ବୁଢ଼ା ହେବନି ମଣିଷ !

ବୟସକୁ କମାଇବା ଅର୍ଥାତ୍ ଆୟୁଷ ବଢ଼ାଇବା ପାଇଁ ଚାଲିଥିବା ଗବେଷଣାରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ ପୁଞ୍ଜି ବିନିଯୋଗ କରିବା ପରେ, ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। କୁହାଯାଉଛି, ମହାକାଶ ଜୟ କରିବା ପରେ ଏବେ ମୃତ୍ୟୁକୁ ଜୟ କରିବା ପାଇଁ ଚାହୁଁଛନ୍ତି ବେଜୋସ୍।   

ଅମରତ୍ୱ ସନ୍ଧାନରେ କୁବେର

କୁହାଯାଏ ଜନ୍ମ ଅଛି ମାନେ ମୃତ୍ୟୁ ବି ଅଛି। ମୃତ୍ୟୁ ଚିରନ୍ତନ ସତ୍ୟ। ଏହାକୁ ଟାଳି ହେବ ନାହିଁ। ହେଲେ ଏଭଳି ସତ୍ୟକୁ ମିଥ୍ୟାରେ ପରିଣତ କରିବାକୁ ଚାହୁଁଛନ୍ତି ବିଶ୍ୱର କୁବେର ଅର୍ଥାତ୍ ବିଲିୟନେଆର୍ ମାନେ। ବୟସକୁ କମାଇବା ଅର୍ଥାତ୍ ଆୟୁଷ ବଢ଼ାଇବା ପାଇଁ ଚାଲିଥିବା ଗବେଷଣାରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ ପୁଞ୍ଜି ବିନିଯୋଗ କରିବା ପରେ, ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। କୁହାଯାଉଛି, ମହାକାଶ ଜୟ କରିବା ପରେ ଏବେ ମୃତ୍ୟୁକୁ ଜୟ କରିବା ପାଇଁ ଚାହୁଁଛନ୍ତି ବେଜୋସ୍।   

ସତରେ କ’ଣ ବୃଦ୍ଧରୁ ପୁଣି ଯୁବକ ହେବା ସମ୍ଭବ ? ସତରେ କ’ଣ ବୟସ ବଢ଼ିବା ବଦଳରେ କମିପାରିବ ? ବୟୋବୃଦ୍ଧଙ୍କ ଜୀର୍ଣ୍ଣ ଶରୀରରେ ଝଲସିବ ଯୌବନର ଛାପ ? ହାତରେ ଲାଗିବ କି ମୃତ୍ୟୁକୁ ଏଡ଼ାଇବାର ଫର୍ମୁଲା ? ଏନେଇ ଦୀର୍ଘ ଦିନରୁ ବିଭିନ୍ନ ଦେଶରେ ବୈଜ୍ଞାନିକଙ୍କ ଗବେଷଣା ଚାଲିଥିବା ବେଳେ, ଏବେ ଅମରତ୍ୱ ସନ୍ଧାନରେ କୁବେରମାନେ ଲାଗି ପଡ଼ିଥିବା ଜଣାପଡ଼ିଛି।  ସେହିସବୁ ଗବେଷଣାରେ ପୁଞ୍ଜି ନିବେଶ କରୁଛନ୍ତି ବିଶ୍ୱର ବଡ଼ ବଡ଼ ଧନୀ। ଏହି ବିଲିୟନେଆର୍‌ଙ୍କ ତାଲିକାରେ ଯୋଡ଼ି ହୋଇଛନ୍ତି ବିଶ୍ୱର ସବୁଠୁ ବଡ଼ ଧନୀ ତଥା ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍। ବ୍ଲୁ ଅରିଜିନ୍ କମ୍ପାନୀ ପ୍ରତିଷ୍ଠା କରି ମହାକାଶ ଜୟ କରିବା ପରେ, ଏବେ ମୃତ୍ୟୁକୁ ଜୟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଏହି ୨୦ ହଜାର କୋଟି ଡଲାର୍ ସମ୍ପତ୍ତିର ମାଲିକ। 

ବୟସ କମାଇବା ଆଣ୍ଟି-ଏଜିଂ ସମ୍ପର୍କିତ ଗବେଷଣା ପାଇଁ ଆମେରିକା ଓ ବ୍ରିଟେନ୍‌ରେ ଏକ ଷ୍ଟାର୍ଟଅପ୍ କମ୍ପାନୀ ଅଲ୍ଟୋସ୍ ଲ୍ୟାବ୍ସ ପ୍ରତିଷ୍ଠା ହୋଇଛି। ଏହି କମ୍ପାନୀ ଆଗକୁ ଜାପାନରେ ମଧ୍ୟ ପାଦ ଥାପିବାକୁ ଲକ୍ଷ୍ୟ ରଖିଛି। ତେବେ ଏହି କମ୍ପାନୀରେ ବେଜୋସ୍ ଲକ୍ଷ ଲକ୍ଷ ଡଲାରର ପୁଞ୍ଜି ନିବେଶ କରିଥିବା ଚର୍ଚ୍ଚା ହେଉଛି। କାରଣ ଦୀର୍ଘ ବର୍ଷ ବଞ୍ଚିବାକୁ, ପରିଶେଷରୁ ମୃତ୍ୟୁ ଟାଳିବାକୁ ଚାହୁଁଛନ୍ତି ବେଜୋସ୍। ବାୟୋଲୋଜିକାଲ୍ ରିପ୍ରୋଗ୍ରାମିଂ ଟେକ୍ନୋଲୋଜି ବ୍ୟବହାର କରି ଏହି କମ୍ପାନୀ ବୟସ୍କ ଜୀବକୋଷକୁ ପୁଣି ଯୁବାବସ୍ଥାକୁ ଫେରାଇ ନେବାକୁ ଚେଷ୍ଟା କରୁଛି। ଏହା କେବଳ ଜୀବକୋଷ ନୁହେଁ, ପୁରା ମଣିଷ ଶରୀରରେ ମଧ୍ୟ ସମ୍ଭବ ବୋଲି ଆଶା ରଖାଯାଇଛି। ମଣିଷର ସ୍ୱାଭାବିକ ଆୟୁଷରେ ଆଉ ୫୦ ବର୍ଷ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି ଅଲ୍ଟୋସ୍ ଲ୍ୟାବ୍ସ। 

କିଛି ଗବେଷକଙ୍କ ମତରେ, ବୃଦ୍ଧାବସ୍ଥା ଏକ ସ୍ଥିତି ନୁହେଁ, ବରଂ ଏହା ଏକ ରୋଗ। ଏହି ରୋଗର ନିବାରଣ ଲକ୍ଷ୍ୟରେ ଗତବର୍ଷ ଏକ କନଫରେନ୍ସ ଅନୁଷ୍ଠିତ ହୋଇଥିଲା। ଆମେରିକା ସିଲିକନ୍ ଭ୍ୟାଲିର ଲସ୍ ଆଲ୍ଟୋସ୍ ହିଲ୍ସରେ ରୁଷୀୟ ବିଲିୟନେଆର୍ ୟୁରି ମିଲ୍‌ନର୍‌ଙ୍କ ମ୍ୟାନ୍‌ସନ୍‌ରେ ଏକ ବୈଠକ ହୋଇଥିଲା। ଏହାପରେ ଏହି ଆଣ୍ଟି-ଏଜିଙ୍ଗ୍ କମ୍ପାନୀ ଅଲ୍ଟୋସ୍ ଲ୍ୟାବ୍ସ ପ୍ରତିଷ୍ଠା କରି ଗବେଷକ ଓ ବୈଜ୍ଞାନିକଙ୍କୁ ମୋଟା ଅଙ୍କର ଦରମାରେ ନିଯୁକ୍ତ କରାଯାଉଛି। ସ୍ପେନ୍‌ର ବାୟୋଲୋଜିଷ୍ଟ ଜୁଆନ୍ କାର୍ଲୋସ୍ ବେଲମୋଣ୍ଟେ, ପ୍ରଫେସର୍ ଷ୍ଟିଭ୍ ହୋର୍ଭାଥ୍ ଏବଂ ସିନ୍ୟା ୟାମାନାକାଙ୍କ ଭଳି ବଡ଼ ବଡ଼ ବୈଜ୍ଞାନିକ ମଧ୍ୟ ଏହି କମ୍ପାନୀ ସହ ଯୋଡ଼ି ହୋଇଛନ୍ତି। ବେଲମୋଣ୍ଟେ ମଣିଷ ଓ ମାଙ୍କଡ଼ର ଭ୍ରୁଣ ମିଶ୍ରଣ ଗବେଷଣା ପାଇଁ ଚର୍ଚ୍ଚିତ ହୋଇଥିବା ବେଳେ, ଷ୍ଟିଭ୍ ହୋଭାର୍ଥ ବୟସ ମାପିବା ପାଇଁ ବାୟୋଲୋଜିକାଲ୍ କ୍ଲକ୍ ତିଆରି କରିଛନ୍ତି ଏବଂ ସିନ୍ୟା ୟାମାନାକା ସେଲ୍ ରିପ୍ରୋଗ୍ରାମିଙ୍ଗ୍ ପାଇଁ ୨୦୧୨ରେ ନୋବେଲ୍ ପୁରସ୍କାର ପାଇଛନ୍ତି। ବେଜୋସ୍ ୟୁନିଟି ବାୟୋ ଟେକ୍ନୋଲୋଜି ନାମକ ଏକ ଷ୍ଟାର୍ଟଅପ୍‌ରେ ମଧ୍ୟ ପୂର୍ବରୁ ପୁଞ୍ଜିନିବେଶ କରିଛନ୍ତି, ଯାହାକି ବୟସାଧିକ୍ୟ ଜନିତ ରୋଗକୁ ସେହି ସ୍ଥିତିରେ ରୋକିବା ପାଇଁ କିମ୍ବା ପଛକୁ ଫେରାଇ ନେବା ପାଇଁ ଚେଷ୍ଟା କରୁଛି। 

କେବଳ ଜେଫ୍ ବେଜୋସ୍ ନୁହଁନ୍ତି। ଅମର ହେବାକୁ ଚାହାଁନ୍ତି ବିଶ୍ୱର ବହୁ କୁବେର। ୨୦୧୩ରେ ଗୁଗୁଲ୍ ସହପ୍ରତିଷ୍ଠାତା ଲାରି ପେଜ୍ କାଲିଫର୍ଣ୍ଣିଆ ଲାଇଫ୍ କମ୍ପାନୀ ବା କାଲିକୋ ଲ୍ୟାବ୍ସ ନାମରେ କମ୍ପାନୀ ସ୍ଥାପନ କରିଥିଲେ। ଏହି କମ୍ପାନୀ ବୟସ ବଢ଼ିବାର କାରଣ ଖୋଜିବା ଏବଂ ଏହାକୁ ରୋକିବା ପାଇଁ ଗବେଷଣା ଚଳାଇଥିଲା।  ଏଥିପାଇଁ ସେ ୧୫୦ କୋଟି ଡଲାର୍ ନିବେଶ କରିଥିଲେ। ଅରାକଲ୍‌ ସହପ୍ରତିଷ୍ଠାତା ଲାରି ଏଲିସନ୍ ମଧ୍ୟ ଆଣ୍ଟି-ଏଜିଙ୍ଗ୍ ରିସର୍ଚ୍ଚରେ କୋଟି କୋଟି ଡଲାର୍ ଖର୍ଚ୍ଚ କରିଥିଲେ। କିଛି ବର୍ଷ ହେବ ବିଶ୍ୱର ବଡ଼ ଧନୀଙ୍କର ସ୍ୱପ୍ନ ଥିଲା ମହାକାଶ ପର୍ଯ୍ୟଟନ। ଗତ ଜୁଲାଇରେ ଏହି ସ୍ୱପ୍ନକୁ ସତ କରି ଦେଖାଇଥିଲେ ଜେଫ୍ ବେଜୋସ୍।  ନିଜ କମ୍ପାନୀ ବ୍ଲୁ-ଅରିଜିନର ନିୟୁ ସେପାର୍ଡ ରକେଟ୍‌ରେ ବସି ସେ ମହାକାଶ ଯାତ୍ରା କରିଥିଲେ। ରିଚାର୍ଡ ବ୍ରାନ୍‌ସନ୍‌ ଭର୍ଜିନ୍ ଗ୍ୟାଲାକ୍ଟି ପ୍ରତିଷ୍ଠା କରି ଏବଂ ଇଲନ୍ ମସ୍କ ନିଜ ସ୍ପେଶ୍ ଏକ୍ସ କଂପାନୀ ଜରିଆରେ ମହାକାଶ ପର୍ଯ୍ୟଟନ ସ୍ୱପ୍ନ ସତ କରିଛନ୍ତି। ତେବେ ମହାକାଶ ଜିଣିସାରିଥିବା କୋଟିପତିମାନେ ମୃତ୍ୟୁକୁ ଜିତିପାରୁଛନ୍ତି କି ନାହିଁ, ତାହା ସମୟ ହିଁ କହିବ।