ବିଚିତ୍ର ବ୍ୟବସ୍ଥା ! ଗୋଟିଏ କ୍ଲାସ୍‌ରୁମ୍‌ରେ ୫ ଶ୍ରେଣୀର ପିଲା

ବିଚିତ୍ର ବ୍ୟବସ୍ଥା...ଚାଉଳ ବସ୍ତା ଉପରେ ବସିଲେ ପିଲାଏ ପଢିବେ ପାଠ । ବାରମ୍ବାର ଗୁହାରି କରିବା ପରେ ବି ତିଆରି ହେଉନି ସ୍କୁଲ ଘର କି ଅସୁବିଧା ହେଉନି ଦୂର

School Problem

ଯେଉଁଠି ବସି ପିଲା ପାଠ ପଢୁଛନ୍ତି ସେଇଠି ହାଣ୍ଡି, ଡେକଚି ସବୁ ରଖାଯାଇଛି । ଏମିତିକି ଚାଉଳ ବସ୍ତା ଉପରେ ବି ପିଲାଏ ବସିଛନ୍ତି । ଶ୍ରେଣୀ ଗୃହରେ ବସି ପିଲାମାନେ ପାଠ ପଢିବାର କଥା ସେଇଠି ଚାଉଳ, ଡାଲି ସହିତ ହାଣ୍ଡି,ଡେକଚି କାହିଁକି ରଖାଯାଇଛି ? କିନ୍ତୁ ଘଟଣା ପଛର ସତ ଜାଣିଲେ ଆପଣଙ୍କୁ ବି ଘଟଣା କଣ ଜାଣିବା ଲାଗି ବ୍ୟଗ୍ରତା ହେବ । ଆଉ ସବୁ ଜାଣିବା ପରେ ତୁରନ୍ତ ଏହାର ସମାଧାନ ପାଇଁ ଦାବି ବି କରିବେ ।

ମାଲକାନଗିରି ଚିତ୍ରକୋଣ୍ଡା ଟନେଲକେମ୍ପ ପଞ୍ଚାୟତର ଟନେଲକେମ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସବୁଦିନ ପରି କ୍ଲାସ ରୁମରେ ପାଠପଢା ହେଉଥିଲା । ପିଲା ବି ମନଧ୍ୟାନ ଦେଇ ପାଠ ପଢୁଥିଲେ । ହେଲେ ଯେଉଁ ଘରେ ପିଲାଙ୍କ ପାଠପଢା ଚାଲିଛି ସେ ଘରର ଅବସ୍ଥା ପୂରା ସଙ୍ଗୀନ । ଛାତରୁ ପାଣି ଗଳୁଥିବା ବେଳେ କାନ୍ଥ ଗୁଡ଼ିକରେ ଉଈ ଲାଗିଗଲେଣି । ସ୍କୁଲରେ ଆବଶ୍ୟକୀୟ ପରିମାଣର ଘର ନଥିବା କାରଣରୁ ଗୋଟିଏ କ୍ଲାସ୍‌ରେ ୫ଟି ଶ୍ରେଣୀର ପିଲା ବସି ପଢୁଛନ୍ତି ।

ଇଏ ଆଜି କି କାଲିର ସମସ୍ୟା ନୁହେଁ ବରଂ ମାସମାସ ଧରି ଏମିତି ବିପଦସଂକୁଳ ଅବସ୍ଥାରେ ବସି ପାଠ ପଢୁଛନ୍ତି ପିଲା । ପୁଣି ଯେଉଁ ଶ୍ରେଣୀରେ ବସି ପିଲାଙ୍କୁ ପାଠ ଯାଉଛି ସେଇଠି ମଧ୍ୟାହ୍ନ ଭୋଜନର ଚାଉଳ ସହିତ ଅନ୍ୟାନ୍ୟ ରୋଷେଇ ସାମଗ୍ରୀ ସବୁ ଭରପୁର କରି ରଖାଯାଇଛି । ତେଣୁ ପିଲାଙ୍କ ପଢିବାରେ ଅନେକ ସମସ୍ୟା ସୃଷ୍ଟି ହୋଇଛି । ସ୍ଥିତି ଏମିତି ହେଲାଣି ଯେ ବସିବାକୁ ଜାଗା ନଥିବାରୁ ଚାଉଳ ବସ୍ତା ଉପରେ ବସି ପିଲାଏ ପଢୁଛନ୍ତି ପାଠ ।

ସ୍କୁଲ ସମସ୍ୟା ସମ୍ପର୍କରେ ଅଭିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନି । ତେବେ ସମୟ କହିବ କେବେ ପିଲାଙ୍କ ଲାଗି ତିଆରି ହେଉଛି ନୂଆ ସ୍କୁଲ ।

(ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନଙ୍କ ରିପୋର୍ଟ)