• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବାବୁସାନ-ତୃପ୍ତି-ପ୍ରକୃତି କଳିରେ ବାବୁସାନଙ୍କୁ ଜେରା । ଏକାଧିକ ପ୍ରଶ୍ନ ଏବଂ ୩୦ ମିନିଟର ପଚରାଉଚରା । ଗୋଟି ଗୋଟି କରି ତଥ୍ୟ ଆଦାୟ କରିଛି ଖାରବେଳନଗର ପୋଲିସ । ସତ୍ୟନଗରରେ କାହିଁକି ଘଟିଲା ବାବୁସାନ-ତୃପ୍ତି-ପ୍ରକୃତି କଳି ? ବାବୁସାନ-ତୃପ୍ତି ମନାନ୍ତର ପଛରେ ପ୍ରକୃତିଙ୍କ ଭୂମିକା କଣ ? ପ୍ରକୃତିଙ୍କ ସହ ତାଙ୍କ ସମ୍ପର୍କ କେତେ ନିବିଡ଼ ? ପ୍ରକୃତି କାହିଁକି ବାବୁସାନଙ୍କୁ କରୁଥିଲେ ବ୍ଲାକମେଲିଂ ? କିଏ ଓ କାହିଁକି ନିଶା ସାମଗ୍ରୀ ଯୋଗାଉଥିଲା ?

ପତ୍ନୀ ତୃପ୍ତି ଶତପଥୀଙ୍କ ଏତଲା ଆଧାରରେ ଏଭଳି ସମ୍ଭାବ୍ୟ ପ୍ରଶ୍ନକୁ ଧରି ବାବୁସାନଙ୍କୁ ପୋଲିସ ଜେରା କରିଥିବା ସୂଚନା ମିଳିଛି । ଏପରିକି ସତ୍ୟନଗର ଗେଷ୍ଟ ହାଉସରେ ରହଣୀ, ଚେନ୍ନାଇ ଗସ୍ତବେଳର ଘଟଣାବଳୀକୁ ନେଇ ବି ପୋଲିସ ଜେରା କରିଥିବା କୁହାଯାଉଛି । ଚେନ୍ନାଇ ଫେରିବାର ୩ଦିନ ପରେ ଆଜି ଜଗନ୍ନାଥ ବିହାର ସ୍ଥିତ ଘରୁ ମା ଅପରାଜିତାଙ୍କ ସହ ଖାରବେଳନଗର ଥାନାକୁ ଯାଇଥିଲେ ବାବୁସାନ । ପୋଲିସର କହିବା କଥା, ବାବୁସାନ-ତୃପ୍ତି ଓ ପ୍ରକୃତିଙ୍କ ପରିବାର ବୁଝାମଣାର ବାଟ ବାହାର କରିଛନ୍ତି । ତାଉପରେ ଆମର ନଜର ରହିଛି । 

ଅନ୍ତ ହୋଇପାରେ ବାବୁସାନ-ତୃପ୍ତିଙ୍କ ଦାମ୍ପତ୍ୟ କଳି । ଫିଟିବ ସମାଧାନର ବାଟ । ଅଭିନେତା ବାବୁସାନ-ପତ୍ନୀ ତୃପ୍ତି ମଧ୍ୟରେ ଉପୁଜିଥିବା ବିବାଦର ହେବ THE END । ଆଜି ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ଖୋଦ୍ ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର । ସେ କହିଛନ୍ତି, ବାବୁସାନଙ୍କ ଆଜି ଜନ୍ମଦିନରେ ପତ୍ନୀ ତୃପ୍ତିଙ୍କ ସହ କଥା ହୋଇଛନ୍ତି । ତୃପ୍ତିଙ୍କ ଅଭିଯୋଗ ଆଧାରରେ ଥାନାରେ ଯେଉଁ ମାମଲା ହୋଇଛି, ତାକୁ ସେ ଶୀଘ୍ର ପ୍ରତ୍ୟାହାର କରିବେ । କିନ୍ତୁ ତୃପ୍ତିଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନି ।

 

ରୋଚକ କଥା ହେଉଛି, ଅଭିନେତା ବାବୁସାନଙ୍କ ଆଜି ଜନ୍ମଦିନ । ତେଣୁ ଫ୍ୟାନ୍‌ଙ୍କଠୁ ଓଲିଉଡ୍ ସହ ଜଡ଼ିତ ସଦସ୍ୟଙ୍କ ଯାଏଁ ଭିଡ଼ ଜମିଥିଲା ଜଗନ୍ନାଥ ବିହାର ସ୍ଥିତ ଘର ଆଗରେ । କିଏ ଫୁଲତୋଡ଼ା ଧରି ପହଞ୍ଚିଥିଲେ ତ ଆଉ କାହା ହାତରେ କେକ୍ ଥିଲା । ଫ୍ୟାନଙ୍କ ଭିଡ଼କୁ ଦେଖି ବାବୁସାନ ବି କିଛି ସମୟ ପାଇଁ ବାଲକୋନୀକୁ ଆସିଥିଲେ । କେବଳ ଫ୍ୟାନ ନୁହଁନ୍ତି, ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ମଧ୍ୟ ବାବୁସାନଙ୍କୁ ଦୀର୍ଘାୟୁ ଭବଃ ବୋଲି କହିଛନ୍ତି । ଓଟିଭିକୁ ପ୍ରତିକ୍ରିୟା ଦେଇ ମନ୍ମଥ କହିଛନ୍ତି, ବାବୁସାନଙ୍କ ପରିବାର ମଧ୍ୟରେ ବୁଝାମଣା ହୋଇଯାଉ । ଯଦି ସେମାନେ କେସ୍ ଉଠାଇ ନିଅନ୍ତି, ଆମେ ବି କେସ୍ ଉଠାଇଦେବୁ ।

ଜୁଲାଇ ୨୩ରେ ସତ୍ୟନଗର କଳିକୁ ନେଇ ଥାନାକୁ ଯାଇଥିଲେ ପ୍ରକୃତି ମିଶ୍ରଙ୍କ ବାପା ଓ ମା । ପରେ ପରେ ତୃପ୍ତିଙ୍କୁ ଧରି ଥାନାରେ ଏତଲା ଦାୟାର କରିଥିଲେ ତାଙ୍କ ପରିବାର ଓ ବାବୁସାନଙ୍କ ମା ଅପରାଜିତା । ଉଭୟ ପକ୍ଷର ଏତଲା ଆଧାରରେ ଖାରବେଳନଗର ପୋଲିସ ପୃଥକ ପୃଥକ ୨ଟି ମାମଲା ରୁଜୁ କରିଥିଲା । ତେବେ ଉଭୟ ପକ୍ଷ ମଧ୍ୟରେ ଏହି ମାମଲାର ଯଦି ଆପୋଷ ସମାଧାନ ହୋଇଯାଏ, ତେବେ ପୋଲିସ କୋର୍ଟରେ ଚାର୍ଜସିଟ୍ ବଦଳରେ ବିବାଦର ସମାଧାନ ହୋଇଗଲା ଦର୍ଶାଇ ଏକ ଫାଇନାଲ ରିପୋର୍ଟ ଦାଖଲ କରିପାରେ ବୋଲି କହିଛନ୍ତି ଆଇନଜୀବୀ ।