‘ଢିଙ୍କିଆବାସୀଙ୍କୁ ମୁକ୍ତ ନକଲେ ପ୍ରତିବାଦ’ : ଢିଙ୍କିଆରେ ପୋଲିସ ଅତ୍ୟାଚାର ଚଳାଇଥିବା କହିଲେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା

ପୋଲିସର ଆତଙ୍କରାଜ ଓ ଗିରଫଦାରୀ ବଢିଯାଇଛି ବୋଲି ପରିବେଶବିତ୍ ତଥା ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି ।

ଦାବି ପୂରଣ ନହେଲେ ଢିଙ୍କିଆ ସମେତ ସମଗ୍ର ରାଜ୍ୟରେ ପ୍ରତିବାଦ ହେବ

News Summary

ଆନ୍ଦୋଳନର ପ୍ରମୁଖ ନେତା ଦେବେନ୍ଦ୍ର ସ୍ୱାଇଁଙ୍କୁ ଗିରଫ କରାଯାଇଛି 

ତୁରନ୍ତ ଦେବେନ୍ଦ୍ରଙ୍କ ସମେତ ଅନ୍ୟ ଗ୍ରାମବାସୀଙ୍କୁ ମୁକ୍ତ କରିବାକୁ ଦାବି

ଦାବି ପୂରଣ ନହେଲେ ଢିଙ୍କିଆ ସମେତ ସମଗ୍ର ରାଜ୍ୟରେ ପ୍ରତିବାଦ ହେବ

JSW ପ୍ରକଳ୍ପ ତଥା ଜିନ୍ଦଲ ଷ୍ଟିଲ କମ୍ପାନୀ ସ୍ୱାର୍ଥରେ ପୋଲିସ ଢିଙ୍କିଆରେ ଆତଙ୍କରାଜ ଜାରି ରଖିଛି । ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି କଂପାନୀ ପାଇଁ ପରିବେଶ ମଞ୍ଜୁର କରାଯାଇଛି । ଏହାସହ ପୋଲିସର ଆତଙ୍କରାଜ ଓ ଗିରଫଦାରୀ ବଢିଯାଇଛି ବୋଲି ପରିବେଶବିତ୍ ତଥା ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି । କେବଳ ଏତିକି ନୁହେଁ, ଜିନ୍ଦଲ ବିରୋଧୀ ଜନ ଆନ୍ଦୋଳନର ନେତା ଦେବେନ୍ଦ୍ର ସ୍ୱାଇଁଙ୍କୁ ୨୬ରୁ ଅଧିକ ମିଛ ମୋକଦ୍ଦମାରେ ହଜାତରେ ରଖାଯାଇ ମାନସିକ ନିର୍ଯାତନା ଦିଆଯାଉଛି ବୋଲି ସେ କହିଛନ୍ତି ।

ଦେବେନ୍ଦ୍ର ସ୍ୱାଇଁଙ୍କ ସମେତ ଜେଲରେ ଥିବା ଗ୍ରାମବାସୀଙ୍କୁ ନିସର୍ତ୍ତରେ ଖଲାସ ଓ ଢିଙ୍କିଆରୁ ପୋଲିସ କ୍ୟାମ୍ପ ଉଠାଇବାକୁ ସେ ଦାବି କରିଛନ୍ତି । ନହେଲେ ଆସନ୍ତା ମାସରେ ଢିଙ୍କିଆ ସମେତ ସାରା ରାଜ୍ୟରେ ପ୍ରତିବାଦ କରାଯିବ ବୋଲି ପ୍ରଫୁଲ୍ଲ ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସୂଚନାଯୋଗ୍ୟ ଢିଙ୍କିଆ ମାମଲାରେ ସତ୍ୟପାଠ ଦ୍ୱାରା ଅଭିଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାର୍ଚ୍ଚ ୫ ତାରିଖରେ ଆଡ଼ଭୋକେଟ କମିଟିର ଜନଶୁଣାଣୀ ସମୟରେ ସପକ୍ଷବାଦୀଙ୍କ ପ୍ରତିରୋଧ ଯୋଗୁ କିଛି ଲୋକ ଉପସ୍ଥିତ ହୋଇପାରିନଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ଏସବୁକୁ ଦୃଷ୍ଟିରେ ରଖି ସତ୍ୟପାଠ ଜରିଆରେ ଅଭିଯୋଗ ପାଇଁ କୋର୍ଟ ଅନୁମତି ଦେଇଥିଲେ । ସେହିପରି ଜାନୁଆରୀ ୧୪ ତାରିଖ ହିଂସାକାଣ୍ଡ ପରେ କେତେ ଜଣଙ୍କୁ ଗିରଫ କରାଯାଇଛି ଓ କେଉଁ ଦଫାରେ ଗିରଫ କରାଯାଇଛି ସେ ନେଇ ତଥ୍ୟ ଲୋଡିଥିଲେ ହାଇକୋର୍ଟ ।