ASI ସଂରକ୍ଷିତ ଐତିହ୍ୟସ୍ଥଳକୁ ସ୍ୱତନ୍ତ୍ର ଦିନରେ ମାଗଣା ଦର୍ଶନ ବ୍ୟବସ୍ଥା

ପୁରାତନ କୀର୍ତ୍ତିରାଜିର ମାଗଣା ଦର୍ଶନ ପାଇଁ ASIର ସ୍ୱତନ୍ତ୍ର ବ୍ୟବସ୍ଥା । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳକୁ ସ୍ୱତନ୍ତ୍ର ଦିବସ ଗୁଡ଼ିକରେ ମାଗଣାରେ ପରିଭ୍ରମଣ କରିବେ ପର୍ଯ୍ୟଟକ ।

କୋଣାର୍କ ସୂର୍ଯ୍ୟମନ୍ଦିର

ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ASI ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳକୁ ସ୍ୱତନ୍ତ୍ର ଦିନରେ ମାଗଣା ଦର୍ଶନ ବ୍ୟବସ୍ଥା । ଦେଶର ଭିନ୍ନ ଭିନ୍ନ ପୁରାତନ କୀର୍ତ୍ତିରାଜୀ ଲାଗି ସର୍ବସାଧାରଣଙ୍କ ଦର୍ଶନକୁ କିଛି ନିର୍ଦ୍ଦିଷ୍ଟ ଦିନ ଲାଗି ଦେୟମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ASI । ଏନେଇ ASI ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ନିର୍ଦ୍ଦେଶନାମା ଅନୁସାରେ ମାର୍ଚ୍ଚ ୮ ଆନ୍ତର୍ଜାତିକ ମହିଳା ଦିବସରେ ଦେଶର ସମସ୍ତ ଐତିହ୍ୟସ୍ଥଳକୁ ମାଗଣାରେ ପରିଦର୍ଶନ କରିହେବ ।

ଏପ୍ରିଲ ୧୮ ବିଶ୍ୱ ଐତିହ୍ୟ ଦିବସରେ ମଧ୍ୟ ସମସ୍ତ ଐତିହ୍ୟସ୍ଥଳକୁ ବିନା ଟିକେଟରେ ପ୍ରବେଶ କରିହେବ । ଅନ୍ୟପଟେ ପ୍ରତିବର୍ଷ ନଭେମ୍ବର ୧୯ ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଦେୟମୁକ୍ତ ରହିବ ASI ଦ୍ୱାରା ସଂରକ୍ଷିତ ସମସ୍ତ ଐତିହ୍ୟସ୍ଥଳ । ଶାମ୍ବ ଦଶମୀରେ ଗୋଟିଏ ଦିନ ଓ ମାଘ ସପ୍ତମୀରେ ଦୁଇ ଦିନ ଲାଗି କୋଣାର୍କ ସୂର୍ଯ୍ୟମନ୍ଦିର ଦର୍ଶକଙ୍କ ପାଇଁ ବିନା ଦେୟରେ ଉନ୍ମୁକ୍ତ ରହିବ ।

ଭୁବନେଶ୍ୱର ରାଜାରାଣୀ ମନ୍ଦିର ଲାଗି ରାଜା ରାଣୀ ମ୍ୟୁଜିକ ଫେଷ୍ଟିଭାଲରେ ତିନି ଦିନ ଏବଂ ମୁକ୍ତେଶ୍ୱର ମନ୍ଦିର ଲାଗି ମୁକ୍ତେଶ୍ୱର ଡ୍ୟାନ୍ସ ଫେଷ୍ଟିଭାଲ ଅବସରରେ ଦୁଇ ଦିନ ଦର୍ଶନାର୍ଥୀଙ୍କ ପାଇଁ ଦେୟମୁକ୍ତ ରହିବ ବୋଲି ASI ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।