ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ କାହିଁକି ହେଉଛି ଅଘୋଷିତ ପାୱାରକଟ୍‌ ?

ପ୍ରଶ୍ନ, ବିଦ୍ୟୁତ୍ ବଳକା ରାଜ୍ୟ ହେବା ସତ୍ତ୍ୱେ କାହିଁକି ବିଜୁଳି କାଟ୍ ହେଉଛି ?

Unscheduled Power Cuts

ଡହଡହ ଖରାରେ ଜୀବନ ଡହଳ ବିକଳ। ନା ଘରେ ରହି ହେଉଛି ନା ବାହାରେ ତା ସାଙ୍ଗକୁ ପୁଣି ବେଡ଼ି ଉପରେ କୋରଡ଼ା ମାଡ଼ କରୁଛି ଘନଘନ ବିଜୁଳି କାଟ।  ଆଉ ଜୀବନ ଅସ୍ତବ୍ୟସ୍ତ। ମୟୂରଭଞ୍ଜ ଉଦଳାର ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ନିଜ ଛୋଟ ପୁଅକୁ ଶୁଆଇବା ଲାଗି ତଉଲିଆରେ ଅନବରତ ବିଞ୍ଛି ଚାଲିଛି ଅସହାୟ ବାପା। ବିନା ବିଜୁଳିରେ ଘରେ ରହିବା ସମ୍ଭବ ହେଉ ନ ଥିବାରୁ ଆଉ କେଉଁଠି ଲୋକେ ଗଛ ମୂଳେ ବିଶ୍ରାମ ନେଉଛନ୍ତି ତ ଆଉ କିଏ ବିଞ୍ଛଣାରେ ବିଞ୍ଛିହୋଇ ନିଜ ଝାଳ ମାରୁଛି।

କେବଳ ଉଦଳା ନୁହେଁ, ବିଜୁଳି କାଟ ଯୋଗୁ ନବରଙ୍ଗପୁରରୁ ଗୁଣପୁର ସବୁଠି ଏଇ ସମାନ ଅବସ୍ଥା। ଆଉ ଉପଭୋକ୍ତାଙ୍କ ବିଜୁଳି କାଟଜନିତ କ୍ଷୋଭ ଆଜି ରାଜଧାନୀରେ ପ୍ରତିଫଳିତ ହୋଇଛି। ବିଜୁଳି କାଟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛି ଓଡ଼ିଶା ଜନଶକ୍ତି ମଞ୍ଚ। ଯଦି ସରକାର ତୁରନ୍ତ ଏ ସମସ୍ୟାର ସମାଧାନ ନ କରନ୍ତି, ଆଗକୁ ସବୁଠି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ରାଜ୍ୟ ଶକ୍ତି ବିଭାଗ ତଥ୍ୟ କହୁଛି, ଓଡ଼ିଶାରେ ଚଳିତ ଆର୍ଥିକ ବର୍ଷ ୩୬ ହଜାର ୩୯୧ ନିୟୁତ ୟୁନିଟ୍ ବିଜୁଳି ଉତ୍ପାଦନ ହେବ କିନ୍ତୁ ରାଜ୍ୟକୁ ଦରକାର ମାତ୍ର ୨୯ ହଜାର ୩୫୪ ନିୟୁତ ୟୁନିଟ୍ ଅର୍ଥାତ୍ ବଳିବ ୭ ହଜାର ନିୟୁତ ୟୁନିଟ୍। ପ୍ରଶ୍ନ, ବିଦ୍ୟୁତ୍ ବଳକା ରାଜ୍ୟ ହେବା ସତ୍ତ୍ୱେ କାହିଁକି ବିଜୁଳି କାଟ୍ ହେଉଛି ? ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ସଂଘ କହିଛି, ଉତ୍ପାଦନ ସିନା ହୋଇଯାଉଛି, ହେଲେ ଉପଭୋକ୍ତାଙ୍କ ନିକଟକୁ ବିଜୁଳି ପହଞ୍ଚିବା ଲାଗି ଆବଶ୍ୟକ ଉନ୍ନତ ଭିତ୍ତିଭୂମି ନାହିଁ। ଏଣୁ ଗ୍ରାହକଙ୍କୁ ଦହଗଞ୍ଜ ହେବାକୁ ପଡ଼ୁଛି। ଏପଟେ ଶକ୍ତିମନ୍ତ୍ରୀଙ୍କ ଉତ୍ତର, ରାଜ୍ୟର ବିଦ୍ୟୁତ ବ୍ୟବସ୍ଥାରେ ଅନେକ ସୁଧାର ଆସିଛି। ଭିତ୍ତିଭୂମିକୁ ପୁନଶ୍ଚ ସୁଦୃଢ଼ କରାଯାଉଛି। 

ସେପଟେ ଶକ୍ତିକ୍ଷେତ୍ର ବିଶେଷଜ୍ଞଙ୍କ କହିବା କଥା, ରାଜ୍ୟର ବିଜୁଳି ଉତ୍ପାଦନ କ୍ଷମତା ୧୦ ହଜାର ମେଗାଓ୍ବାଟ୍।  ରାଜ୍ୟକୁ ଦରକାର ହାରାହାରି ୪ ହଜାରରୁ ୪ ହଜାର ୫୦୦ ମେଗାଓ୍ବାଟ୍ ବିଜୁଳି। ଏବେ ଉତ୍ପାଦନ ହେଉଛି ୪ ହଜାର ୮୦୦ ମେଗାଓ୍ବାଟ୍। କିନ୍ତୁ ଗ୍ରୀଷ୍ମ କାରଣରୁ ରାଜ୍ୟର ପିକ୍ ଚାହିଦା ପ୍ରାୟ ୫ ହଜାର ୫୦୦ ମେଗାଓ୍ବାଟ୍‌କୁ ବଢ଼ିଯାଇଛି। ତେଣୁ  ବିଜୁଳି କାଟ୍ ଭଳି ପରିସ୍ଥିତି ଉପୁଜୁଛି। ସମସ୍ୟାର ସମାଧାନ ଲାଗି ଡିମାଣ୍ଡ ସାଇଡ୍ ମ୍ୟାନେଜମେଣ୍ଟ ସହ ଜଳବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ଉପରେ ସରକାରଙ୍କୁ ଗୁରୁତ୍ୱ ଦେବାର ସମୟ ଆସିଛି

ବିଜୁଳି ବଣ୍ଟନ ବ୍ୟବସ୍ଥାରେ ସୁଧାର ଆଣିବାକୁ ରାଜ୍ୟର ସଂପୂର୍ଣ୍ଣ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାକୁ ଟାଟା ପାଓ୍ବାର ହାତକୁ ଟେକିଦେଇଛନ୍ତି ରାଜ୍ୟ ସରକାର। ହେଲେ ୨ ବର୍ଷ ବିତିଥିଲେ ବି ରାଜ୍ୟ ବିଜୁଳି ବ୍ୟବସ୍ଥାର ସ୍ଥିତି ଯଥା ପୂର୍ବଂ ତଥା ପରଂ।

ରିପୋର୍ଟ: ମାନସ ପାଣି, ପଓ୍ୱନ ତିଓ୍ୱାରୀ ଓ କପିଳେନ୍ଦ୍ର ପ୍ରଧାନ