୧୦ ବର୍ଷ ପରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ !

UAEରେ ଇଣ୍ଡଷ୍ଟ୍ର୍ରିଆଲ୍ ମିଟ୍‌ରେ ଯୋଗଦେବା କାର୍ଯ୍ୟକ୍ରମ

ବିଦେଶ ଯିବେ ନବୀନ

ବିଦେଶ ଯିବେ ନବୀନ । ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ମାସ ଶେଷ ଆଡ଼କୁ ଅର୍ଥାତ୍ ଜୁନ୍ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଯାଉଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ସେଠାରେ ଇନଭେଷ୍ଟର୍ସ ମିଟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଇନଭେଷ୍ଟର୍ସ ମିଟରେ ଯୋଗଦେଇ ନବୀନ ନିବେଶକମାନଙ୍କୁ ଓଡ଼ିଶାରେ ଅଧିକରୁ ଅଧିକ ନିବେଶ କରିବାକୁ ଅନୁରୋଧ କରିବେ । ଇପିକଲ୍, ଫିକି ଓ ଦୁବାଇସ୍ଥିତ ଇଣ୍ଡିଆନ କନସଲେଟ୍ ପକ୍ଷରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ସେହିଦିନ ସନ୍ଧ୍ୟାରେ ୟୁଏଇ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ପ୍ରବାସୀ ଓଡିଆମାନଙ୍କ ଏକ କାର୍ଯ୍ୟକ୍ରମରେ ବି ଯୋଗ ଦେବେ ନବୀନ ।

ଦୀର୍ଘ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଉଥିବା ସୂଚନା ମିଳିଛି । ଏନେଇ ଆପାତତଃ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ତେବେ ବିଧିବଦ୍ଧ ଭାବେ ସିଏମ୍ ଅଫିସ୍ ପକ୍ଷରୁ ଏନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ୨୦୧୨ ମେ ରେ ଶେଷ ଥର ପାଇଁ ନବୀନ ଲଣ୍ଡନ ବିଜନେସ୍ ମିଟରେ ଯୋଗ ଦେଇଥିଲେ ।

ସେପଟେ ଆଜି ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ମନ୍ତ୍ରୀଙ୍କୁ ନେଇ ନବୀନ ନିବାସରେ ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ, ପଦ୍ମନାଭ ବେହେରା, ଦିବ୍ୟଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ସୁଦାମ ମାରାଣ୍ଡିଙ୍କ ସହ ୧୦ ଜଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । କେବଳ ବିକ୍ରମ ଆରୁଖଙ୍କୁ ଛାଡ଼ି ବାଦ୍ ପଡ଼ିଥିବା ସମସ୍ତ ବିଦାୟୀ ମନ୍ତ୍ରୀ ଭେଟିବା ପରେ ସଂଗଠନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଥିବା ସୂଚନା ମିଳିଛି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀ କହିଥିବା ବିଦାୟୀ ମନ୍ତ୍ରୀ ସୂଚନା ଦେଇଛନ୍ତି ।