ଅଜଣା ରୋଗରେ ଛଟପଟ୍‌ ହେଉଛି ଚଉଦ ବର୍ଷର ଝିଅ : ଅର୍ଥ ଅଭାବରୁ ଚିକିତ୍ସାରେ ପଡ଼ିଛି ବେଡ଼ି

ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ସ୍କୁଲ ଯାଇ ପାରୁନି କୁନି ଝିଅ । ଅଜଣା ରୋଗରେ ପଡ଼ି ଝଟପଟ୍ ହେଉଛି ।

ଯେଉଁ ବୟସରେ ଖେଳ କୁଦ କରିବା କଥା, ସେହି ବୟସରେ ବିଛଣାରେ ଶୋଇ ଶୋଇ ଦିନ ଗଡୁଛି

ଯେଉଁ ବୟସରେ ଖେଳ କୁଦ କରିବା କଥା, ସେହି ବୟସରେ ବିଛଣାରେ ଶୋଇ ଶୋଇ ଦିନ ଗଡୁଛି । ସାଥି ହୋଇ ସ୍କୁଲ ଯିବା ବୟସରେ ଜୀବନ ସହ ସଂଗ୍ରାମ କରୁଛି କୁନି ଝିଅ । ଦେହର ରୋଗ, ପାଠପଢ଼ା ଆଉ ଖେଳକୁଦକୁ ଶିକୁଳି ସାଜୁଛି । ଚିକିତ୍ସା ଅଭାବରୁ ଘର ବାରଣ୍ଡା ବିଛଣାରେ ଶୋଇ ଶୋଇ ମୃତ୍ୟୁ ସହ ଜୁଝୁଛି ଚଉଦ ବର୍ଷର କୁନି ଝିଅ ପୂଜା । ଅଜଣା ରୋଗରେ ପଡ଼ିଥିବା ବେଳେ ଚିକିତ୍ସାରେ ବାଧକ ସାଜିଛି ଅର୍ଥ ।

ବାସୁଦେବପୁର ବ୍ଲକ ଅଢୁଆଁ ପଞ୍ଚାୟତ ନନ୍ଦପୁର ଗ୍ରାମର ରବୀନ୍ଦ୍ର ଆଉ ସୁକାନ୍ତି ମୁଦୁଲୀଙ୍କ ଝିଅ ପୂଜା । ବୟସ ମାତ୍ର ଚଉଦ ବର୍ଷ । ପିଲାଟି ଦିନରୁ ଭଲ ପାଠ ପଢୁଥିଲେ, ହେଲେ ଏବେ ରୋଗ ତାଙ୍କୁ ଘାଣ୍ଟୁଛି । ବାପା ରବିନ୍ଦ୍ର ଜଣେ ଦିନ ମଜୁରିଆ ସହ ମାନସିକ ରୋଗୀ । ମାନସିକ ସ୍ଥିତି ଠିକ ଥିଲେ ପର ଦୁଆରେ ମୁଲ ଲାଗିବା ପାଇଁ ଯାଆନ୍ତି , ନହେଲେ ଦିନ ଦିନ ଘରେ ଶୋଇ ରୁହନ୍ତି । ଆଉ ମା ସୁକାନ୍ତି ଜଣେ ସାଧାରଣ ଗୃହିଣୀ । ବଡ଼ ଝିଅ ପୂଜାକୁ ଛାଡି ଘରେ ଆହୁରି ତିନି ଝିଅ ଗୋଟିଏ ପୁଅ । ବାପ ମୂଲ ଲାଗି ସାତ ପ୍ରାଣୀଙ୍କୁ ଦାନା ଦେବା କଷ୍ଟକର ହୋଇପଡିଥିବା ବେଳେ ପୂଜାର ଚିକିତ୍ସା ପାଇଁ ଅର୍ଥ ଆସିବ ବୋଲି ଚିନ୍ତାରେ ପୂରା ପରିବାର ।

ସବୁ ଠିକ୍‌ ଚାଲିଥିଲା, ହେଲେ ପାଞ୍ଚ ବର୍ଷ ତଳେ ପୂଜାର ଦେହ ହଠାତ ଖରାପ ହୋଇଗଲା । ପରେ ଧୀରେ ଧୀରେ ପେଟ ଫୁଲିଯିବା ସହ ଝାଡା ପରିଶ୍ରା ବନ୍ଦ ହେବାକୁ ଲାଗିଲା । ପରିବାର ଲୋକେ ପୂଜାକୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନରେ ଚିକିତ୍ସା କରାଇଥିଲେ । ଏଥିରେ ଉପଶମ ନହେବାରୁ ପ୍ରଥମେ ବାଲେଶ୍ଵର ପରେ ଭୁବନେଶ୍ୱର ଓ ଶେଷରେ କଟକ କଟକ ବଡ଼ ଡାକ୍ତଖାନାକୁ ନେଇ ଯାଇଥିଲେ । କଟକରେ ଚିକିତ୍ସା ହେଉଥିବା ସମୟରେ ଡାକ୍ତର ପୂଜାର ସଠିକ ରୋଗ ଚିହ୍ନି ପାରୁନଥିଲେ । ତଥାପି ଈଶ୍ୱରଙ୍କୁ ଡାକି ପରିବାର ଲୋକ ଡାକ୍ତରଙ୍କ ପାଖରେ ଚିକିତ୍ସା କରିଥିଲେ । ହେଲେ ଏହି ଅଜଣା ରୋଗର ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନେବାକୁ ପଡିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ ।

ଦୁର୍ଭାଗ୍ୟର ବିଷୟ ଅଭାବୀ ପରିବାର ରାଜ୍ୟ ବାହାରକୁ ଯାଇ ଚିକିତ୍ସା କରିବା ପାଇଁ କେଉଁଠୁ ଅର୍ଥ ଯୋଗାଡ଼ କରିଥାନ୍ତେ । ନିରାଶ ହୋଇ ପୂଜାକୁ ଘରକୁ ନେଇ ଆସିଥିଲେ । ଝିଅର ଚିକିତ୍ସା ପାଇଁ ମା, ଗାଁ ଲୋକଙ୍କ ଠାରୁ ହାତ ଉଧାରୀ ସହ ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ ଆଣିଥିବା ଋଣ ଆଜି ଯାଏଁ ପରିଶୋଧ କରି ପାରିନି । ଆଉ ଏପଟେ ଝିଅକୁ ଆଗକୁ ଚିକିତ୍ସା କେମିତି କରିବ ଏବେ ଏହି ଚିନ୍ତାରେ ।

ତେବେ ଏହି ଅଭାବୀ ପରିବାରର ଝିଅ ପୂଜାର ଚିକିତ୍ସା ପାଇଁ ସରକାର ଅବା କୌଣସି ସହୃଦୟ ବ୍ୟକ୍ତିଙ୍କ ବଦାନ୍ୟତାକୁ ଚାହିଁ ବସିଛନ୍ତି ପୁରା ପରିବାର ।

ବାସୁଦେବପୁରରୁ କିରୀଟି ଦାସ