Advertisment

ମନେପଡ଼ନ୍ତି ଅରିନ୍ଦମ...ତାଙ୍କ ରକ୍ତରେ ଥିଲା ସାହସ, ତାଙ୍କ ଶିରା ପ୍ରଶିରାରେ ବହୁଥିଲା କର୍ତ୍ତବ୍ୟନିଷ୍ଠା

ଡିଜାଷ୍ଟର ରିପୋର୍ଟିଂ ସାଙ୍ଗକୁ ଗ୍ରାଉଣ୍ଡ୍‌ରୁ ଓ୍ୱାଇଲ୍ଡ ଲାଇଫ୍ ରିପୋର୍ଟିଂରେ ବି ଅରିନ୍ଦମଙ୍କର ଥିଲା ଅସମ୍ଭବ ଦକ୍ଷତା। ବଢ଼ି ହେଉ କି ମରୁଡ଼ି, ବାତ୍ୟା ହେଉ କି ଅନ୍ୟ ଯେକୌଣସି ବିପତ୍ତି ସବୁ ବିପର୍ଯ୍ୟୟରେ ସବୁଠୁ ଆଗରେ ସେ ଥିବେ, ଥିବ ତାଙ୍କ ଡେୟାର ଡେଭିଲ୍ ରିପୋର୍ଟିଂ।

ଅଦ୍ୟତନ ହୋଇଛି
Arindam, we miss you | OTV remembers its weatherman

Arindam, we miss you | OTV remembers its weatherman

Advertisment

ତାଙ୍କ ରକ୍ତରେ ଥିଲା ସାହସ, ତାଙ୍କ ଶିରା ପ୍ରଶିରାରେ ବହୁଥିଲା କର୍ତ୍ତବ୍ୟନିଷ୍ଠା, ସାମ୍ବାଦିକତା ପ୍ରତି ସମର୍ପଣଭାବ। ସେଥିପାଇଁ ତ ବିପର୍ଯ୍ୟୟ ଯେଉଁଠି ସେ ସେଇଠି। ବଢ଼ିଲା ଗାଁ ବୁଡ଼ା ନଈର ପ୍ରଖର ସୁଅ ହେଉ, ଅବା ଘରଉଡ଼ା ବାତ୍ୟାର ଅଣଚାସ ପବନ...ପରିସ୍ଥିତି ଯାହାବି ଥାଉ, ସ୍ଥାନ ଯେଉଁଠି ବି ହେଉ...ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିବାକୁ ସ୍ଥିତି ଯେତେ କଠିନ ଥିଲେ ବି ଯୋଦ୍ଧାଟିଏ ଭଳି ଲଢୁଥିଲେ। ସଠିକ ଖବର ବାଢ଼ି ଜିତି ଚାଲିଥିଲେ ପ୍ରତିଥର, କେବଳ ସେଇ ଗୋଟିଏ ଥରକୁ ଛାଡ଼ି। ଅରନ୍ଦିମ, ଓଡ଼ିଶାବାସୀଙ୍କ ଆଖିରେ ଓଟିଭିର ସେଇ ଡେଙ୍ଗା, ପତଳା ଅଥଚ ଅତି ଦୁଃସାହସୀ ରିପୋର୍ଟର -ଅରିନ୍ଦମ ଦାସ। 

Advertisment

ଡିଜାଷ୍ଟର ରିପୋର୍ଟିଂ ସାଙ୍ଗକୁ ଗ୍ରାଉଣ୍ଡ୍‌ରୁ ଓ୍ୱାଇଲ୍ଡ ଲାଇଫ୍ ରିପୋର୍ଟିଂରେ ବି ଅରିନ୍ଦମଙ୍କର ଥିଲା ଅସମ୍ଭବ ଦକ୍ଷତା। ବଢ଼ି ହେଉ କି ମରୁଡ଼ି, ବାତ୍ୟା ହେଉ କି ଅନ୍ୟ ଯେକୌଣସି ବିପତ୍ତି ସବୁ ବିପର୍ଯ୍ୟୟରେ ସବୁଠୁ ଆଗରେ ସେ ଥିବେ, ଥିବ ତାଙ୍କ ଡେୟାର ଡେଭିଲ୍ ରିପୋର୍ଟିଂ। ଆଜିକୁ ବର୍ଷକ ତଳେ ଠିକ୍ ଆଜିର ଦିନରେ ଏମିତି ଏକ ଲାଇଭ୍ ରିପୋର୍ଟିଂ ବେଳେ ସେ ସମସ୍ତଙ୍କୁ ଅଲ୍‌ବିଦା କହିଥିଲେ। 

ଗତବର୍ଷ ଆଜିର ଦିନରେ ଅର୍ଥାତ୍ ୨୦୨୧ ମସିହା ସେପ୍ଟେମ୍ବର ୨୪ରେ ସେ ରିପୋର୍ଟିଂ ପାଇଁ ଗ୍ରାଉଣ୍ଡ୍‌କୁ ଓହ୍ଲାଇଥିଲେ। କଟକ ମୁଣ୍ଡଳି ବ୍ୟାରେଜ୍‌ ମହାନଦୀରେ ଫସିଥିବା ହାତୀକୁ ଉଦ୍ଧାର ପାଇଁ ଓଡ୍ରାଫ୍ ଟିମ୍ ସହ ପାଓ୍ୱାର ବୋଟ୍‌ରେ ନଦୀକୁ ଅରିନ୍ଦମ ଯାଇଥିଲେ। ହେଲେ ଏଠି କିନ୍ତୁ ସେ ହାରିଗଲେ। ଆଉ ସେଇ ଥରକ ହାରିଗଲେ ଯେ, ସବୁଦିନ ପାଇଁ ଓଡ଼ିଶା ହରାଇଲା ସାମ୍ବାଦିକତା ଜଗତର ଜଣେ ଉଜ୍ଜ୍ୱଳ ତାରାକୁ। ଏଇ ଦୁର୍ଘଟଣାରେ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୁର୍ମୁଙ୍କର ବି ଜୀବନ ଯାଇଥିଲା। ହେଲେ ସୌଭାଗ୍ୟବଶତଃ ମରଣ ମୁହଁରୁ ଫେରି ଆସିଥିଲେ ଦୁଃସାହସୀ ଅରିନ୍ଦମଙ୍କ ବୃତ୍ତିଗତ ଜୀବନର ପ୍ରିୟ ସାଥୀ ଓଟିଭିର କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା।

Advertisment

୨୦୨୧ ମସିହା ସେପ୍ଟେମ୍ବର ୨୪ ସେଇ ଅଘଟଣକୁ ତାରିଖ ଅନୁସାରେ ଆଜି ବର୍ଷେ ପୁରୁଛି ସତ। ହେଲେ ତିଥି ଅନୁସାରେ ଗଲା ୧୩ ତାରିଖରେ ଅରିନ୍ଦମଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀକୁ ଅତି ଭାରି ହୃଦୟରେ ପାଳିଛି ତାଙ୍କ ଜନ୍ମମାଟି। ଯେଉଁ କେନ୍ଦୁଝର ମାଟିରୁ ଆସି ସାରା ଓଡ଼ିଶାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ, ସେଇ ମାଟି ଜନ୍ମସ୍ଥାନ ରାଜନଗର ନିକଟ ରାଇକଳାରେ ତାଙ୍କ ସ୍ମୃତି ଚାରଣ କରିଥିଲେ ବନ୍ଧୁ, ପରିବାର, ପରିଜନ ଓ ତାଙ୍କୁ ଭଲ ପାଉଥିବା ଅନେକ ମଣିଷ। ଶ୍ରାଦ୍ଧୋତ୍ସବରେ ଓଟିଭିର ଏମ୍‌ଡି ଜଗିମଙ୍ଗତ ପଣ୍ଡା ଯୋଗ ଦେଇ ଅରିନ୍ଦମଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସାଙ୍ଗକୁ ସ୍ମୃତିରେ ଅରିନ୍ଦମ ସ୍ମରଣୀକାର ବି ଉନ୍ମୋଚନ କରିଥିଲେ। ଏଥିସହ ତାଙ୍କ ସ୍ମୃତିରେ ଓଟିଭି ପକ୍ଷରୁ ଏହା ଭିତରେ ଆର୍ଥିକ ଅନଗ୍ରସର ବର୍ଗର ଜଣେ କୃତୀ ଛାତ୍ରଙ୍କୁ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରଶିପ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ପ୍ରଥମ ସ୍କଲାରଶିପ୍ ପାଇଁ ଯୋଗ୍ୟ ବିବେଚିତ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ଛାତ୍ର ଅମ୍ଲାନ୍‌ ନନ୍ଦଙ୍କୁ ସ୍କଲାରଶିପ୍ ରାଶି ପ୍ରଦାନ କରାଯାଇଛି। ଅମ୍ଲାନ୍‌ଙ୍କ ବାପା ଏହି  ସ୍କଲାରଶିପ୍ ରାଶି ଗ୍ରହଣ କରିଛନ୍ତି। ଆଜିର ଦିନରେ ବି ବିପର୍ଯ୍ୟୟ ବେଳର ସେ ଚିହ୍ନା ମଣିଷ ଅରିନ୍ଦମଙ୍କୁ ଝୁରୁଛି ସାରା ରାଜ୍ୟ।

ପ୍ରାକୃତିକ ବିପର୍ଯ୍ୟୟ ସହ ଲଢ଼ି ଓଟିଭି ଜରିଆରେ ବିପନ୍ନ ମଣିଷର ଦୁଃଖକୁ, କଷ୍ଟକୁ ସେମାନଙ୍କ ସ୍ୱରକୁ ବ୍ୟବସ୍ଥାର କାନ ଯାଏ ନେଉଥିବା ମଣିଷଟି ସଶରୀରେ ଆଉ ଆମ ପାଖରେ ନାହାନ୍ତି ସତ, ହେଲେ ଯେତେଦିନ ଯାଏ ଏ ମାଟିକୁ ଝଡ଼ ଆସୁଥିବ, ବଢ଼ି ଆସୁଥିବ...ସେତେଦିନ ଯାଏ ପ୍ରତିଟି ଓଡ଼ିଆଙ୍କ ହୃଦୟରେ, ପ୍ରତି ଖବରଦାତାଙ୍କ ପ୍ରେରଣାଟିଏ ହୋଇ ବଞ୍ଚିଥିବେ ଅରିନ୍ଦମ, ବଞ୍ଚିଥିବ ତାଙ୍କ ସ୍ମୃତି।

Advertisment
Arindam Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ