Advertisment

ବନ ବିଭାଗର ବୁଦ୍ଧି, ଧୈର୍ଯ୍ୟ ଓ କୌଶଳ ବଳରେ ନୂଆ ଜୀବନ ପାଇଲା ହାତୀ ଛୁଆ

ମୟୂରଭଞ୍ଜ ରାସଗୋବିନ୍ଦପୁରରେ କୂଅରେ ପଡ଼ିଥିବା ହାତୀ ଶାବକ ୧୦ ଘଣ୍ଟା ପରେ ଉଦ୍ଧାର । ରେସ୍କ୍ୟୁ ଅପରେସନର ଶେଷ ୧୦ ମିନିଟ୍ ଥିଲା ଗୋଲଡେନ୍ ଆଓ୍ୱାର ।

ଅଦ୍ୟତନ ହୋଇଛି
elephant

elephant

Advertisment

ହାତୀ ପାଇଁ ହୋହଲ୍ଲା, ଧାଁ ଦୌଡ଼, କସରତ । ମାତ୍ର ୧୦ ମିନଟର ଗୋଲଡେନ୍ ଆଓ୍ୱାର ଭିତରେ ସଫଳ ହେଲା ଅପରେସନ୍ ଗଜରାଜ। ବନ ବିଭାଗ କର୍ମଚାରୀଙ୍କ ବୁଦ୍ଧି, ଧୈର୍ଯ୍ୟ ଆଉ କୌଶଳ ବଳରେ ନୂଆ ଜୀବନ ପାଇଛି ଏ ହାତୀ ଛୁଆ । ଗତକାଲି ମୟୂରଭଞ୍ଜ ରାସଗୋବିନ୍ଦପୁର ରେଞ୍ଜର ସୁରେଇଡିହି ଗାଁରେ ଏକ କୂଆ ଭିତରେ ଏକ ୩ ମାସର ହାତୀ ଛୁଆ ଫସି ଯାଇଥିବା ବେଳେ ଦୀର୍ଘ ସମୟ ଧରି ପରିଶ୍ରମ ପରେ ସଫଳ ହୋଇଛି ଅପରେସନ୍ । ସୁରକ୍ଷିତ ଉଦ୍ଧାର ସହ ଅନ୍ୟ ହାତୀଙ୍କ ସହ ଜଙ୍ଗଲକୁ ଫେରିଲା ହାତୀ ଶାବକ ।

Advertisment

ମୟୂରଭଞ୍ଜ ରାସଗୋବିନ୍ଦପୁର ରେଞ୍ଜର ସୁରେଇଡିହି ଗାଁ। ସମୟ ରାତି ପ୍ରାୟ ୧୨ଟା । ଏଇ ବାଟ ଦେଇ ଏକ ୫ ଟିକିଆ ହାତୀ ପଲ୍ଲ ଯାଉଥିବା ବେଳେ ଏଇ ଶୁଖିଲା କୂଅରେ ଖସି ପଡ଼ିଥିଲା ଏ ଛୁଆହାତୀ । କୂଅଟି ସଂକୀର୍ଣ୍ଣ ଥିବାରୁ ଚେଷ୍ଟା କରି ବି ଛୁଆକୁ ଉଦ୍ଧାର କରିପାରିନଥିଲେ ହାତୀ ପଲ । ଏପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ବନ ବିଭାଗ, ପୋଲିସ ଓ ଅଗ୍ନିଶମ ବାହିନୀ। ହେଲେ ଫସିଥିବା ହାତୀ ଛୁଆକୁ ଉଦ୍ଧାର ଏତେ ସହଜ ନଥିଲା। ଛୁଆକୁ ଜଗି ରହିଥିଲେ ଅନ୍ୟ ୪ ହାତୀ।

ଏପଟେ ଜେସିବି, ଦମକଳ ଆଦି ସାଜ ସରଞ୍ଜାମ ସହ ହାତୀଙ୍କ ଗତିବିଧି ଲକ୍ଷ୍ୟ କରୁଥିଲେ ମିଳିତ ଟିମ୍ । ୟା ଭିତରେ ରାତି ପାହି ସକାଳ ହେବା ଯାଏଁ ବଦଳିନଥିଲା ଦୃଶ୍ୟପଟ। ଦିନ ପ୍ରାୟ ୧୦ଟା ବେଳେ ସ୍ଥାନୀୟ ଏକ ପୋଖରୀକୁ ପାଣି ପିଇବାକୁ ଯାଇଥିଲେ ୪ଟି ଯାକ ହାତୀ। ଆଉ ଠିକ୍ ଏଇ ସମୟକୁ ଅପେକ୍ଷା କରିଥିବା ବନ କର୍ମଚାରୀ କୂଅ ଭିତରେ ଯୁଦ୍ଧକାଳୀନ ଭିତ୍ତିରେ ଭର୍ତ୍ତି କରିଥିଲେ ପାଣି। ମାତ୍ର ୧୦ ମିନିଟରେ ହାତୀ ପଲ ଫେରିବା ବେଳକୁ ସେହି ଗୋଲଡେନ୍ ଆଓ୍ୱାର ଭିତରେ ପୁରି ସାରିଥିଲା କୂଅ ।

Advertisment

ଏପଟେ ହାତୀ ଛୁଆଟି ଉଦ୍ଧାର ପୂର୍ବରୁ ଭୀଷଣ ରାଗି ଯାଇଥିବା ହାତୀ ପଲ, ସାମ୍ନାରେ ଯାହା ପାଇଥିଲେ ଭାଙ୍ଗିଥିଲେ । ନିକଟରେ ଥିବା ୪ଟି ଘର, ଚାଷବାସ ଏବଂ ବନ ବିଭାଗର ଏକ ଗାଡ଼ି ଉପରେ ବି ରାଗ ସୁଝାଇଥିଲେ।

୧୦ ଘଣ୍ଟାର ଲମ୍ବା ଅପରେସନ୍ ବେଳେ ହାତୀ ଛୁଆକୁ ସୁରକ୍ଷିତ ଉଦ୍ଧାର, ବନ ବିଭାଗ ପାଇଁ ଯେତିକି ଚ୍ୟାଲେଞ୍ଜ୍ ନଥିଲା, ତାଠୁ ଅଧିକ ଚିନ୍ତା ଥିଲା ଯେମିତି ହାତୀ ଛୁଆଟି କୌଣସି ପରିସ୍ଥିତିରେ ମଣିଷ ସଂସ୍ପର୍ଶରେ ନଆସିବ । ଏପରି ହେଲେ ଛୁଆକୁ ଦଳରେ ନେବାକୁ ହାତୀ ପଲ ଅରାଜି ହେବା ନଜିର ଥିବାରୁ ସେ ଦିଗ ପ୍ରତି ଯଥେଷ୍ଟ ଯତ୍ନବାନ ଥିଲା ବନ ବିଭାଗ ଟିମ୍ ।

Advertisment

ବାରିପଦାରୁ ମାଣିକଲାଲ ପାଣିଙ୍କ ରିପୋର୍ଟ

Elephant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ