Advertisment

ପିଛା ଛାଡୁନି ବିବାଦ; ସିସିଟିଭି ଲାଗିଛି, ଏଆଇ ଜଗିଛି...ତଥାପି ଇଂରାଜୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ !

ମାଟ୍ରିକ୍ ପରୀକ୍ଷା ପିଛା ଛାଡୁନି ବିବାଦ। ଇଂରାଜୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ହଇଚଇ। ଅଭିଭାବକଙ୍କ ଉଦବେଗ, ବୋର୍ଡ କର୍ତ୍ତୃପକ୍ଷଙ୍କ ଖଣ୍ଡନ। ସମୟ ଆଗରୁ ପ୍ରଶ୍ନପତ୍ର ଖୋଲାଯାଇଥିବା ଧରିଲା AI ।

undefined

English question paper leaked

Advertisment

କଡ଼ା ସୁରକ୍ଷା ବନ୍ଦୋବସ୍ତ, ପ୍ରଥମଥର ପାଇଁ AI ସର୍ଭେଲାନ୍ସ ବ୍ୟବସ୍ଥା ସତ୍ତ୍ବେ, ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ୍ ଅଭିଯୋଗକୁ ନେଇ ହଇଚଇ। ଘଟଣାକୁ ନେଇ ଅଭିଭାବକ ଉଦବେଗ ପ୍ରକାଶ କରିଥିଲା ବେଳେ ବିରୋଧୀ ଏନେଇ ସରକାରଙ୍କୁ ଘେରିବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ହେଲେ ବୋର୍ଡ କର୍ତ୍ତୃପକ୍ଷ କିନ୍ତୁ ଲିକ୍ କିମ୍ବା ଭାଇରାଲ୍ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିବା ସହ କେବଳ AI ଧରିଥିବା କିଛି ତ୍ରୁଟି ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି।

Advertisment

ମାଟ୍ରିକ୍ ପରୀକ୍ଷା ପିଛା ଛାଡୁନି ବିବାଦ। ସିସିଟିଭି ଲାଗିଛି, ଏଆଇ ଜଗିଛି । ତଥାପି ସବୁ ଆଖିରେ ଅନ୍ଧପୁଟୁଳି ବାନ୍ଧି କାଲି ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଘୂରିବୁଲିଲା ଇଂରାଜୀ ଭାଷାର ଉଭୟ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ପ୍ରଶ୍ନପତ୍ର, ତା ସାଙ୍ଗକୁ ଉତ୍ତର ବି । ପୁଣି ଗୋଟିଏ ନୁହେଁ ଚାରି ଚାରିଟି ସେଟର ପ୍ରଶ୍ନପତ୍ର, ସେହି ଅନୁଯାୟୀ ଉତ୍ତର । ସକାଳ 9ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ 8ଟା 14ରୁ ହ୍ବାଟସଆପ ଏବଂ ବିଭିନ୍ନ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଯାଇଥିଲା ପ୍ରଶ୍ନପତ୍ର। ତେବେ ସେତେବେଳେ ସତ ମିଛ ପରଖିବାର ଅବକାଶ ନଥିଲା, ଦ୍ବନ୍ଦ୍ବରେ ଥିଲେ ସମସ୍ତେ। ହେଲେ ସାଢ଼େ 11ଟାରେ ପରୀକ୍ଷା ସରିବା ପରେ ବୋର୍ଡ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନପତ୍ର ସହ ଭାଇରାଲ୍ ପ୍ରଶ୍ନପତ୍ର ସମ୍ପୂର୍ଣ୍ଣ ମେଳଖାଉଥିବା ଦେଖିବାକୁ ମିଳିବାରୁ ହଇଚଇ ଖେଳିଯାଇଥିଲା। ଉଦବେଗ ପ୍ରକାଶ କରିଥିଲେ ଅଭିଭାବକ। ହେଲେ ବୋର୍ଡ କର୍ତ୍ତୃପକ୍ଷ କିନ୍ତୁ ଏଭଳି ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିବା ସହ ବିଭ୍ରାନ୍ତ କରିବାକୁ କେହି ଏଭଳି କରିଥିବା ଓଟିଭିକୁ ଫୋନ୍ ଯୋଗେ କହିଛନ୍ତି।

ଏଠି ପ୍ରଶ୍ନ ଯଦି ଲିକ୍ ହୋଇନି, ସକାଳ 8ଟା 14ରୁ ପ୍ରଶ୍ନପତ୍ର ସୋସିଆଲ୍ ମିଡିଆକୁ ଆସିଲା କେମିତି ? ବଡ଼ କଥା ହେଉଛି ପ୍ରଶ୍ନପତ୍ର ଲିକ୍ କଥାକୁ ବୋର୍ଡ ଅସ୍ବୀକାର କରିଥିଲେ ବି ଯାଜପୁର ଜିଲ୍ଲା ଆଉଁରି ପଞ୍ଚାୟତ ଜିସି ହାଇସ୍କୁଲରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଥିବା ଏଆଇ ଧରିଛି। ୮ଟା ୩୦ରେ ପ୍ରଶ୍ନପତ୍ର ଖୋଲାଯିବାକୁ ଥିବା ବେଳେ ଏଠି ୮ଟା ୧୪ରେ ଖୋଲାଯାଇଥିଲା ପ୍ରଶ୍ନପତ୍ର। ସେହିପରି ଭଦ୍ରକର ମଦନମୋହନ ହାଇସ୍କୁଲରେ ମଧ୍ୟ ପ୍ରଶ୍ନପତ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ ଖୋଲାଯାଇଥିବା ଏଆଇ ନଜରରେ ଆସିଛି। ଯେଉଁଥିପାଇଁ ଏଇ ଦୁଇଟି ସେଣ୍ଟରର ସୁପରିନଟେଣ୍ଡେଣ୍ଟ ଭୁଲବଶତଃ ଏଭଳି କରିଥିବା ମାନିବାରୁ ସେମାନଙ୍କୁ ଚେତାବନୀ ଦିଆଯାଇଥିବା ବୋର୍ଡ ଉପସଭାପତି କହିଛନ୍ତି। ଏଠି ପ୍ରଶ୍ନ ଅଜ୍ଞତାରୁ ନା ଲିକ୍ ଉଦ୍ଦେଶ୍ୟରେ ଜାଣିଶୁଣି ଏପରି କରାଯାଇଛି । ପ୍ରାୟ ସାଢ଼େ ୫ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜଡ଼ିତ ଏ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପ୍ରତି ଏଭଳି ଦାୟିତ୍ବହୀନତା କିଭଳି ସମ୍ଭବ? ଏସବୁ ଘଟଣା ଲିକ୍ ଓ ଭାଇରାଲ୍ ସନ୍ଦେହକୁ ଦୃଢୀଭୂତ କରୁଥିଲା ବେଳେ ପ୍ରସଙ୍ଗକୁ ନେଇ ରାଜନୀତି ବି ତେଜିଛି। ବିଜେପି ଯୁବ ମୋର୍ଚ୍ଚା ଘଟଣାରେ ସରକାରଙ୍କ ଅପାରଗତାକୁ ଦାୟୀକରି ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ବେଳେ କଂଗ୍ରେସ ମଧ୍ୟ ପ୍ରଶ୍ନପତ୍ର ଲିକ୍ କରୁଥିବ ରାକେଟ୍ ସହ ସରକାର ମିଶିକି ଥିବା କହି ବର୍ଷିଛି । ତେବେ ଏନେଇ ବିଜେଡି କିମ୍ବା ଗଣଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

 ସେହିପରି ଇଂରାଜୀ ପରୀକ୍ଷା ସମୟରେ କେନ୍ଦୁଝର, ନବରଙ୍ଗପୁର ଓ ଗଜପତିର ଗୋଟିଏ ଲେଖାଏଁ ସ୍କୁଲରେ ହୋଇଥିବା ଏକାଧିକ ତ୍ରୁଟିକୁ ଏଆଇ ସାମ୍ନାକୁ ଆଣିବା ପରେ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ଦିଆଯାଇଛି। କେନ୍ଦୁଝର ସାହାରପଡ଼ା ହାଇସ୍କୁଲରେ କପି ହେଉଥିବାର ପ୍ରମାଣ ମିଳିବା ପରେ ସଂପୃକ୍ତ ସେଣ୍ଟର ସୁପରିନଣ୍ଟେଣ୍ଡେଣ୍ଟଙ୍କୁ ବଦଳାଯାଇଛି।

Matric Exam Question Paper Leak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ