Advertisment

କିନ୍ଦିରିଗୁଡା କଫି’ର ନିଆରା ସ୍ୱାଦ : ଚାଷ କରି ଆତ୍ମନିର୍ଭରଶୀଳ ଗାଁଲୋକେ...

ଦିନରାତିକୁ ଏକ କରି ଡଙ୍ଗରରେ ଚାଷ କରୁଥିଲେ। ଖରା ହେଉକି ବର୍ଷା ଯେତେ ଖଟିଲେ ବି ପଇସା ମିଳୁନଥିଲା। ଏବେ କଫି ଦେଇଛି ସେମାନଙ୍କୁ ରୋଜଗାର। ଏବେ କଫି ଚାଷ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି କିନ୍ଦିରିଗୁଡା ଗାଁଲୋକେ...

Coffee Cultivation

Coffee Cultivation

Advertisment

କଫି ଦେଲା ରୋଜଗାର। ଆତ୍ମନିର୍ଭରଶୀଳ କିନ୍ଦିରିଗୁଡା ଲୋକେ। ଅର୍ନ୍ତଜାତୀୟ ବଜାରରେ କୋରାପୁଟ କଫିର ବେଶ ଚାହିଦା ରହିଛି। ନିଆରା ସ୍ୱାଦ ଯୋଗୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି କୋରାପୁଟ କଫି। ଏଥି ଯୋଗୁ କଫି ଚାଷ ପ୍ରତି ବଢୁଛି ଆଗ୍ରହ। କଫି ବିନରୁ ପ୍ରସ୍ତୁତ ଗୁଣ୍ଡ କିନ୍ଦିରିଗୁଡାବାସୀଙ୍କୁ  ରୋଜଗାର ଦେଇଛି।  

Advertisment

ଅନେକ ବର୍ଷ ପୂର୍ବେ କୋରାପୁଟ ଜିଲ୍ଲା ପ୍ରଶାସନ ଓ କଫି ବୋର୍ଡର ଉଦ୍ୟମରେ କିନ୍ଦିରିଗୁଡାରେ କଫି ଚାଷର ମୂଳଦୁଆ ପଡିଥିଲା। ୪୦ଟି ପରିବାରକୁ କଫି ଗଛ ପଟ୍ଟା ପ୍ରଦାନ କରାଯାଇ ଗାଁର ଶେଷ ମୁଣ୍ଡରେ ଥିବା ପାହାଡିଆ ଜମିକୁ କଫି ବଗିଚାର ରୂପ ଦିଆଯାଇଥିଲା। କିନ୍ତୁ, ଆବଶ୍ୟକୀୟ ପ୍ରୋତ୍ସାହନ ଓ ରକ୍ଷାଣବେକ୍ଷଣ ଅଭାବରୁ କଫି ଗଛରେ ପୋକ ଲାଗି ବଗିଚା ପ୍ରାୟ ନଷ୍ଟ ହୋଇଯାଇଥିଲା। ଏବେ ହଂକଂରେ ଡାକ୍ତର ଭାବେ କାର୍ଯ୍ୟରତ କୋରାପୁଟର ଯୁବକ କାମାକ୍ଷା ପ୍ରସାଦ ଦାସଙ୍କ ଉଦ୍ୟମରେ ଆରମ୍ଭ ହୋଇଛି 'କୃତି କଫି ।

ନିଜ ବନ୍ଧୁବର୍ଗଙ୍କ ସହ ମିଶି କାମାକ୍ଷା ପ୍ରସାଦ ଆରମ୍ଭ କରିଥିବା 'କୃତି କଫି' ମାଧ୍ୟମରେ କିନ୍ଦିରିଗୁଡ଼ା ଗ୍ରାମବାସୀ ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି। ଉନ୍ନତମାନର କଫି ଚାଷ କରିବାଠାରୁ ଆରମ୍ଭ କରି ରକ୍ଷଣାବେକ୍ଷଣ ଓ ଉଚିତ ମୂଲ୍ୟରେ କଫି ବିକ୍ରି କରିବା ପର୍ଯ୍ୟନ୍ତ ସବୁ କିଛି କରୁଛି କୃତି କଫି। ଫଳରେ ଉଚ୍ଚ ଶିକ୍ଷିତ ଯୁବକଙ୍କ ମଧ୍ୟରେ ଆଶା ସଂଚାର ହୋଇଛି।

Advertisment

କୋରାପୁଟ ଜିଲ୍ଲାରେ ଆଦିବାସୀ ଚାଷୀ କଫି ଚାଷ କରୁଥିବା ବେଳେ କୃତି କଫି ଭଳି ଦେଶର ଅନ୍ୟାନ୍ୟ ବ୍ୟବସାୟିକ ସଂଗଠନ କିପରି କୋରାପୁଟ କଫି ପ୍ରତି ଆକୃଷ୍ଟ ହେବେ ସେ ଦିଗରେ ସରକାର ପ୍ରଚେଷ୍ଟା କରିବା ଆବଶ୍ୟକ କୁହାଯାଉଛି। ଆଦିବାସୀ ଇଲାକାରେ କଫି ଚାଷୀଙ୍କୁ ବୈଷୟିକ ଜ୍ଞାନ ଦିଆଗଲେ, କିନ୍ଦିରିଗୁଡା ଭଳି ଅନେକ ଗାଁରେ କଫିର ବିକାଶ ହେବା ସହ ଆଦିବାସୀଙ୍କ ଅର୍ଥନୈତିକ ବିକାଶ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି। କଫି ଚାଷ ଓ ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଆସୁଛନ୍ତି ରାଜ୍ୟ ସରକାରଙ୍କ ସମେତ କୋରାପୁଟ ଜିଲ୍ଲା ପ୍ରଶାସନ। ଏବେ ମାର୍କେଟିଂ ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି।

କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ରିପୋର୍ଟ

Coffee Cultivation Kindiriguda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ