Advertisment

ଦାନିଶଙ୍କୁ ଝୁରୁଛି ପେଣ୍ଡାଜାମ, ମନେ ପକାଉଛନ୍ତି ରିନା ଯାନୀ

କରୋନା ଟିକା କେମିତି ଏକ ଅପହଞ୍ଚ ଇଲାକାରେ ଲୋକଙ୍କ ହାତରେ ଲାଗୁଛି, ତାହାର ପୁରା ଘଟଣାକ୍ରମ କ୍ୟାମେରାରେ କଏଦ କରିବାକୁ କୋରାପୁଟ ଆସିଥିଲେ ଦାନିଶ

ଦାନିଶଙ୍କୁ ଝୁରୁଛି ପେଣ୍ଡାଜାମ, ମନେ ପକାଉଛନ୍ତି ରିନା ଯାନୀ

Danish in Pendajam

Advertisment

କୋରାପୁଟ: କୋରାପୁଟ ଜିଲ୍ଲା ମାଥାଲପୁଟ ନିକଟ ଦୁର୍ଗମ ଆଦିବାସୀ ଗାଁ ପେଣ୍ଡାଜାମ।  ଏଠାକାର ଆଶା କର୍ମୀ ରିନା ଯାନୀ। ରିନା ଜାଣନ୍ତିନି ଦାନିଶ ସିଦ୍ଦିକି କିଏ ଥିଲେ, କଣ କରୁଥିଲେ, କେମିତି ମଲେ। ରିନା ଏକଥା ବି ଜାଣନ୍ତିନି ଯେ, ଦାନିଶ ଉଠାଇଥିବା ତାଙ୍କର ଏହିସବୁ  ଫଟୋ ସାରା ଦୁନିଆ ଦେଖିଛି। ଖାଲି ଏତିକି ଜାଣନ୍ତି, ଯେଉଁ ଗାଁକୁ ଠିକ୍‌ରେ ମୋବାଇଲ୍ ନେଟଓ୍ୱର୍କ ବି ଆସେନି, ସେଠାକୁ ଓଡ଼ିଶା ବାହାରୁ ଜଣେ ବାବୁ ଆସି ବଡ଼ କ୍ୟାମେରାରେ ଫଟୋ ଉଠାଉଥିଲେ। ହିନ୍ଦୀ ଓ ଇଂରାଜୀରେ କଥା ହେଉଥିଲେ, ଆଉ ତାଙ୍କ ଝିଅଙ୍କ ଦଶମ ପରେ ଆଗକୁ ପାଠପଢ଼ା ପାଇଁ ସାହାଯ୍ୟ କରିବେ ବୋଲି କହିଥିଲେ।

Advertisment

କରୋନା ଟିକା କେମିତି କଂପାନୀରୁ ବାହାରି ଶହ ଶହ କିଲୋମିଟର ଯାତ୍ରା କରି ଏକ ଅପହଞ୍ଚ ଇଲାକାରେ ଲୋକଙ୍କ ହାତରେ ଲାଗୁଛି, ତାହାର ପୁରା ଘଟଣାକ୍ରମ କ୍ୟାମେରାରେ କଏଦ କରିବାକୁ ଗତ ଜାନୁଆରୀରେ ପେଣ୍ଡାଜାମ ଆସିଥିଲେ ଦାନିଶ। ସହଯୋଗୀ ଓଡ଼ିଆ ସାମ୍ବାଦିକ ଯତୀନ ଦାଶଙ୍କ ସହ ଯାଇ କୋରାପୁଟ ସିଡିଏମ୍ଓ ଏବଂ ମାଥାଲପୁଟ ସିଏଚସି ଡାକ୍ତରଙ୍କୁ ବି ଭେଟିଥିଲେ। ୨ଦିନର ରହଣୀ ଭିତରେ ରିନା ଓ ତାଙ୍କ ପରିବାର ପାଇଁ ସେ ପାଲଟିଯାଇଥିଲେ ଜଣେ ଚିହ୍ନା ଲୋକ। ଆଉ ଏବେ ତାଙ୍କ ଅକାଳ ବିୟୋଗ କଥା ଶୁଣି ସମସ୍ତେ ଦୁଃଖିତ। 

ମୁମ୍ବାଇର ଦାନିଶ ଦୀର୍ଘ ୧୦ ବର୍ଷ ଧରି ଅନ୍ତର୍ଜାତୀୟ ଗଣମାଧ୍ୟମ ରୟଟର୍ସ୍ ପାଇଁ କାର୍ଯ୍ୟ କରୁଥିଲେ ଏବଂ ସଂସ୍ଥାର ଇଣ୍ଡିଆ ହେଡ୍ ଥିଲେ। ୨୦୧୫ ନେପାଳ ଭୂକମ୍ପ, ରୋହିଙ୍ଗ୍ୟା ଶରଣାର୍ଥୀ ସମସ୍ୟା, ହଂକଂ ଆନ୍ଦୋଳନଠୁ ଆରମ୍ଭ କରି ଭାରତରେ କରୋନା ବିଭୀଷିକା ଯାଏଁ  ନିଜ କ୍ୟାମେରାରେ କଏଦ୍ କରିଥିଲେ ଅନେକ ହୃଦୟସ୍ପର୍ଶୀ ତଥା ଚର୍ଚ୍ଚିତ କଥାକୁହା ଫଟୋ।

Advertisment

ରୋହିଙ୍ଗ୍ୟା ଶରଣାର୍ଥୀ ସମସ୍ୟା ସଂପର୍କିତ ଫଟୋ ସାମ୍ବାଦିକତା ପାଇଁ ୨୦୧୮ରେ ତାଙ୍କୁ ସମ୍ମାନଜନକ ପୁଲିତଜର ପୁରସ୍କାର ମିଳିଥିଲା। ଗତ ଗୁରୁବାର ଆଫଗାନିସ୍ତାନରେ ସ୍ପେଶାଲ ଫୋର୍ସ ସହ ଯୋଡ଼ି ହୋଇ ତାଲିବାନ ବିରୋଧୀ ଅପରେସନ୍‌କୁ କଭର୍ କରୁଥିବା ବେଳେ, ଗୁଳିବାଜି ତାଙ୍କ ମୃତ୍ୟୁ ହୋଇଛି। ଏଥିପାଇଁ ସାରାବିଶ୍ୱରୁ ଶୋକବାର୍ତ୍ତା ଛୁଟିଛି।

ରିପୋର୍ଟ: ନିରଞ୍ଜନ ରେଡ୍ଡି ଓ ସୂର୍ଯ୍ୟ ନାରାୟଣ ପଣ୍ଡା

Taliban Militants Photography Journalists Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ