ହାତୀ ଲାଗି ପିଲାଙ୍କ ପାଠ ପଢାରେ ବନ୍ଧାହେଲା ଡୋରି

ମଣିଷ ନୁହେଁ ହାତୀ ଲାଗି ପିଲାଙ୍କ ପାଠ ପଢାରେ ବନ୍ଧାହେଲା ଡୋରି । ଗାଁ ସ୍କୁଲରେ ସିନା ପାଠ ପଢୁଥିଲେ ପିଲା...ହେଲେ ସ୍କୁଲ ଦୂରକୁ ଯିବାରୁ ଏବେ ହାତୀ ଭୟରେ ଘରୁ ବାହାରୁନାହାନ୍ତି ଛାତ୍ରଛାତ୍ରୀ

hampers education

ହାତୀ ପାଇଁ ପିଲାଙ୍କ ପାଠ ପଢାରେ ଲାଗିଛି ଡୋରି । ଚଳିତବର୍ଷ ସ୍କୁଲ ଖୋଲା ହେବା ଦିନଠାରୁ ଥରେ ହେଲେବି ସ୍କୁଲରେ ପାଠ ପଢା ସମ୍ଭବ ହୋଇନି କି ପିଲାଏ ପାଠ ପଢିନାହାନ୍ତି । ଯାହାକୁ ନେଇ ପିଲାଙ୍କଠାରୁ ଅଭିଭାବକ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ତେଜିବାରେ ଲାଗିଲାଣି ଅସନ୍ତୋଷ । ସେଥିଲାଗି ତ ଏକାଠି ହୋଇ ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।

ରେଢାଖୋଲ ବ୍ଲକ ବଡମାଳ ପଚାଂୟତ ଖଇରଟାପ ଗାଁରେ ଅଭାବନୀୟ ଘଟଣା । ହାତୀ ଲାଗି ପିଲାଏ ପାଠ ପଢିନପାରୁଥିବାରୁ ଏବେ ପ୍ରଶାସନ ବିରୋଧରେ ଦେଉଛନ୍ତି ନାରା । ସ୍ଥାନୀୟ ଅଂଚଳରେ ବର୍ଷ ତମାମ ହାତୀ ସମସ୍ୟା ଲାଗି ରହିଥିବା ବେଳେ ଜୁନ ,୨୧ରେ ବୁଡିଖମାର ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଗଲା । ତେଣୁ ହାତୀ ଭୟରେ ସ୍କୁଲକୁ ପିଲାଙ୍କୁ ଛାଡୁନାହାନ୍ତି ଅଭିଭାବକ । ତେଣୁ ଖଇରାଟାପ ଗାଁର ୧୭ ଜଣ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ।

ସ୍କୁଲ ନଯିବାରୁ ଗାଁ ଦାଣ୍ଡରେ ଖେଳକୁଦରେ ଏବେ ପିଲାଙ୍କର ଯାଉଛି ସମୟ । କିନ୍ତୁ ପାଠ ପଢା ହେଉନି । କିଏ କିଏ ପିଲାଙ୍କୁ ନିଜ ଘରେ ପାଠ ପଢାଉଥିବା ବେଳେ ଆଉ କେତେ ମୂଳରୁ ପାଠ ପଢୁନାହାନ୍ତି । ସ୍ଥିତି ଏମିତି ହେଲାଣି ଯେ ଦୂରରେ ଥିବା ସ୍କୁଲକୁ ଯାଉଯାଉ କାଳେ ହାତୀ ଆକ୍ରମଣ କରିବ ସେହି ଡରରେ ପିଲାଙ୍କ ପାଠ ପଢା ବନ୍ଦ ହେଲାଣି । ତେଣୁ ତୁରନ୍ତ ଗାଁ ସ୍କୁଲ ଖୋଲିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ତେବେ ଖଇରଟାପ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା କମ ହେବାରୁ ୨୦୨୧ ମସିହାରେ ୩କି.ମି ଦୂରରେ ଥିବା ବୁଡିଖମାର ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ହେଲା । ହେଲେ ସ୍କୁଲ ଦୂରରେ ଥିବାରୁ ଏବେ ହାତୀ ଭୟରେ ପିଲା ଯାଉନାହାନ୍ତି ସ୍କୁଲ । ହାତୀ ପାଇଁ ପାଠ ବନ୍ଦ ହେଉଥିବାରୁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଏନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଆଉ ଜିଲ୍ଲାପାଳ କହିଛନ୍ତି ଏହା ଏକ ଗମ୍ଭୀର ସମସ୍ୟା । ସରକାରଙ୍କୁ ଖୁବଶୀଘ୍ର ଏନେଇ ଅବଗତ କରାଯିବ ।