ଫସଲବୀମା ଅର୍ଥରାଶୀ ଓ ନୂତନ ବୀମା ଲାଗି ପଞ୍ଜିକୃତ କରୁନି ସମବାୟ ସମିତି: ଚିନ୍ତାରେ ଚାଷୀ

ହଳଦିଢିହ ଓ ଆଉଁରୀ ପଂଚାୟତର ସମବାୟ ସମିତି ଗୋଟିଏ ହୋଇଥିବାରୁ ପକ୍ଷପାତିତା କରି ସମବାୟ ସମିତି ସମ୍ପାଦକ ଏଭଳି ହଇରାଣ ହରକତ କରୁଥିବା ଚାଷୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି

JAJPUR FARMER

News Summary

ପ୍ରଶାସନ ନଶୁଣିଲେ ଆନ୍ଦୋଳନ

ଚିନ୍ତାରେ ଶତାଧିକ ଚାଷୀ

ଯାଜପୁର(ସଂଜୀବ ନାୟକ): ଚାଷୀଙ୍କୁ ମିଳୁନି ଫସଲବୀମା ଅର୍ଥରାଶୀ ଓ ନୂତନ ବୀମା ଲାଗି ପଞ୍ଜିକୃତ କରୁନି ସମବାୟ ସମିତି । ଯାହାଫଳରେ ଶହ ଶହ ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ତେବେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ହଳଦିଢିହ ଗ୍ରାମର ଶତାଧିକ ଚାଷୀ । ଗୋଟିଏ ପଟେ ବନ୍ୟା ଓ ଅନ୍ୟପଟେ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ଭୋଗୁଥିବା ଚାଷୀଙ୍କୁ ସମବାୟ ସମିତି ବୀମା ଭୁକ୍ତ କରୁନଥିବା ବେଳେ ଚାଷ ଲାଗି ଆସୁଥିବା ସମସ୍ତ ସରକାରୀ ସହାୟତାରୁ ବଂଚିତ କରୁଥିବା ଅଭିଯୋଗ କରିଛନ୍ତି ଚାଷୀ । ହଳଦିଢିହ ଓ ଆଉଁରୀ ପଂଚାୟତର ସମବାୟ ସମିତି ଗୋଟିଏ ହୋଇଥିବାରୁ ପକ୍ଷପାତିତା କରି ସମବାୟ ସମିତି ସମ୍ପାଦକ ଏଭଳି ହଇରାଣ ହରକତ କରୁଥିବା ଚାଷୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି । ଆଉ ଘଟଣାରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ ନକଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ। ସେପଟେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଏହି ସମସ୍ୟାର ସମାଧାନ ପାଇଁ ସମବାୟ ସମିତି ସହକାରୀ ନିବନ୍ଧକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପାଣି ଅଭାବରୁ ଜମି ପଡିଆ ପଡିଛି । ଚାଷ କେମିତି ହେବ ତାହା ଜଳଜଳ ଦିଶୁଛି। କିନ୍ତୁ ପ୍ରତିବର୍ଷ ନିଜ ଜମିରେ ଫସଲ ବୀମା କରୁଥିବା ଚାଷୀ ସମବାୟ ସମିତିର ଅବହେଳା କାରଣରୁ ଚଳିତ ବର୍ଷ ବଂଚିତ ହୋଇଛନ୍ତି । ବିଂଝାରପୁର ବ୍ଲକ ହଳଦିଢିହ ପଂଚାୟତର ଶହ ଶହ ଏକର ଚାଷଜମି ଚଳିତ ବର୍ଷ ବୀମା ଯୋଜନାରେ ଅର୍ନ୍ତଭୁକ୍ତ ହୋଇପାରିନାହିଁ । ଚାଷୀଙ୍କୁ ବୀମା କରାଇବା ପାଇଁ ସମବାୟ ସମିତି ପକ୍ଷରୁ ମାଇକ ମାଧ୍ୟମରେ ପ୍ରଚାର କରାଯାଇଥିଲା। କିନ୍ତୁ ଚାଷୀ କାଗଜପତ୍ର ନେଇ ସମବାୟ ସମିତି ଗଲେ ସମ୍ପାଦକ ସେମାନଙ୍କୁ ସହଯୋଗ କରିବା ପରିବର୍ତ୍ତେ ଅସହଯୋଗ କରୁଛନ୍ତି । ଚାଷ ଉପରେ ନିର୍ଭର କରି ବଂଚୁଥିବା ଚାଷୀ ଚାଷଜନିତ କ୍ଷତି ପୂରଣ ପାଇବାକୁ ବଂଚିତ ହେବେ ବୋଲି ଅଭିଯୋଗ ମଧ୍ୟ କରିଛନ୍ତି । କେବଳ ସେତିକି ନୁହେଁ ଗତ ବର୍ଷ ବନ୍ୟାରେ କ୍ଷତି ହୋଇଥିବା କ୍ଷତିପୂରଣ ରାଶୀ ବ୍ୟାଙ୍କକୁ ଆସିଥିଲେ ମଧ୍ୟ ତାହା ସମିତି ଆଜି ଯାଏଁ ପ୍ରଦାନ କରିନଥିବା ଚାଷୀ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ଅଂଚଳର ଚାଷ ଜମିକୁ ବୀମା ଭୁକ୍ତ କରାଇବା ଏବଂ ବକେୟା କ୍ଷତି ପୂରଣ ଅର୍ଥରାଶୀକୁ ଦେବାକୁ ଦାବୀ କରିଛନ୍ତି ହଳଦିଢିହ ଅଂଚଳର ଚାଷୀ ।

ଏଠାରେ କହିରଖୁଛୁ, ହଳଦିଢିଅ ପଂଚାୟତର ଧାନ ଚାଷଜମି ଗୁଡିକ ଅଣଜଳସେଚିତ ଅଂଚଳ । ଏଠାରେ ସରକାରୀ ସ୍ତରରେ ଜଳ ସେଚିତ କରାଯିବାର କୌଣସି ବ୍ୟବସ୍ଥା ହୋଇନାହିଁ । ଚାଷ ଲାଗି କେବଳ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି ଚାଷୀ । ବର୍ଷା ନହେଲେ ଚାଷ ଉଜୁଡିଯିବାର ସମ୍ଭାବନା ଥିବା ବେଳେ ବର୍ଷା ଦିନେ ଆସୁଥିବା ବନ୍ୟା ସବୁ କିଛି ଧୋଇ ନେଇଥାଏ । ଫସଲ ବୀମା ଚାଷୀ ମାନଙ୍କର କେବଳ ସାହା ଭରସା ହୋଇଥିବା ବେଳେ ସମବାୟ ସମିତି ଚାଷୀଙ୍କୁ ବିମାଭୁକ୍ତ ନକରାଇବା ଭଳି କାର୍ଯ୍ୟ ଚାଷୀଙ୍କୁ ହତାଶ କରିଛି । ଏହି ସମସ୍ୟା ନେଇ ବାରମ୍ବାର ସମବାୟ ସମିତି କାର୍ଯ୍ୟାଳୟକୁ ଚାଷୀ ଦୌଡୁଥିଲେ ବି ସମ୍ପାଦକ କର୍ଣ୍ଣପାତ କରୁନଥିବା ଚାଷୀ କହିଛନ୍ତି । ତେଣୁ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି । ପ୍ରଶାସନ ହସ୍ତକ୍ଷେପ କରି ଚାଷୀଙ୍କ ଏହି ସମସ୍ୟାର ସମାଧନ କରିବାକୁ ଦାବୀ କରିଛନ୍ତି । ସେପଟେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଚାଷୀ ଆଣିଥିବା ଅଭିଯୋଗ ଓ ସେମାନଙ୍କ ସମସ୍ୟାର ସମାଧାନ ଲାଗି ସମବାୟ ସମିତି ସହକାରୀ ନିବନ୍ଧକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନ ତୁରନ୍ତ ଚାଷୀଙ୍କ ବକେୟା ଅର୍ଥରାଶୀ ପ୍ରଦାନ ଓ ଚଳିତ ବର୍ଷ ବୀମା ଭୁକ୍ତ କରାଇବା କ୍ଷେତ୍ରରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।