ଦିନକୁ ଦିମୁଠା ଖାଇବା, ଦେହକୁ ଘୋଡ଼ାଇବାକୁ କପଡ଼ା, ରାତିରେ ମୁଣ୍ଡ ଗୁଞ୍ଜିବାକୁ ଛାତ । ହେଲେ କଣ ରାଜଧାନୀ ଭୁବନେଶ୍ୱରରେ ଏତିକି ଯୋଗାଡ଼ ହୋଇପାରୁଛି ? ଉତ୍ତର ହେଲା ନା । ଫୁଟପାଥ୍ ଆଜି ବି ଅନେକଙ୍କ ସାହାରା । ରାସ୍ତାକଡ଼ରେ ଯେଉଁଠି ଲୋକେ ଚାଲନ୍ତି, ତାହା ବହୁତ ଲୋକଙ୍କ ଆଶ୍ରୟସ୍ଥଳୀ । ଆମେ କୌଣସି ବାହାର ରାଜ୍ୟ କିମ୍ବା ଗ୍ରାମାଞ୍ଚଳ କଥା କହୁନୁ । ଆମେ କହୁଛୁ ଖୋଦ୍ ରାଜଧାନୀ ଭୁବନେଶ୍ୱରର କଥା । ଶୀତ ହେଉ କି ଖରା । ପ୍ରାୟ ପ୍ରତିଦିନ ରାତିରେ ଏମିତି ରାସ୍ତାକଡ଼ରେ ଅନେକ ଲୋକ ଶୋଇଥାନ୍ତି । ରାଜଧାନୀରେ ଅନେକ ଆଶ୍ରୟସ୍ଥଳୀ ରହିଛି ହେଲେ ଏଠାକୁ ଯିବେ କେମିତି ? ଗଲେ ସାହରା ମିଳିବ କେମିତି ? ତାହା ଜଣାଇବାକୁ ନାହିଁ କୌଣସି ବ୍ୟବସ୍ଥା ।
ଆଉ ଯଦି ଆଶ୍ରୟସ୍ଥଳୀରେ ସହଜରେ ରହିବାକୁ ମିଳୁଥାନ୍ତା, ତେବେ ଏମିତି ରାତିରେ ଖୋଲା ଆକାଶ ତଳେ କାହିଁକି ଶୋଇଥାନ୍ତେ ଲୋକ । ଦିନ ସାରା ଖଟଣି ପରେ ରାତିରେ ମୁଣ୍ଡ ଗୁଞ୍ଜିବାକୁ ବାଟ ନାହିଁ । ତେଣୁ ଯିଏ ଯେମିତି ପାରିଲା ସେମିତି ଶୋଇଲା । ସରକାରଙ୍କ ପକ୍ଷରୁ ଯୋଜନା ହୋଇଛି, ଆଶ୍ରୟସ୍ଥଳୀ ବି ରହିଛି । ହେଲେ ଏଠି ଯିବାକୁ ହେଲେ କଣ କରିବାକୁ ପଡ଼େ, କେମିତି ଯିବାକୁ ହୁଏ ତାହା ଏମାନଙ୍କୁ ଜଣାନାହିଁ । ଖାଲି ଫୁଟ୍ପାଥ୍ରେ ଶୋଉଥିବା ଲୋକ ନୁହଁନ୍ତି, ଭୁବନେଶ୍ୱରକୁ ରାତି ଅଧରେ ପହଞ୍ଚୁଥିବା ଯାତ୍ରୀଙ୍କ ଅବସ୍ଥା ବି ସମାନ । ବିଳମ୍ବିତ ରାତିରେ ଯଦି ଟ୍ରେନ୍ କି ବସ୍ ଭୁବନେଶ୍ୱରରେ ପହଞ୍ଚେ ତେବେ ସାଧାରଣ ଲୋକ କେଉଁଠି ଆଶ୍ରୟ ନେବ ତାହା ଚିନ୍ତାର ବିଷୟ ।
Also Read
ସମାନ ଅବସ୍ଥା ବରମୁଣ୍ଡା ବସ୍ଷ୍ଟାଣ୍ଡରେ ମଧ୍ୟ ରହିଛି । ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ଯାତ୍ରୀ ଆସନ୍ତି । ରାତିରେ ବସ୍ ନମିିଳିଲେ ସେହି ଅଳିଆ, ଆବର୍ଜନା ଓ ଅସ୍ୱାସ୍ଥ୍ୟକର ପରିବେଶରେ ରାତି କାଟନ୍ତି । ପୂର୍ବରୁ ବରମୁଣ୍ଡ ବସ୍ଷ୍ଟାଣ୍ଡରେ ରାତ୍ରୀକାଳିନ ଆଶ୍ରୟସ୍ଥଳୀ ଥିଲା । ହେଲେ ବସଷ୍ଟାଣ୍ଡକୁ ଟର୍ମିନାଲ ରୂପ ଦେବାକୁ ଯୋଜନା ହେବା ପରେ ଏହାକୁ ଭାଙ୍ଗି ଦିଆଯାଇଛି । ସେତେ ଦିନ ଯାଏ ଲୋକେ କେଉଁଠି ରହିବେ ତାହା କାହାକୁ ମାଳୁମ୍ ନାହିଁ ।
ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ଦ୍ୱାରା ରହିଛି ଅନେକ ଆଶ୍ରୟ ସ୍ଥଳ । ହେଲେ ଏହା କେମିତି କାମ କରୁଛି ତାହା ଜାଣିବା ଭାରି କଷ୍ଟ । ମାଳି ସାହି, କାରଗିଲ ବସ୍ତିରେ ଥିବା ନାଇଟ୍ ସେଲଟରରେ ରାତି ଅଧରେ ଯଦି କେହି ପହଞ୍ଚେ ତେବେ ତାଙ୍କୁ କେମିତି ଆଶ୍ରୟ ମିଳିବ ତାହା ବଡ଼ ଦ୍ୱନ୍ଦ୍ୱ । କାରଣ, ଜରୁରୀକାଳୀନ ନମ୍ବର ଅଛି ହେଲେ ସେଥିରେ କଲ୍ ଲାଗୁନି କିମ୍ବା କଲ କଲେ କେହି ରିସିଭ୍ କରୁନାହାନ୍ତି ।