ସ୍କୁଲ ଘରେ ଚାଲୁଛି ପଂଚାୟତ ଅଫିସ୍‌ : ପିଲା ପଢିବେ କେଉଁଠି ?

୭ ବର୍ଷ ହେଲାଣି ସ୍କୁଲ ଘରେ ଚାଲୁଛି ପଂଚାୟତ ଅଫିସ୍‌ । ଦିନ ୧୦ ବାଜିଲେ ଲୋକଙ୍କର ଲାଗୁଛି ଗହଳି...ଏମିତି ହଟ୍ଟଗୋଳ ଭିତରେ ପିଲାମାନେ ପଢିବେ କେମିତି?

Panchayat office

ସ୍କୁଲରେ ଚାଲିଛି ପଞ୍ଚାୟତ ଅଫିସ୍‌ । ଦିନେ କି ଦୁଇଦିନ ନୁହେଁ ଦୀର୍ଘ ୭ ବର୍ଷ ହେବ ଏମିତି ଚାଲିଛି ପଂଚାୟତ ଅଫିସ । ତେଣୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ସ୍କୁଲ ପିଲା ଏବଂ ଗାଁ ଲୋକେ । କେତେବେଳେ ସ୍ଥାନ ଚିହ୍ନଟ ହୋଇପାରୁନାହିଁ ତ ଆଉ କେତେବେଳେ ଲୋକଙ୍କ ବିରୋଧ ପାଇଁ । ପ୍ରଶାସନିକ ଉଦାସିନତା ଯୋଗୁଁ ନିର୍ମାଣ ହୋଇ ପାରୁନି ନୂଆ ପଂଚାୟତ ଅଫିସ । ତେଣୁ ବର୍ଷବର୍ଷ ଧରି ସ୍କୁଲ ଘରେ ଚାଲୁଛି ପଂଚାୟତ ଅଫିସ୍‌ ।

ଲୋକଙ୍କ ସୁବିଧା ଲାଗି ବଡବଡ ପଂଚାୟତକୁ ଭାଙ୍ଗି ଛୋଟ ଛୋଟ ପଂଚାୟତ ଗଠନ କରାଗଲା । ଲୋକେ ଭାବିଥିଲେ ଗାଁରେ ପଂଚାୟତ ହେଲେ ସମସ୍ତ ସରକାରୀ ସୁବିଧା ସୁଯୋଗ ହାତ ପାହାନ୍ତାରେ ପାଇବେ । କିନ୍ତୁ ନୂଆଁ ପଂଚାୟତ ତ ହେଲା । ହେଲେ ଏଯାଏ ତିଆରି ହୋଇ ପାରିଲା ନାହିଁ ପଂଚାୟତର ନିଜସ୍ୱ ଅଫିସ ଗୃହ । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

ନୂଆପଡା କୋମନା ବ୍ଲକର ଦେଓଦରା, ମାନିଗୁଡା ଓ ନୂଆପଡା ବ୍ଲକର ଭଇଁଷାତାଲ ପଂଚାୟତର ଅଫିସ୍‌ ଦୀର୍ଘ ୭ ବର୍ଷ ହେଲା ସ୍କୁଲ ଘରେ ଚାଲିଛି । ଜାଣିଆଶ୍ଚର୍ଯ୍ୟ ହେବେ କି ଜାଗା ଅଭାବ କାରଣରୁ ସେଠାରେ କଂପ୍ୟୁଟର ଲାଗି ପାରୁନି କି ମନରେଗା ଶ୍ରମିକଙ୍କ ଲାଗି ଅନଲାଇନରେ ଏଣ୍ଟ୍ରି ବି ହୋଇପାରୁନି । ସମସ୍ୟା ଏତିକିରେ ସରିନି ବରଂ ସ୍କୁଲକୁ ପ୍ରତିଦିନ ଅନେକ ଲୋକ ଯାଉଥିବାରୁ ପାଠ ପଢାରେ ବି ଦେଖାଯାଉଛି ସମସ୍ୟା ।

ଆଜକୁ ୭ ବର୍ଷ ତଳେ ଦେଓଦରା, ମାନିଗୁଡା ଓ ଭଇଁଷାତାଲ ନୂଆଁ ପଂଚାୟତ ଭାବେ ମାନ୍ୟତା ପାଇଲା । ପଂଚାୟତ ଅଫିସ ନଥିବାରୁ ଅସ୍ଥାୟୀ ଭାବେ ସ୍କୁଲର କୋଠରୀରେ ଅଫିସ ଚାଲିଲା । ପ୍ରଶାସନ ପକ୍ଷରୁ ନୂଆ ପଂଚାୟତ ଅଫିସ ନିର୍ମାଣ ପାଇଁ ପଦକ୍ଷେପ ନିଆଗଲା । ହେଲେ ସ୍ଥାନ ଚିହ୍ନଟକୁ ନେଇ ଗୋଷ୍ଠୀ ବିବାଦ ହେଲା । କଥା କୋର୍ଟକୁ ଗଲା । ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ନୂଆ ପଂଚାୟତ ଅଫିସ୍‌ ତିଆରି ହେବ ବୋଲି କହୁଛନ୍ତି ଜିଲ୍ଲା ପଂଚାୟତ ଅଧିକାରୀ । ଶିକ୍ଷାବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ହେଲେ ଏଠାରେ ୭ ବର୍ଷ ଧରି ସ୍କୁଲ ଘରେ ପଂଚାୟତ ଅଫିସ୍‌ ଖୋଲାଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ ।