Advertisment

ଘରେ ତାଲା ପକାଇଦେଲା ଠିକାଦାର...ମାଟି ଘରେ ପିଲା ପାଠ ପଢୁଛନ୍ତି

ବିଲ୍‌ ମିଳିନି ବୋଲି ନୂଆ ଘର ତିଆରି ପରେ ବି ତାଲା ଖୋଲୁନି ଠିକାଦାର । ଘର ସରିବାର ୩ ବର୍ଷ ପୂରିଲାଣି ହେଲେ ଏଯାଏଁ ଆରମ୍ଭ ହେଲାନି ପଢା...ଭଙ୍ଗାଦଦରା ମାଟି ଘରେ ବର୍ଷାରେ ଓଦା ହୋଇ ପିଲା ପଢୁଛନ୍ତି ପାଠ।

ଅଦ୍ୟତନ ହୋଇଛି
Anganwadi center  Problem

Anganwadi center Problem

Advertisment

ପିଲାଙ୍କ ଲାଗି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ହେଲା, ରଙ୍ଗ ହୋଇ ପୂରା ଚକ୍‌ଚକ୍‌ ଦିଶିଲା । ହେଲେ ପିଲାମାନେ ସେହି ଘରେ ପାଠ ପଢିବାର ସୁଯୋଗ ପାଉନାହାନ୍ତି । ତେଣୁ ବାଧ୍ୟ ହୋଇ ସନ୍ତସନ୍ତିଆ ଘରେ ଓଦା ମାଟିରେ ବସି ପାଠ ପଢୁଛନ୍ତି କୁନିକୁନି ପିଲା । ଖାଲି ପାଠ ପଢୁଛନ୍ତି ତାହା ନୁହେଁ ବରଂ ସେଇଠି ରୋଷେଇ ହେଉଛି ପିଲାମାନେ ବସି ଭାତ, ଡାଲି ସହ ଅଣ୍ଡା ବି ଖାଉଛନ୍ତି । ହେଲେ ଏମିତି ଅବ୍ୟବସ୍ଥାରେ ପିଲାମାନେ ବସି ପାଠ ପଢୁଥିବାରୁ ତେଜିବାରେ ଲାଗିଲାଣି ଅସନ୍ତୋଷ ।

Advertisment

କନ୍ଧମାଳ ଫିରିଙ୍ଗିଆ ବ୍ଲକ କାସିନିପଦର ପଞ୍ଚାୟତର ତରଗାବାଲି ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଏଠାରେ ଅଙ୍ଗନବାଡି କେନ୍ଦ୍ର ଜଣେ ଗ୍ରାମବାସୀଙ୍କ ମାଟି ଘର ବାରଣ୍ଡାରେ ବଡ଼ ଦୟନୀୟ ଅବସ୍ଥାରେ ଚାଲିଛି । ଏପଟେ କିନ୍ତୁ ନବନିର୍ମିତ ଅଙ୍ଗନବାଡି କେନ୍ଦ୍ରର କୋଠାରେ ତାଲା ଠୁଙ୍କି ଦେଇଛି ଠିକାଦାର । ଖରା କି ଶୀତ ଦିନରେ ଯାହା ଯେମିତି ପଢାଯାଉଥିଲା ହେଲେ ଏବେ ବର୍ଷା ଦିନ । ତେଣୁ ଢୋ ଢୋ ବର୍ଷା ହେଲେ ସ୍ଥିତି ପୂରା ସଙ୍ଗୀନ ହେଉଛି । ମାଟି କାନ୍ଥ ଥିବାରୁ ସନ୍ତଉଛି । ହେଲେ ବି କାହା ପାଖରେ କିଛି ଉପାୟ ନାହିଁ । ସେଇଥି ପାଇଁ ତ ସେମିତି ପରିବେଶରେ ପିଲାଏ ପଢୁଛନ୍ତି ପାଠ ।

ଏଠାରେ ଖାଲି କୁନିକୁନି ପିଲାଙ୍କ ପୋଷଣ କାର୍ଯ୍ୟକ୍ରମ ହେଉଛି ତାହା ନୁହେଁ ବରଂ ପ୍ରସୂତି ମହିଳାଙ୍କ ମମତା କାର୍ଯ୍ୟକ୍ରମ ବି ସେହି ବିପଦସଂକୁଳ ଘରେ ଚାଲିଛି । ଅଙ୍ଗନବାଡି ପରିଚାଳିକା ବଡ଼ ଦୟନୀୟ ଅବସ୍ଥାରେ ପିଲାଙ୍କୁ ପାଠ ପଢେଇବା ସହିତ ରୋଷେଇ କରି ଖାଇବାକୁ ଦେଉଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗାଁରେ ଯେବେଠାରୁ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଛି ସେବେଠାରୁ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନି ।

Advertisment

ବିପଦସଂକୁଳ ଅଙ୍ଗନବାଡି ନେଇ ପ୍ରଶାସନକୁ ବାରମ୍ବାର ଗୁହାରି କରିଛନ୍ତି ଗ୍ରାମବାସୀ । ଅଭିଯୋଗ ପରେ ୫ ବର୍ଷ ପୂର୍ବେ ପ୍ରଶାସନ ପକ୍ଷରୁ ଗାଁରେ ନୂଆ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଗଲା । ୩ ବର୍ଷ ହେଲାଣି ଘର କାମ ସରିଛି କିନ୍ତୁ ଏଯାଏଁ ଘରୁ ତାଲା ଖୋଲିନି କି ପିଲାମାନେ ନୂଆ ଘରେ ବସି ପାଠ ପଢିନାହାନ୍ତି । ତେଣୁ ତୁରନ୍ତ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ସେପଟେ ଏନେଇ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଫିରିଙ୍ଗିଆ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବା ପରେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ । ତେବେ ସମୟ କହିବ କେବେ ନୂଆ ଅଙ୍ଗନବାଡି କେନ୍ଦ୍ରରେ ପିଲାମାନେ ପଢୁଛନ୍ତି ପାଠ ।

Advertisment
Anganwadi Centre
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ