Special story
ରାୟଗଡ଼ା କାଶୀପୁରରେ ଗଲା କିଛି ଦିନ ଧରି ବ୍ୟାପିଚାଲିଥିବା ଝାଡ଼ାବାନ୍ତିକୁ ନେଇ ବଢ଼ିଲା ଚିନ୍ତା । ଗଲାକାଲି ଗୋଟିଏ ଦିନରେ ୩ ଜଣଙ୍କ ମୃତ୍ୟୁ ପରେ ଆଜି ଆଉ ଦୁଇଜଣ ଝାଡ଼ାବାନ୍ତିରେ ପ୍ରାଣ ହରାଇବା ପରେ ମୃତ୍ୟୁସଂଖ୍ୟ ୭ରେ ପହଞ୍ଚିଛି । ୬୦ରୁ ଅଧିକ ରୋଗୀ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ରାୟଗଡ଼ା ଜିଲ୍ଲାପାଳ ବରିଷ୍ଠ ପ୍ରାଶାସନିକ ଓ ବିଭାଗୀୟ ଅଧିକାରୀଙ୍କ ସହ ସଂକ୍ରମିତ ଗାଁକୁ ଯାଇ ସ୍ଥିତି ପରଖିଥିଲା ବେଳେ ଏପଟେ ଏହି ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ହୁଲସ୍ତୁଲ ହୋଇଛି । କୁହାଯାଉଛି, ସ୍ଥାନୀୟ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ଡୁଡୁକାବାହଲରେ ଥିବା ଏ ଜଳ ଯୋଗାଣ ପ୍ରକଳ୍ପର ପାଣି ଦୂଷିତ ହେବାରୁ ହିଁ ଏଠି ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି ।
ଝାଡ଼ାବାନ୍ତିରେ ସରକାରୀ ଭାବେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉ ଥିଲାବେଳେ ଆଜି ଶଙ୍କରଡ଼ାରେ ଆଉ ଜଣଙ୍କର ମୃତ୍ୟୁ ନେଇ ସୂଚନା ଆସିଛି । ଏପରିକି ଆଜି ଥୁଟିବର ବାଳିକା ଉଚ୍ଚବିଦ୍ୟାଳୟର ୧୧ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଏଥିସହ ୬୦ରୁ ଅଧିକ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ତେବେ ସ୍ଥାନୀୟ ଅଞ୍ଚଳରେ ସପ୍ତାହେ ଧରି ଝାଡ଼ାବାନ୍ତି ଲାଗି ରହିଥିଲା ବେଳେ, ଟିକିରିରେ କୌଣସି ଡାକ୍ତର ନ ରହିବା ଏବଂ ପାରିପାର୍ଶ୍ୱିକ ଉନ୍ନୟନ କାମ ହାତକୁ ନେଇଥିବା ସ୍ଥାନୀୟ ଉତ୍କଳ ଆଲୁମିନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ସ୍ୱାସ୍ଥ୍ୟ ସହାୟତା ନମିଳିବାକୁ ନେଇ ଜିଲ୍ଲାପାଳଙ୍କ ପାଖରେ ଅସନ୍ତୋଷ ବାଢ଼ିଥିଲେ ସ୍ଥାନୀୟ ଲୋକେ ।
ଏପଟେ କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗକୁ ନେଇ ଆଜି ଶୂନ୍ୟକାଳରେ କମ୍ପିଛି ବିଧାନସଭା । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଥମେ ଏଇ ପ୍ରସଙ୍ଗ ଉଠାଇ ଅଭିଯୋଗ କରିଥିଲେ ଯେ ୨୨ ବର୍ଷ ଧରି ବିଜେଡି ଶାସନ କ୍ଷମତାରେ ଥିଲେ ମଧ୍ୟ ରାୟଗଡ଼ାରେ ଏବେ ବି ଲୋକେ ଆମ୍ବ ଟାକୁଆ ଭଳି ଅଖାଦ୍ୟ ଖାଇ ମୃତ୍ୟୁ ମୁଖରେ ପଡୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଏନେଇ ଗୃହରେ ବିବୃତ୍ତି ରଖିବାକୁ ଦାବି କରି କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଗୃହକୁ ୧୦ ଓ ୧୫ ମିନିଟ୍ କରି ଦୁଇଥର ମୁଲତବୀ ରଖିବାକୁ ପଡ଼ିଥିଲା ।
ସ୍ଥାନୀୟ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଓ ବିଜେପି ସଦସ୍ୟମାନେ ମଧ୍ୟ କାଶିପୁର ଝା଼ଡ଼ାବାନ୍ତି ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ପରେ ଏହି ପ୍ରସଙ୍ଗରେ ସୋମବାର ଗୃହରେ ଉତ୍ତର ରଖିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657980385.jpg)