ଗରିବ ବୁଢ଼ା ବାପା ମୁଣ୍ଡରେ ଦୁଇ ଭେଣ୍ଡା ପୁଅଙ୍କ ବୋଝ, ସାହାଯ୍ୟ କରିବାକୁ ନିବେଦନ

ଅଭାବୀ ପରିବାର ଭିତରେ ଦୁଇ ଦୁଇଟା ଭେଣ୍ଡିଆ ପୁଅ ବିଛଣାରେ ଗଡୁଛନ୍ତି । ଆର୍ଥିକ ଅନଟନ ସହ ଦୁର୍ଦ୍ଧିନରେ ଦିନ କାଟୁଥିବା ବୁଢା ବାପ ପରିବାର ବୋଝ ବୋହି ବୋହି ହାଲିଆ ହୋଇଗଲେଣି । ଭଙ୍ଗା ଚାଳିଆ ଆଉ ସନ୍ତସନ୍ତିଆ ଘରେ ମୁଣ୍ଡ ଗୁଞ୍ଜିଥିବା ପରିବାରକୁ ସରକାରୀ ସହାୟତାରେ ନା ପକ୍କାଘର ଘରଖଣ୍ଡେ ମିଳିଛି ନା, ପାଇଖାନାଟିଏ ମିଳି ପାରିଛି

ଅସହାୟ ବାପାଙ୍କ ଉପରେ ପୁଅଙ୍କ ବୋଝ

News Summary

ଗରିବଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ

ଦୁଇ ପୁଅଙ୍କ ଚିକିତ୍ସାରେ ଅର୍ଥ ବାଧକ

ହସ୍ତସନ୍ତ ହେଉଛନ୍ତି ବୁଢ଼ା ବାପା

ବାସୁଦେବପୁର(କିରୀଟି ଦାସ) : ଅଭାବୀ ପରିବାର ଭିତରେ ଦୁଇ ଦୁଇଟା ଭେଣ୍ଡିଆ ପୁଅ ବିଛଣାରେ ଗଡୁଛନ୍ତି । ଆର୍ଥିକ ଅନଟନ ସହ ଦୁର୍ଦ୍ଧିନରେ ଦିନ କାଟୁଥିବା ବୁଢା ବାପ ପରିବାର ବୋଝ ବୋହି ବୋହି ହାଲିଆ ହୋଇଗଲେଣି । ଭଙ୍ଗା ଚାଳିଆ ଆଉ ସନ୍ତସନ୍ତିଆ ଘରେ ମୁଣ୍ଡ ଗୁଞ୍ଜିଥିବା ପରିବାରକୁ ସରକାରୀ ସହାୟତାରେ ନା ପକ୍କାଘର ଘରଖଣ୍ଡେ ମିଳିଛି ନା, ପାଇଖାନାଟିଏ ମିଳି ପାରିଛି । ପୂରା ପରିବାର ଦିନକୁ ଦୁଇ ଓଳି ଦୁଇମୁଠା ଭଲଭାବେ ଖାଇବାକୁ ପାଉନଥିବା ବେଳେ, ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବା ବୁଢ଼ାବାପା ପକ୍ଷେ କଷ୍ଟସାଧ୍ୟ ହେଉଛି ।

ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଂଚାୟତ ମହାଳିକ ସାହିର ବିକର୍ତନ ମହାଳିକ । ପରିବାର କହିଲେ ଚାରିପୁଅ ଆଉ ନାତି ନାତୁଣୀ । ମଝିଆ ପୁଅ ପରିବାରଠାରୁ ଦୀର୍ଘଦିନ ହେବ ପୃଥକ ରହୁଛି । ବାକି ତିନି ପୁଅ ମଧ୍ୟରୁ ସାନ ପୁଅଟି ୫ ବର୍ଷ ବୟସରୁ ଚାଲିପାରୁନି, ସେ ବି ବିଛଣାରେ । ବାକି ବଡ ଆଉ ସାନ ମଝିଆଁ ପୁଅ ବାପାକୁ ସହାୟତା କରନ୍ତି । ବିକର୍ତନ ପରଘରେ ଗଛ କାଟି ପରିବାର ଚଳାନ୍ତି । ମଝିଆଁ ପୁଅଟି ଶାରୀରିକ ଦୁର୍ବଳତା ପାଇଁ କାମ କରିପାରେ ନାହିଁ । ବଡପୁଅ ବିଜୟ ଉପରେ ସବୁ ନିର୍ଭରକରେ । ଗଛକଟା କାମରେ ବାପାଙ୍କୁ ସାଥିରେ ଯାଏ ବିଜୟ । ଯାହା ରୋଜଗାର ହୁଅ ସେଇଥିରେ ପରିବାର ଚଳେ । ଅଭାବୀ ପରିବାରକୁ ବହୁ କଷ୍ଟରେ ଚଳାଇ ନେଉଥିଲେ ବିଜୟ । ପ୍ରାୟ ୧୦ମାସ ତଳେ ବିଜୟ ଗଛ କାଟୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । କଟା ଗଛଟି ବିଜୟର ଅଂଟା ଉପରେ ପଡିଯାଇଥିଲା । ଫଳରେ ଗୁରୁତର ଆହତ ହୋଇଥିଲେ ବିଜୟ ।

ପରିବାର ଲୋକ ବିଜୟକୁ ପ୍ରଥମେ ବାସୁଦେବପୁର ପରେ ଭଦ୍ରକରେ ଚିକିତ୍ସା କରାଇଥିଲେ । ହେଲେ ସେଠାରେ ଭଲ ନହେବାରୁ ପୁଣି କଟକରେ ଚିକିତ୍ସା କରାଗଲା । ସେଠାରେ ପରୀକ୍ଷା ନିରୀକ୍ଷା ପରେ ଅଂଟାରେ ଗଭୀର ଆଘାତ ଲାଗିଛି, ଅପରେସନ କରାଯିବାର ଆବଶ୍ୟକତା ରହିଛି ବୋଲି ଡାକ୍ତର ପରମର୍ଶ ଦେଇଥିଲେ । ହେଲେ ଏଥିପାଇଁ ଲକ୍ଷାଧିକ ଟଙ୍କା ଅବଶ୍ୟକ ରହିଥିବା ଶୁଣି ପରିବାର ହତାଶ ହୋଇପଡିଥିଲେ । ଅର୍ଥ ଯୋଗାଡ କରିନପାରିବାରୁ ପୁଅକୁ ଘରକୁ ନେଇଆସିଥିଲେ ।

ଘରେ ସାନପୁଅ ସହ ବଡପୁଅ ବି ବିଛଣାରେ ପଡିଛି । ଅପରେସନ ତ ହୋଇପାରିଲାନି ଔଷଧ ଖାଇବାକୁ ବି ପାଖରେ ଅର୍ଥନାହିଁ । ତେବେ ବିଜୟ ଓଡିଶା ସରକାରଙ୍କ ବିଜୁ କୃଷକ କଲ୍ୟାଣ ଯୋଜନାରେ ସାମିଲ ଥିଲେ ସୁଦ୍ଧା ଏଥିରୁ ତାଙ୍କୁ କୌଣସି ସହାୟତା ମିଳୁନାହିଁ । ଯନ୍ତ୍ରଣାରେ ଛଟପଟ ହେଉଥିବା ବିଜୟ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ।

ଘଟଣା ସମ୍ପର୍କରେ ସ୍ଥାନୀୟ ବିଡିଓ କହିଛନ୍ତି, ସ୍ଥିତି ସମୀକ୍ଷା ପାଇଁ କର୍ମଚାରୀଙ୍କୁ ପଠାଯାଇଛି । ବ୍ଲକ ସ୍ତରରେ ଯାହା ବ୍ୟବସ୍ଥା ରହିଛି ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏଥିସହ କୃଷକ କଲ୍ୟାଣ କାର୍ଡ ସମ୍ପର୍କରେ କୃଷି ବିଭାଗ ସହ ଯୋଗାଯୋଗ କରି କିପରି ସହାୟତା ମିଳିପାରିବ ଚେଷ୍ଟା କରିବେ ।