ବଦଳିଲେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । କେନ୍ଦୁଝର CDMO ସୁଜାତା ରାଣୀ ମିଶ୍ରଙ୍କୁ ନବରଙ୍ଗପୁରକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ କେନ୍ଦୁଝରର ନୂଆ CDMO ଭାବେ କିଶୋର ଚନ୍ଦ୍ର ପୃଷ୍ଟି ଦାୟିତ୍ୱ ନେବେ ।
ନିକଟରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ୧୩ ଶିଶୁ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସାରା ରାଜ୍ୟରେ ପ୍ରବଳ ତମ୍ବିତୋଫାନ ସହ ଜିଲ୍ଲା ମୁଖ୍ୟ ମେଡିକାଲର ସ୍ୱାସ୍ଥ୍ୟସେବାକୁ ନେଇ ପ୍ରଶ୍ନ ଉଠିଥିଲା । ବିଶେଷକରି ଏସ୍ଏନ୍ସିୟୁରେ ଡାକ୍ତର ଉପସ୍ଥିତ ନଥିବାରୁ ଦିନକରେ ୬ଜଣ ଶିଶୁଙ୍କ ଜୀବନ ଯାଇଥିବା ଅଭିଯୋଗ ବି ହୋଇଥିଲା ।
Also Read
ଏଭଳି ସ୍ଥିତି ଭିତରେ ଆଜି କେନ୍ଦୁଝର ସିଡିଏମଓଙ୍କ ବଦଳି କରାଯାଇ ତାଙ୍କ ସ୍ଥାନରେ ନୂଆ ସିଡିଏମଓଙ୍କୁ ଦାୟିତ୍ୱ ମିଳିଛି । ସେପଟେ କେନ୍ଦୁଝର ମେଡିକାଲରେ ଶିଶୁ ମୃତ୍ୟୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିରୋଧୀ ବିଜେପି । ହାଇକୋର୍ଟର ଜଣେ ସିଟିଂ ଜଜ୍ଙ୍କ ଜରିଆରେ ଶିଶୁମୃତ୍ୟୁ ଘଟଣାର ତଦନ୍ତ କରିବାକୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଦାବି କରିଛନ୍ତି ।
ଶ୍ରୀ ମାଝୀ କହିଛନ୍ତି, ୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ହେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଅନେକ ଶିଶୁ କୁପୋଷଣର ଶିକାର ହୋଇଥିଲେ ଓ ଏ ନେଇ ଚିଠି ଲେଖି ଜଣାଇଥିଲି। ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ନଥିବାରୁ ଉପଯୁକ୍ତ ଚିକିତ୍ସା ମିଳୁନି। ୮୫୮୩ କୋଟି ଟଙ୍କା ଡିଏମ୍ଏଫ୍ରେ ଥିଲେ ବି ତାହା ଖର୍ଚ୍ଚ ହେଉନି।