ତାଲିକାରେ କିନ୍ତୁ ଥିବା ଆଉ କିଛି ନାଁ ଆପଣଙ୍କ ମୁଣ୍ଡ ଘୁରେଇ ଦେବ। ବାପା ଜଣିଏ ଭାଗିରଥି ପଣ୍ଡା, ହେଲେ ରମେଶଙ୍କର ବାକି ୧୦ ଭାଇ ଭିତରୁ କାହାର ଟାଇଟେଲ୍ ଜାନୀ, ଭୋଇ, ନାୟକ, ଷଡ଼ଙ୍ଗୀ..ଯେମିତି ଏକଦମ୍ ବେହିସାବ ଦୁର୍ନୀତି ଚାଷ...।

Advertisment

ଏବେ ୨୦୧୭କୁ ଆସନ୍ତୁ, ତଥ୍ୟ ଅନୁଯାୟୀ ସେହିବର୍ଷ ସେପ୍ଟେମ୍ବର ୭ରୁ ୧୧ ତାରିଖରେ OD02J 7415  ନାମକ ବସ୍‌ରେ ବଲାଙ୍ଗିର ଏକ୍ସପୋଜର ଭିଜିଟ୍‌ରେ ଯାଇଥିଲେ ୨୫ ଚାଷୀ। ଏଥିପାଇଁ କିଲୋମିଟର ପିଛା ୨୮ ଟଙ୍କା ହିସାବରେ ୧୨୫୦ କିଲୋମିଟରକୁୁ ବାଲୁଗାଁ ଗୋପୀନାଥପୁର ଛକରେ ଥିବା ବୁବୁ ଟ୍ରାଭେଲ ଆଣ୍ଡ କମ୍ୟୁନିକେସନକୁ ୩୫ ହଜାର ଟଙ୍କାର ବସ୍ ଭଡ଼ା ଦିଆଯାଇଛି। ହେଲେ କୌତୁହଳର କଥା ହେଉଛି ବସ୍‌ର ଯେଉଁ ନମ୍ବର ଦିଆଯାଇଛି, ବାସ୍ତବରେ ସେଇଟା ହେଉଛି ଗୋଟିଏ ପଲସର ମୋଟର ସାଇକେଲ୍‌ର। ଯେଉଁ ଟ୍ରାଭେଲ୍ସ ନାଁରେ ବିଲ୍ ହୋଇଛି ତାର ବି ଖଣ୍ଡମଣ୍ଡଳରେ ଅସ୍ତିତ୍ୱ ହିଁ ନାହିଁ...ତେଣୁ ସତ କଣ ସବୁ ଜଳ ଜଳ।

ଦୁର୍ନୀତି ପୁଣି, ଅନ୍ଧାଧୁନିଆ ବ୍ୟବସ୍ଥାକୁ ଡର, ଭୟ ଯେମିତି କିଛି ନାହିଁ। ତେବେ ବାଣପୁର ବ୍ଲକ୍‌ରେ ଏସବୁ ଭୂତ ଭ୍ରମଣ ହେଇଛି। ସେତେବଳର ସହକାରୀ କୃଷି ଅଧିକାରୀ ମୋନାଲିସା ମିଶ୍ରଙ୍କ ଅମଳରେ ହେଲେ ତାଙ୍କ ସମୟର ଏ ଆଖିବୁଜା ଦୁର୍ନୀତି ନେଇ ମୋନାଲିସାଙ୍କ ପ୍ରତିକ୍ରିୟା ମିଳିନଥିଲା ବେଳେ, ଘଟଣା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିବା ବର୍ତ୍ତମାନର କୃଷି ଅଧିକାରୀ କହିଛନ୍ତି ଏ ବାବଦରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଯିବ।

Advertisment

ଦୁର୍ନୀତିଖୋର ସରକାରୀ ଅଧିକାରୀଙ୍କ ପାଇଁ ତୃଣମୂଳ ସ୍ତରରେ ସରକାରଙ୍କ ଏ ମାଳ ମାଳ ଯୋଜନା ଲୋକଙ୍କ ପାଖରେ କେମିତି ପହଞ୍ଚୁଛି, ଦୁର୍ନୀତି ରୋକିବାକୁ ଉପର ସ୍ତରର ବ୍ୟବସ୍ଥା କେତେ ସଶକ୍ତ, ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ବାଣପୁର କୃଷି କାର୍ଯ୍ୟାଳୟ ତାର ଏକ ବଡ଼ ନମୁନା।

(ରିପୋର୍ଟ: ଶକ୍ତିପ୍ରସାଦ ମହାପାତ୍ର)

Farmer RTI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ