ନିୟମିତ ଶିକ୍ଷକ ନାହାଁନ୍ତି, ଭଡ଼ା ଶିକ୍ଷକଙ୍କ ହାତରେ ପିଲାଙ୍କ ଭବିଷ୍ୟତ !

୪୮ ପିଲାଙ୍କୁ ମାତ୍ର ଦୁଇଜଣ ଶିକ୍ଷକ । ଜଣେ ପ୍ରଧାନଶିକ୍ଷକ, ଆଉ ଜଣେ ଦୃଷ୍ଟିବାଧିତ । ବାରମ୍ବାର କହିବା ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ । ପିଲାଙ୍କ ଭବିଷ୍ୟତ ପାଇଁ ବାଧ୍ୟ ହୋଇ ନିଜସ୍ୱ ଖର୍ଚ୍ଚରେ ଅଣାଯାଉଛି ଜଣେ ଶିକ୍ଷକଙ୍କୁ

Education system

୪୮ ପିଲାଙ୍କୁ ଦୁଇ ଜଣ ଶିକ୍ଷକ । ଗୋଟିଏ କି ଦୁଇଟି ନୁହେଁ ବରଂ ସ୍କୁଲରେ ପୁଣି ଅଛି ୫ଟି ଶ୍ରେଣୀ । ମାସେ କି ଦୁଇମାସ ନୁହେଁ ବରଂ ୭ ବର୍ଷ ହେଲାଣି ଏମିତି ନାହିଁନାହିଁରେ ଚାଲିଛି ସ୍କୁଲ । ଯାହାକୁ ନେଇ ଏବେ ଜୋର ଧରିଲାଣି ଚର୍ଚ୍ଚା ।

ରେଢାଖୋଲ ବ୍ଲକ କଦଳିଗଡ ପଚାଂୟତର କନ୍ଧରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ପ୍ରଥମରୁ ପଂଚମ ପର୍ଯ୍ୟନ୍ତ ପ୍ରାୟ ୪୮ ଜଣ ପିଲା ପଢୁଛନ୍ତି ପାଠ । ହେଲେ ଅବସ୍ଥା ଏମିତି ହେଲାଣି ଯେ, ସ୍କୁଲକୁ ପିଲାଙ୍କୁ ଛାଡିବାକୁ ଆଉ ରାଜି ହେଉନାହାନ୍ତି ଅଭିଭାବକ । କାରଣ ସ୍କୁଲରେ ଅଛନ୍ତି ମାତ୍ର ଦୁଇଜଣ ଶିକ୍ଷକ । ଜାଣିଆଶ୍ଚର୍ଯ୍ୟ ହେବେ କି ଦୁଇଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ଦୃଷ୍ଟିବାଧିତ ହୋଇଥିବା ବେଳେ ଅନ୍ୟ ଜଣେ ପ୍ରଧାନଶିକ୍ଷକ ଦାୟିତ୍ୱରେ । ଏମିତି ସ୍ଥିତିରେ କେମିତି ପିଲାମାନେ ପାଠ ପଢୁଥିବେ ତାହା ସ୍ପଷ୍ଟ ଅନୁମେୟ ।

ସ୍କୁଲ ସମସ୍ୟା ଓ ଶିକ୍ଷକ ସମସ୍ୟା ନେଇ ପ୍ରଶାସନକୁ ବାରମ୍ବାର ଅବଗତ କରାଯିବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ପିଲାଙ୍କ ପାଠ ପଢାରେ ସାଙ୍ଘାତିକ ଅଭିଯୋଗ ହେବା ପରେ ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କୁ ପିଲାଙ୍କୁ ପାଠ ପଢାଇବାର ଦାୟିତ୍ୱ ଦିଆଯାଇଛି । ହେଲେ ଏହା ସ୍ଥାୟୀ ସମସ୍ୟା ନୁହେଁ ବରଂ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ବିଇଓ କହିଛନ୍ତି ଖୁବଶୀଘ୍ର ସମସ୍ୟାର ହେବ ସମାଧାନ ।