ଭଙ୍ଗାଘରେ...ମନ୍ଦିର ପିଣ୍ଡାରେ ପଢୁଛନ୍ତି ଅଙ୍ଗନୱାଡ଼ି ପିଲା

ଏ ସରକାରକୁ ଲଜ୍ଜା ନାହିଁ । ମନ୍ଦିର ପିଣ୍ଡାରେ...ଭଙ୍ଗା କ୍ଲବ୍‌ ଘରେ ପିଲାଏ ପଢୁଛନ୍ତି ପାଠ । ବାରମ୍ବାର ଦାବି ପରେ ବି କେହି ଶୁଣୁନାହାନ୍ତି ୟାଙ୍କ ଦୁଃଖ

lack of infrastructure

କୋଉଠି ରାସ୍ତା କଡ ପିଣ୍ଡାରେ ତ ଆଉ କୋଉଠି ମନ୍ଦିର ବେଢାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । କି ଖରା କି ବର୍ଷା ବିପଦସଂକୁଳ ଅବସ୍ଥାରେ ପିଲାଏ ପଢୁଛନ୍ତି ପାଠ ତାହା ପୁଣି ବର୍ଷକ ୧୨ ମାସ । ସବୁଦିନିଆ ଅଙ୍ଗନବାଡି କେନ୍ଦ୍ରଟିଏ ଖୋଲିବାକୁ ଗାଁ ଲୋକଙ୍କ ବାରମ୍ବାର ଦାବି ପରେ ବି ପ୍ରଶାସନ କିଛି ଶୁଣୁନି...ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

ଗାଁ କ୍ଳବ ଘର ପିଣ୍ଡାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । କଟକ ସାଲେପୁରର ୧୨ ନମ୍ବର ୱାର୍ଡ ତୋଟାପଡା ଗାଁରେ ଏକ ପୁରୁଣା କ୍ଳବ ଘର ଚାଲିଛି ଅଙ୍ଗନୱାଡି କେନ୍ଦ୍ର । ଘରଟି ଏବେ ବିପଦଶଙ୍କୁଳ ଅବସ୍ଥାରେ ରହିଛି ହେଲେ ତାହାରି ଭିତରେ ରହି ପଢୁଛନ୍ତି ପିଲା । ଗାଁଲୋକଙ୍କ ପାଖରେ କିଛି ବିକଳ୍ପ ନାହିଁ । ତେଣୁ ଏଇଠି ଖୋଲାମେଲା ପିଣ୍ଡାରେ ଚାଲିଛି ଅଙ୍ଗନୱାଡି । ବାହାରେ ପାଠ ପଢା ହେଉଥିବାରୁ ମାଙ୍କଡ, କୁକୁର ସହ ସରୀସୃପର ଭୟ ବି ରହିଛି । ହେଲେ ବି ପିଲାଙ୍କୁ ପାଠ ପଢାଇବା ଲାଗି ବାଧ୍ୟ ହୋଇ ଏଇ ଅଙ୍ଗନୱାଡି କେନ୍ଦ୍ରକୁ ଛାଡୁଛନ୍ତି ଅଭିଭାବକ ।

କେବଳ ୧୨ ନମ୍ବର ୱାର୍ଡରେ ନୁହେଁ ବରଂ ୧୩ ନମ୍ବର ୱାର୍ଡର ବି ସମାନ ଅବସ୍ଥା । ସବୁଠି ଏମିତି ବିପଦସଂକୁଳ ଅବସ୍ଥାରେ ପିଲାଏ ପଢୁଛନ୍ତି ପାଠ । ଅଙ୍ଗନବାଡି କେନ୍ଦ୍ରର ସମସ୍ୟା ନେଇ ଅନେକ ଥର ସିଡିପିଓଙ୍କୁ ଜଣାଇଥିବା କହିଛନ୍ତି ଅଙ୍ଗନବାଡି କର୍ମୀ । ହେଲେ ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନି । ବରଂ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି ।

ଦୁଇଦୁଇଟା ୱାର୍ଡରେ ସ୍ଥାୟୀ ଅଙ୍ଗନବାଡ କେନ୍ଦ୍ର ନଥିବାର କଥା ସିଡିପିଓଙ୍କୁ ଆମେ ଜଣାଇଥିଲୁ । ଆଉ ସିଡିପିଓ ପ୍ରତିଶ୍ରୁତି ଦେଇଛନ୍ତି ଖୁବଶୀଘ୍ର ଅଙ୍ଗନୱାଡି କେନ୍ଦ୍ରର କାମ ସରିବ ଓ ପିଲାଏ ନୁଆ ଘରେ ପଢିବେ ପାଠ । ଶିକ୍ଷାବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ହେଲେ ଅଙ୍ଗନବାଡି କେନ୍ଦ୍ରର ସ୍ଥାୟୀ ଗୃହଟିଏ ନଥିବାରୁ ନାହିଁନଥିବାର ଅସୁବିଧାର ସାମ୍ନା କରୁଛନ୍ତି ପିଲା । ତେବେ ସମୟ କହିବ କେବେ ପ୍ରତିଶ୍ରୁତି ପୂରଣ କରୁଛନ୍ତି ସିଡିପିଓ ।

(ସାଲେପୁରରୁ ମନୋଜ ଆଚାର୍ଯ୍ୟଙ୍କ ରିପୋର୍ଟ)