୧୦ କୋଟିର କଲେଜ, ଏବେ ଭୂତକୋଠି...ଦିନେ ବି ପାଠପଢ଼ା ହୋଇନି

ନାମ ଫଳକରେ ଚକାଚକ୍ ବିଇଡି କଲେଜ, ପାଠପଢା ଶୂନ । ନିର୍ମାଣ ପରଠୁ ଦିନଟିଏ ବି ପାଠ ପଢିନାହାନ୍ତି ଛାତ୍ରଛାତ୍ରୀ । ମାଲକାନଗିରି ଛାତ୍ରଛାତ୍ରୀଙ୍କ ଶିକ୍ଷକ ହେବାର ସ୍ୱପ୍ନ ଧୂଳିସାତ୍‌ ।

Education system in shambles

ମୁଖଶାଳା ଚକାଚକ୍, ହେଲେ ଗର୍ଭଗୃହ ଭଗ୍ନସ୍ତୁପ । ନାମ ଫଳକରେ ସରକାରୀ ବିଇଡି କଲେଜ । ହେଲେ ନିର୍ମାଣ ପରଠୁ ଦିନଟିଏ ବି ପାଠ ପଢା ହୋଇନି । କେବେ କୋଭିଡ ଆକ୍ରାନ୍ତଙ୍କ ଆଇସଲୋସେନ୍ ରୁମ୍ ତ ଆଉ କେବେ ଭୋଟ ଗଣତି କେନ୍ଦ୍ର ପାଲଟିଛି ସେହି ବିଲଡ଼ିଂ । କିନ୍ତୁ ବ୍ୟବହାର ନହୋଇ ଏବେ ଭୂତକୋଠିରେ ପରଣତ ହେଲାଣି । ଯାହାକୁ ନେଇ ଚିନ୍ତା ବଢିଛି ।

ଉପାନ୍ତ ଜିଲ୍ଲା ମାଲକାନଗିରିର ଛାତ୍ରଛାତ୍ରୀଙ୍କ ଶିକ୍ଷକ ହେବା ଆଶା ପୂରଣ ପାଇଁ ୨୦୧୮ରେ ଉଦ୍‌ଘାଟନ ହୋଇଥିଲା ବିଇଡି କଲେଜ ବିଲଡିଂ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ ଏହି ବିଲ୍‌ଡିଂ । କଲେଜ ନାମ ଫଳକ ଲାଗିବା ପରେ ଶିକ୍ଷକ ହେବାର ସ୍ୱପ୍ନ ଦେଖିଥିଲେ ଏଠାକାର ଛାତ୍ରଛାତ୍ରୀ ଓ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି ବୋଲି ଭାବିଥିଲେ ଅଭିଭାବକ । କିନ୍ତୁ ସବୁ ସ୍ୱପ୍ନ ଧୂଳିସାତ ହୋଇଯାଇଛି । ଆଜି ଯାଏଁ କଲେଜ ଆରମ୍ଭ ତ ଦୂରର କଥା, ଏବେ ବିଲଡିଂ ଚାରିପଟ ଜଙ୍ଗଲ ହୋଇଗଲାଣି । କାନ୍ଥ ଫାଟି ଆଁ କଲାଣି , ଝରକା, କବାଟ ଭାଙ୍ଗିଗଲାଣି । ଏବେ ଏହି ବିଲଡ଼ିଂ ଶିକ୍ଷକ ତିଆରି କରିବ କ’ଣ ବରଂ ଅସାମାଜିକ ତିଆରି କରୁଛି ।

ଆଇଟିଡିଏ ପକ୍ଷରୁ ୨୦୧୩ ଡିସେମ୍ବରରେ ବିଲଡିଂ ନିର୍ମାଣ ଆରମ୍ଭ ହୋଇ ୨୦୧୮ରେ ଶେଷ ହୋଇଥିଲା । ବ୍ୟୟ ହୋଇଥିଲା ୯ କୋଟି ୧୧ ଲକ୍ଷ ୮୦ ହଜାର ଟଙ୍କା । ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବା ପରେ କଲେଜ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ କରୋନା ସମୟରେ କଲେଜ ଅଧ୍ୟକ୍ଷ ବିଲଡିଂକୁ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିଥିଲେ । ହେଲେ ଏବେ ଯାଏଁ ବିଲଡିଂ କଲେଜ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର ହୋଇନି । ପଞ୍ଚାୟତ ନିର୍ବାଚନ ସମୟରେ ଷ୍ଟ୍ରଙ୍ଗ ରୁମ୍ କରାଯାଇଥିଲା । ଏହାପରଠୁ କେହି ଦୃଷ୍ଟି ନଦେବାରୁ କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ନଷ୍ଟ ହେଉଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଯେଉଁ ଉଦ୍ଦେଶ୍ୟରେ ବିଲଡିଂ ତିଆରି ହୋଇଥିଲା, ସେହି ଉଦ୍ଦେଶ୍ୟ କେବେ ପୂରଣ ହେବ । କେବେ ଏଠାରେ ବିଇଡି ଛାତ୍ରଛାତ୍ରୀ ପାଠ ପଢିବେ । ତାହା ଦେଖିବାକୁ ବାକି ରହିଲା ।