ସରକାରୀ ବିହନକୁ ଭରସା କରି ଚାଷୀ ହତାଶ : ଗାଈଗୋରୁଙ୍କ ଚରା ଭୂଇଁ ପାଲଟିଛି ବିରି କ୍ଷେତ

ଦୂରରୁ ଦେଖିଲେ ପେଟ ପୁରୁଛି, ହେଲେ ଅସଲି ଚିତ୍ର ଚାଷୀଙ୍କ ପେଟକୁ ନାତ ମାରିଛି

ଧୋକାଦେଲା ସରକାରୀ ବିରି ବିହନ

News Summary

ଗଛରେ ନା ଆସିଲା ଫୁଲ ନା ଧରିଲା ଫଳ

କୋରାପୁଟରେ ଆଳୁ ଚାଷୀଙ୍କୁ ମିଳୁନି ଉପଯୁକ୍ତ ମୂଲ୍ୟ

ଆନନ୍ଦପୁର,କୋରାପୁଟ(ପ୍ରଣୟ ପାମି ଓ ସୂର୍ଯ୍ୟ ନାରାୟଣ ପଣ୍ଡା) : ଧୋକାଦେଲା ସରକାରୀ ବିରି ବିହନ । ସରକାରୀ ବିହନକୁ ଭରସା କରି ସର୍ବସ୍ୱ ହରାଇଲା ଚାଷୀ । ବିରି ବୁଣିବା ପରେ ଭଲ ଗଛ ହେଲା, ହେଲେ ଗଛରେ ନା ଧରିଲା ଫୁଲ ନା ଫଳିଲା ଫଳ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସରେଇଁ ଗାରୁ ଆସିଛି ଏଭଲି ଅଭିଯୋଗ । ସେପଟେ କୋରାପୁଟ ଜିଲ୍ଲାରେ ଏବର୍ଷ ଭଲ ଆଳୁ ଫସଲ ହୋଇଛି, ହେଲେ ବଜାରରେ ଚାହିଦା ନଥିବାରୁ ଏବେ ହତାଶ ହୋଇଛନ୍ତି ଆଦିବାସୀ ଚାଷୀ ।

ଆନନ୍ଦପୁର ଉପଖଣ୍ଡ ସରେଇଁ ଗାଁରେ ସବୁଜ ବର୍ଣ୍ଣରେ ଭରି ରହିଛି । ଦୂରରୁ ଦେଖିଲେ ପେଟ ପୁରୁଛି, ହେଲେ ଅସଲି ଚିତ୍ର ଚାଷୀଙ୍କ ପେଟକୁ ନାତ ମାରିଛି । ବିରି ଫସଲ ଚଳିତ ବର୍ଷ ଆରମ୍ଭରୁ ବର୍ଷା ଅଭାବରୁ ଚାଷୀ ଧାନ ଚାଷରେ କ୍ଷତି ସହିଥିଲେ, ଏହାପରେ ଏହାକୁ ଭରଣା କରିବା ଲାଗି ବିରି ଚାଷ କରିବାକୁ ଅଣ୍ଟା ଭିଡିଥିଲେ । ସରକାରୀ ବିହନ ଆଣି କ୍ଷେତରେ ବୁଣିଲେ, ଭଲ ଗଛ ବି ହେଲା, ହେଲେ ଗଛରେ ନା ଆସିଲା ଫୁଲ ନା ଧରିଲା ଫଳ । ସମୟାନୁସାରେ ବିରି ଉତ୍ପାଦନ ନହେବାରୁ ଏବେ ଗାଈ ଗୋରୁଙ୍କ ଚରା ଭୂଇଁ ପାଲଟିଛି ବିରି କ୍ଷେତ । ସେପଟେ ବିରି ବିହନର ନୂତନ କିସମ ଭଲ ଥିଲା, ଚାଷୀମାନେ ସଠିକ ରକ୍ଷଣାବେକ୍ଷଣ କରି ନପାରିବାରୁ ଏଭଳି ହୋଇଥିବା କହିଛନ୍ତି ଘଷିପୁରା କୃଷି ଅଧିକାରୀ ।

ସେପଟେ କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ । ଚଳିତ ବର୍ଷ ଉପାନ୍ତ ଓ ପାହାଡ଼ଇା ଅଞ୍ଚଳରେ ହୋଇଛି ଭଳ ଅଳୁ ଫସଲ ଦେଶୀ ଆଳୁ ଠାରୁ ଆରମ୍ଭ କରି ନାଲି ଆଳୁ ଆଉ ଛୋଟ ଆଳୁ ଭଲ ଉତ୍ପାଦନ ହୋଇଛି । ହେଲେ ବଜାରରେ ମିଳୁନି ସଠିକ୍ ଦର । ଚାହିଦା କମିଥିବାରୁ ଆଳୁ କିଲୋ ପିଛା ୮ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛି ଚାଷୀ । ଚଳିତ ବର୍ଷ ଚାଷୀ ପଞ୍ଜାବ ଓ କୋଲକାତାରୁ ବିହନ ଆଣି ଚାଷ କରିଥିବାରୁ ଭଲ ଫତ୍ପାଦନ ହୋଇଛି । ହେଲେ ଆଳୁ ଗଚ୍ଛିତ ରଖିବାକୁ ଭିତ୍ତଭୂମୀ ନଥିବାରୁ ଏଭଳି ସ୍ଥିତି ଉପୁଜିଛି । ସେପଟେ ଚାଷୀଙ୍କ ଆଳୁବିକ୍ରି ଲାଗି ଶୀଘ୍ର ବଜାରିକରଣ ବ୍ୟବସ୍ଥା ହେବ ବୋଲି କହିଛନ୍ତି ଅତିରିକ୍ତ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ।

ଗୋଟିଏ ପଟେ ଆନନ୍ଦପୁର ବ୍ଲକରେ ବିରି ଚାଷରେ ଚାଷୀଙ୍କ କ୍ଷତି ତ ଅନ୍ୟପଟେ ଭଲ ଉତ୍ପାଦନ ପରେ ବି କୋରାପୁଟିଆ ଆଳୁ ଚାଷୀଙ୍କୁ ମିଳୁନି ଉପଯୁକ୍ତ ମୂଲ୍ୟ । ଏଭଳି ସ୍ଥିତିରେ ଚାଷୀଙ୍କୁ ସହାୟକ ହେବା ଭଳି ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ।