ଜେଲ୍‌ରେ ରହିବା ପରି ଜୀବନ ବିତାଉଛନ୍ତି ହରିଣ !

ପାଟି ଫିଟୁନି ବୋଲି...୨୦ ରହିବା ଜାଗାରେ ରହିଛନ୍ତି ୨୦୦ । ଠିକ୍‌ରେ ଖାଇବା ମିଳୁନି କି ପାଣି...ଧୁମ୍‌ ଦ୍ୱିପ୍ରହରରେ ଆଉଟପାଉଟୁ ହେଉଛନ୍ତି ହରିଣ । ଆଜି କାଲି କହି ଦିନ ଗଡାଉଛି ପ୍ରଶାସନ

Deer park

ସୁଧୁରିବାର ନାଁ ଧରୁନି କଟକ ଡିୟର ପାର୍କର ସ୍ଥିତି । ଆବଶ୍ୟକ ଭିତ୍ତିଭୂମିଠାରୁ ଢେର୍ ଅଧିକ ସଂଖ୍ୟାରେ ହରିଣ ପାର୍କରେ ରହୁଥିବାରୁ ସୁରକ୍ଷାକୁ ନେଇ ଉଠିଲାଣି ପ୍ରଶ୍ନ । ତେଣୁ ପାର୍କରୁ ହରିଣଙ୍କୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଥିବା ପରେ ବି କାର୍ଯ୍ୟକାରୀ ହେବାର ନା ଧରୁନି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ତେଜିବାରେ ଲାଗିଛି ଅସନ୍ତୋଷ ।

କଟକ ସହରର ଶୋଭା ବଢାଉଥିବା ଏକମାତ୍ର ହରିଣ ପାର୍କର ହରିଣମାନଙ୍କ ଜୀବନ ଏବେ ବିପଦରେ । ନାଁ ଅଛି ଆବଶ୍ୟକ ଭିତ୍ତଭୂମି ନାଁ ଅଛି ହରିଣଙ୍କ ବୁଲିବା ଲାଗି ପର୍ଯ୍ୟାପ୍ତ ସ୍ଥାନ । ମୋଟ୍‌ ଉପରେ ନାହିଁ ନାହିଁରେ ଚାଲିଛି ଡିୟର ପାର୍କ । ପ୍ରଥମେ ପ୍ରଥମେ ହାତଗଣତି ହରିଣଙ୍କୁ ନେଇ ଆରମ୍ଭ ହୋଇଥିବା ପାର୍କରେ ଏବେ ହରିଣଙ୍କ ସଂଖ୍ୟା ପହଞ୍ଚିଲାଣି ୨୯୧ । କିନ୍ତୁ ସତ ଜାଣିଲେ ହୋସ୍‌ ଉଡିଯିବ । ଭିତ୍ତିଭୂମୀ ଯେତିକି ଅଛି ସେତିକିରେ ମାତ୍ର ୧୦ ହରିଣ ରହିବା କଥା ହେଲେ ଏବେ ରହୁଛନ୍ତି ୧୦ ଗୁଣା ଅଧିକ ।

ହରିଣଙ୍କ ସୁରକ୍ଷା ଲାଗି ବାରମ୍ବାର ଦାବି ହେବା ପରେ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ପକ୍ଷରୁ ସେମାନଙ୍କୁ ସ୍ଥାନାନ୍ତର କରିବା ଲାଗି ଯୋଜନା ପ୍ରସ୍ତୁତ ହେଲା । କିନ୍ତୁ ପ୍ରତିଥର ପରି ଏଥର ବି ଯୋଜନା କେବଳ ଖାତା କଲମରେ ରହିଗଲା । ହେଲେ କାହିଁକି ବିଳମ୍ବ ହେଉଛି ପ୍ରଶ୍ନ କରିବାରୁ ମେୟର କହୁଛନ୍ତି ଜାଗା ଚିହ୍ନଟ ସରିଛି, ଖୁବଶୀଘ୍ର ସ୍ଥାନାନ୍ତର ହେବେ ।

୧୯୮୧ ମସିହାରେ ମାତ୍ର ୬ଟି ହରିଣଙ୍କୁ ନେଇ ଆରମ୍ଭ ହୋଇଥିଲା ଏହି ଡିୟର ପାର୍କ । ପ୍ରଥମେ ପ୍ରଥମେ ଅଳ୍ପ ସଂଖ୍ୟାରେ ଥିବାରୁ ଅସୁବିଧା ହେଉନଥିଲା । ହେଲେ ଏବେ ହରିଣଙ୍କ ସଂଖ୍ୟା ବଢିଥିବାରୁ ସମସ୍ୟା ସୃଷ୍ଟି ହେଲାଣି । ଏମିତିକି ସେମାନଙ୍କୁ ଠିକ୍‌ରେ ଖାଇବାକୁ ବି ମିଳୁନି । ତେଣୁ ତୁରନ୍ତ ଏହି ନିରୀହ ଜୀବଙ୍କ ସୁରକ୍ଷା ଦାବି କରିଛନ୍ତି ସ୍ଥାନୀୟ ଲୋକେ ।