ପାର୍କରେ ବୁଲୁଛି, ସାଙ୍ଗସାଥୀଙ୍କ ସହ ମସ୍ତି କରୁଛି ଯୋଡ଼ାମୁଣ୍ଡ ଶିଶୁ ଜଗା

ସାଧାରଣ ଜୀବନ ବିତାଇବ ଜଗା । ଏଥିପାଇଁ ଘର ଲୋକ ଜଗାକୁ ବେଳେବେଳେ ମେଡିକାଲ ବାହାର ଦୁନିଆ ଦେଖାଇବାକୁ ପ୍ରୟାସ କରୁଛନ୍ତି ।

ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗାର ଖୁସି କହିଲେ ନସରେ

ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗାର ଖୁସି କହିଲେ ନସରେ । ପାର୍କରେ ବୁଲୁଛି, ସାଙ୍ଗସାଥୀଙ୍କ ସହ ମସ୍ତି କରୁଛି । ଏବେ ସେ ଧୀରେ ଧୀରେ ସୁସ୍ଥ ହେବାରେ ହେଉଛି । ଡାକ୍ତରଖାନା କ୍ୟାବିନରୁ ବାହାରି ବାହାରେ ବୁଲାବୁଲି କରିବା ସହିତ ବିଭିନ୍ନ ଖେଳ ଖେଳିବାକୁ ଭଲ ପାଉଛି । ଗତକାଲି ବାପା ଭୂୟାଁ କହଁରଙ୍କ ସହିତ ମିଶି ନାରାୟଣୀ ମନ୍ଦିର ନିକଟରେ ଥିବା କନ୍ଧମାଳ Science park କୁ ଯାଇଥିଲା ଜଗା ।

ପାର୍କରେ ବୁଲିବା ସହିତ ଖସଡ଼ା ଏବଂ ଦୋଳିରେ ଦୀର୍ଘ ସମୟ ଧରି ଖେଳିଥିଲା । ପାର୍କରେ ବସି ବିଭିନ୍ନ ଲୋକଙ୍କୁ ଦେଖିବା ସହ ବେଲୁନ ସହ ଖେଳିଥିଲା । ତାପରେ ପୁଣି ମେଡିକାଲକୁ ଫେରିଥିଲା । କିଛି ଦିନ ତଳେ ଜଗା ଫୁଲବାଣୀ ବଜାର ମଧ୍ୟ ବୁଲିବାର ଭିଡ଼ିଓ ଭାଇରାଲ ହୋଇଥିଲା ।

ସୂଚନାଯୋଗ୍, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମେଲୁପଡ଼ା ଗ୍ରାମର ଯୋଡାମୁଣ୍ଡ ଶିଶୁ ଜଗା କାଳିଆଙ୍କର ଶରୀରକୁ ଗତ ୨୦୧୭ ଅକ୍ଟୋବରରେ ଦିଲ୍ଲୀ ଏମ୍ସ ଠାରେ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା କରାଯାଇଥିଲା । ସେଠାରେ ଦୀର୍ଘ ଦିନ ଚିକିତ୍ସାଧୀନ ରହିବା ପରେ ସେମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ତେବେ ଦୁର୍ଭାଗ୍ୟର ବିଷୟ ଗତ ନଭେମ୍ବର ୨୫ରେ କାଳିଆର ମୃତ୍ୟୁ ହୋଇଥିଲା । ଏହାପରେ ଜଗାକୁ ଫୁଲବାଣୀ ଅଣାଯାଇଥିଲା। ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗର ଏକ ସ୍ୱତନ୍ତ୍ର କ୍ୟାବିନରେ ଜଗାର ଚିକିତ୍ସା ଚାଲିଛି ଏବଂ ସେ ଧୀରେ ଧୀରେ ସୁସ୍ଥ ଏବଂ ସ୍ୱାଭାବିକ ହେଉଥିବା ଦେଖିବାକୁ ମିଳୁଛି ।

ଫୁଲବାଣୀରୁ ତ୍ରିନାଥ ସାହୁଙ୍କ ରିପୋର୍ଟ