୫୩ ଗେଷ୍ଟ ଫ୍ୟାକଲ୍ଟିଙ୍କୁ ଛଟେଇ; ଧାରଣାରେ ବସିଲେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

ନାହିଁ ନାହିଁରେ ଚାଲିଛି ବ୍ରହ୍ମପୁରର ପୁରାତନ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ । ଅଧ୍ୟାପକ ମରୁଡ଼ି ପଡିଥିବାବେଳେ ୧୮ଟି ବିଭାଗରେ ୮୮ଟି ପୋଷ୍ଟରୁ ମାତ୍ର ୨୨ ଜଣ ସ୍ଥାୟୀ ଅଧ୍ୟାପକ ଏବଂ ବଳକା ଗେଷ୍ଟ ଫ୍ୟାକଲ୍ଟିରେ ଚାଲୁଛି କଲେଜ ।

Faculty crunch hits Khallikote University

ବିଶ୍ୱବିଦ୍ୟାଳୟରେ ଅଭାବନୀୟ ପରିସ୍ଥିତି । ନାହିଁ ନାହିଁରେ ଚାଲିଛି ବ୍ରହ୍ମପୁରର ପୁରାତନ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ । ଦୀର୍ଘ ଦିନ ହେଲା ଅଧ୍ୟାପକ ମରୁଡ଼ି ପଡିଥିବାବେଳେ ୧୮ଟି ବିଭାଗରେ ୮୮ଟି ପୋଷ୍ଟରୁ ମାତ୍ର ୨୨ ଜଣ ସ୍ଥାୟୀ ଅଧ୍ୟାପକ ଏବଂ ବଳକା ଗେଷ୍ଟ ଫ୍ୟାକଲ୍ଟିରେ ଚାଲୁଛି କଲେଜ । ହେଲେ ୫୩ ଗେଷ୍ଟ ଫ୍ୟାକଲ୍ଟି ଛଟେଇ ଚିଠି ନେଇ ବଢୁଛି ଅସନ୍ତୋଷ ।

ସୂଚନା ଅନୁସାରେ, ମୋଟ ୧୮ଟି ବିଭାଗ ପାଇଁ ରହିଛି ୮୮ ପଦବୀ ରହିଛି । ହେଲେ ସେଥିମଧ୍ୟରୁ ୫୬ଟି ପୋଷ୍ଟ ଫାଙ୍କା ଅଛି । ୨୨ ସ୍ଥାୟୀ ଅଧ୍ୟାପକ ପଦବୀ ଥିବାବେଳେ ୯ଜଣ ଆଡହକ୍ ଅଧ୍ୟାପକ ପଢ଼ାଉଛନ୍ତି । ଏମିତିକି କିଛି ବିଭାଗରେ କେହି ବି ଅଧ୍ୟାପକ ନାହାନ୍ତି । ସେହି ବିଭାଗଗୁଡ଼ିକୁ ଅତିଥି ଅଧ୍ୟାପକ ଚଳାଉଥିଲେ । କିନ୍ତୁ କୌଣସି ପୂର୍ବ ସୂଚନା ନଥାଇ ମେ ୧ ତାରିଖରୁ ରାତି ଅଧିଆ ଛଟେଇ ନେଇ ସେମାନଙ୍କୁ କେବଳ ଫୋନ୍ ଯୋଗେ କହି ଦିଆଯାଇଥିବାର ଅଭିଯୋଗ ହୋଇଛି ।

ଅନ୍ୟପକ୍ଷ, ୫୩ ଜଣ ଗେଷ୍ଟ ଫ୍ୟାକଲ୍ଟିକୁ ରାତି ଅଧିଆ ଫୋନ୍ ଯୋଗେ ଛଟେଇକୁ ନେଇ ଚିନ୍ତାରେ ଏବେ ଛାତ୍ରଛାତ୍ରୀ । ଏହାସହ ତରବରିଆ ଇଣ୍ଟରଭ୍ୟୁ କରି ପୁଣି ଥରେ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବାକୁ ନେଇ ଉଠିଛି ବିରୋଧର ସ୍ୱର ।

ତେବେ ବିନା କୌଣସି କାଗଜ ପତ୍ରରେ କେବଳ ମୌଖିକ ଭାବେ ଏଭଳି କରାଯିବାକୁ ଶିକ୍ଷକମାନେ ବିରୋଧ କରିଛନ୍ତି । ଅତିଥି ଅଧ୍ୟାପକଙ୍କୁ ବାହାର କରିବା ଦ୍ୱାରା ପାଠ ପଢ଼ାରେ ବ୍ୟାଘାତ ହେବ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିବାସହ ବିଭିନ୍ନ ସଂଗଠନ ମଧ୍ୟ କଲେଜରେ ସ୍ଥାୟୀ ଅଧ୍ୟାପକ ନଥାଇ ଅତିଥି ଅଧ୍ୟାପକମାନଙ୍କୁ ବାହାର କରିଦେବା ପ୍ରତିବାଦରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ।

ଏନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି କହିଛନ୍ତି, ‘ଅତିଥି ଅଧ୍ୟାପକଙ୍କୁ ଚାକିରି ଦେବା ବେଳେ କୌଣସି କାଗଜପତ୍ର ଦିଆଯାଇନଥିଲା । ଫୋନ ଯୋଗେ ଡକରା ହୋଇଥିଲା, ତେଣୁ ଫୋନରେ କହି ବାହାର କରାଯାଇଛି । ଏବେ ପୁଣି ଅତିଥି ଅଧ୍ୟାପକମାନଙ୍କୁ ନିଯୁକ୍ତି ଦିଆଯାଇଛି । ତେଣୁ ପାଠ ପଢ଼ା ଠିକ୍‌ଠାକ୍ ହେବ ।’