ଆଧୁନିକ ଯୁଗରେ ପରମ୍ପରାର ଛାପ; ବଢୁଛି ଧନୁ ମୁଆଁର ଚାହିଦା

ଆଜି ହେଉଛି ଧନୁ ସଂକ୍ରାନ୍ତି । ଏନେଇ କାରିଗରମାନେ ଲାଗିପଡିଛନ୍ତି ମୁଆଁ ପ୍ରସ୍ତୁତ କରିବାରେ । ଆଧୁନିକତା ଭିତରେ ଆଜି ବି ବଞ୍ଚି ରହିଛି ପରମ୍ପରା । ରାଜ୍ୟର ବିଭିନ୍ନ ସ୍ଥାନରେ ମୁଆଁ ବିକ୍ରି କରାଯାଏ ।

ଅନଲାଇନରେ ବି ମିଳୁଛି ଧନୁ ମୁଆଁ

କଟକ/ବ୍ରହ୍ମପୁର (ପ୍ରଭାତ ବିଶୋୟୀ , ଜଗନ୍ନାଥ ସାହୁ ) : ଆଜି ହେଉଛି ଧନୁ ସଂକ୍ରାନ୍ତି । ଏନେଇ କାରିଗରମାନେ ଲାଗିପଡିଛନ୍ତି ମୁଆଁ ପ୍ରସ୍ତୁତ କରିବାରେ । ଆଧୁନିକତା ଭିତରେ ଆଜି ବି ବଞ୍ଚି ରହିଛି ପରମ୍ପରା । ଧନୁ ସଂକ୍ରାନ୍ତିରେ ଓଡ଼ିଆ ଘରମାନଙ୍କରେ ଧନୁ ମୁଆଁ ପୂଜା ହୋଇଥିବାରୁ ଓଡିଶାରେ ମୁଆଁର ଚାହିଦା ଅଧିକ ରହିଥାଏ । ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ମୁଆଁ ବିକ୍ରି କରାଯାଏ । ଠିକ୍‌ ସେହିପରି ଭାଇଚାରାର ସହର କଟକର ବିଭିନ୍ନ ସାହିଠାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ମୁଆଁ ବିକ୍ରି କରାଯାଏ । ହେଲେ ଚଳିତ ବର୍ଷ ମଧ୍ୟ କରୋନା କଟକଣା ଥିବାରୁ ଅନଲାଇନରେ ମଧ୍ୟ ମୁଆଁ ବିକ୍ରି କରାଯାଉଛି ।

ସିଲଭର ସିଟିର ଖାନନଗରରେ ଥିବା କିଛି ଗୁଡିଆ ପରିବାର ଏବେ ମୁଆଁ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ଧନୁ ସଂକ୍ରାନ୍ତି ଅବସରରେ ସ୍ୱତନ୍ତ୍ର ଭାବେ ମୁଆଁ ପ୍ରସ୍ତୁତ କରାଯାଇଥାଏ । ପ୍ରଥମେ ଲିଆକୁ ଘିଅରେ ମିଶାଇବା ପରେ ପରେ ଚିନି ଓ ଗୁଡ଼ର ମିଶ୍ରଣରେ ମୁଆଁ ପ୍ରସ୍ତୁତ କରାଯାଏ । ଏହାକୁ ସୁସ୍ୱାଦୁ କରିବା ପାଇଁ ସେଥିରେ ଗୋଲ ମରିଚ, ଜୁଆଣି ଗୁଣ୍ଡ, ନଡିଆ, ବାଦାମ ଆଦି ମିଶାଯାଇ ପ୍ରସ୍ତୁତି କରାଯାଏ । ଯାହାପରେ ଏହାକୁ ବଜାରରେ ୩୦ ଟଙ୍କାରୁ ଆରମ୍ଭ କରାଯାଇ ୨୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଇଥାଏ ।

ଓଡ଼ିଶାରେ କାହିଁ କେଉଁ କାଳରୁ ଧନୁ ମୁଆଁ ପୂଜା ହେବାର ପରମ୍ପରା ରହିଛି । ଏହି ଧାରାରେ ବିଭିନ୍ନ ସହରରେ ଭିନ୍ନ ଭିନ୍ନ ସ୍ୱାଦର ମୁଆ ପ୍ରସ୍ତୁତ କରାଯାଉଛି । ସମୟ ବଦଳିବା ସହ ଲୋକଙ୍କ ପାଟିର ସ୍ୱାଦ ମଧ୍ୟ ବଦଳିଛି । ଯାହାକୁ ଦୃଷ୍ଟିରେ ରଖି ଉଭୟ ବିକ୍ରେତା ଓ ଗ୍ରାହକ ବେଶ୍‌ ଉତ୍ସାହିତ ରହିଥାନ୍ତି । ମୁଆଁର କ୍ୱାଲିଟି ଓ ପ୍ରସ୍ତୁତୀକରଣକୁ ନେଇ ଭିନ୍ନ ଭିନ୍ନ ଦର ନିର୍ଦ୍ଧାରିତ ହୋଇ ରହିଛି । ମୁଆଁ କିଲୋ ପିଛା ଶହେ ଟଙ୍କାରୁ ଆରମ୍ଭ କରି ଦୁଇ ହଜାର ଟଙ୍କା ଯାଏ ବିକ୍ରି କରାଯାଉଛି । କରୋନା କଟକଣା ଯୋଗୁଁ ବ୍ରହ୍ମପୁର ସହରରେ ମଧ୍ୟ ଅନ୍‌ଲାଇନରେ ମୁଆଁ ବିକ୍ରି କରାଯାଉଛି ।

ଧନୁ ସଂକ୍ରାନ୍ତି ଉପଲକ୍ଷେ ବ୍ରହ୍ମପୁରରେ ପାରମ୍ପରିକ ଛୁଙ୍କ ସହ ଆଧୁନିକତାର ସ୍ପର୍ଶରେ ସ୍ୱତନ୍ତ୍ର ଭାବେ ମୁଆଁକୁ ପ୍ରସ୍ତୁତ କରାଯାଉଛି । ମୁଆଁ ଦେଖିବାକୁ ଯେତେ ସୁନ୍ଦର ଖାଇବାକୁ ବି ସେତିକି ମୁସୁମୁସିଆ ଓ ସୁଆଦିଆ । ସୁବାଷିତ ଘିଅରେ ପ୍ରସ୍ତୁତ ହୋଇ ପ୍ୟାକିଂ ପରେ ଗ୍ରାହକଙ୍କ ପାଖରେ ପରସା ଯାଏଏହି ମୁଆଁ । କାଜୁ, ପିସ୍ତା, ବାଦାମ ସହ ଅନେକ ପ୍ଲେଭରରେ ମୁଆଁ ଗୁଡିକୁ ତିଆରି କରାଯାଇଛି ।