ଭୋକରେ ପେଟ ଜଳିଲାଣି..ଖାଇବାକୁ କିଛି ନାହିଁ

ଭୋକ ଉପାସରେ ଛଟପଟ ହେଉଛନ୍ତି ବନ୍ୟା ପ୍ରଭାବିତ । ଘରେ ପାଣି ପଶିଯିବାରୁ ଖାଇବାକୁ ଆଉ କିଛି ନାହିଁ କି ରିଲିଫ୍‌ ବି ପହଞ୍ଚିନି । ଏବେ କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ...ଜୀବନ ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ

Bhadrak Flood

ବନ୍ୟାରେ ଘରେ ପାଣି ପଶିଗଲା, ଅଧ ରାତିରେ କେମିତି ଯିବେ? କୁଆଡ଼େ ଯିବେ? କିଛି ଭାବିପାରିଲେ ନାହିଁ । ବୟସାଧିକ କାରଣରୁ ସ୍କୁଲ ଘରେ ସିନା ଆଶ୍ରୟ ନେଇ ଗଲେ ହେଲେ ଭୋକ ଉପାସରେ ଏବେ ଦିନ କଟୁଛି । ସରକାରଙ୍କ ପକ୍ଷରୁ ଖାଇବାକୁ ମିଳୁନି କି କିଛି ମିଳୁନି । ଏମିତି ସ୍ଥିତିରେ କେମିତି ବଂଚିବୁ ବୋଲି ପ୍ରଶ୍ନ କରିଛନ୍ତି ବୁଢୀ ମାଉସୀ ଜଣକ ।

ବନ୍ୟାରେ ଉବୁଟୁବୁ ଭଦ୍ରକ । ଏବେ ବି ସ୍ଥିତିରେ ସେମିତି କିଛି ବିଶେଷ ସୁଧାରି ନାହିଁ । ବିପଦ ସଂକେତ ଉପରେ ବୈତରଣୀ ପ୍ରବାହିତ ହେଉଛି । ଆଖୁଆପଦାଠାରେ ବିପଦ ସଂକେତ 17.83 ଥିବା ବେଳେ ସକାଳ ୭ଟା ସୁଦ୍ଧା ୧୮.୩୮ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଥିଲା । ତେଣୁ ତଳିଆ ଅଂଚଳରେ ଏବେ ସ୍ଥିତି ସଙ୍ଗୀନ ହେଲାଣି । ବନ୍ୟାରେ ଭାସିଯାଉଥିବା ବେଳେ NDRF ଟିମ୍‌ ଧାମନଗର ଫଳପୁରରୁ ୮ ଜଣଙ୍କୁ ଉଦ୍ଧାର କରିଛି । ହେଲେ ଏବେ ବି ଅନେକ ପଞ୍ଚାୟତ ଜଳବନ୍ଦୀ ହୋଇ ରହିଛି । ଖାଲି ବୈତରଣୀ ନୁହେଁ ସାଳନ୍ଦୀରେ ବି ବନ୍ୟାସ୍ଥିତି ଦେଖାଗଲାଣି । ପାଣି ଆସିବା ଯୋଗୁଁ ଭଦ୍ରକ ବ୍ଲକର ୨ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି । ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ।

ମୋଟ୍‌ ଉପରେ ଧୀରେ ଧୀରେ ବିଗୁଡ଼ୁଛି ଭଦ୍ରକ ସ୍ଥିତି । ବନ୍ୟାଜଳରେ ଭଦ୍ରକର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଅସୁରାଳ ବଜାର ଉପରେ ୩ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଥିଲା । ବନ୍ୟାଜଳ ପ୍ରବାହିତ ହେତୁ ଆଖଣ୍ଡଳମଣୀକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତେଣୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । ହେଲେ ବନ୍ୟା ପ୍ରଭାବିତ ଅଂଚଳରେ ଏବେ ଯାଏଁ ସରକାରୀ ରିଲିଫ୍‌ ପହଞ୍ଚିନଥିବାରୁ ଲୋକଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ ।