ମୃତ୍ୟୁ ଏମିତି ବି ଆସେ ! ମାଟ୍ରିକ୍‌ ରେଜଲ୍ଟ ବାହାରିଲା, ଏ-୧ ପାଇଛନ୍ତି ସ୍ୱାତୀ, ହେଲେ ସେ ଏବେ ଆରପାରିରେ

ମାର୍ଚ୍ଚ ୨୦ରେ ସରିଥିଲା ମାଟ୍ରିକ୍ ପରୀକ୍ଷା । ବାପା-ମାଆଙ୍କ ସହ ବାହାରିଥିଲେ ମାମୁଁ ଘର ବୁଲିବାକୁ । ହେଲେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପ୍ରାୟ ୨ ମାସ ତଳର ଏହି ଦୁର୍ଘଟଣା ପୁଣି ତାଜା ହୋଇଛି।

Matric exam

ସଜସଜ ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ । ପିଲାମାନେ ନିଜ ନିଜ ପରୀକ୍ଷା ଫଳ ଦେଖିବା ପରେ ଆଗାମୀ ଭବିଷ୍ୟତ ପାଇଁ ଯୋଜନା ବି ଆରମ୍ଭ କରି ସାରିଲେଣି । ହେଲେ ଅନୁଗୁଳୁ ଗାନ୍ଧୀମାର୍ଗ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢୁଥିବା ଦଶମ ଶ୍ରେଣୀର ଛାତ୍ରୀ ସ୍ୱାତୀ ସୁଚରିତା ଜେନାଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । ପରିଶ୍ରମ କରି ମାଟ୍ରିକ୍‌ରେ ସେ ୯୦ ପ୍ରତିଶତ ମାର୍କ ରଖିଥିଲେ । ୧୩ ଜଣ ଏ-୧ ବିଦ୍ୟାର୍ଥୀଙ୍କ ମଧ୍ୟରେ ସ୍ବାତୀଙ୍କ ନାଁ ଆସିଛି । କିନ୍ତୁ ଏ ଖୁସି ମନାଇବା ପାଇଁ ସ୍ଵାତୀ ନାହାନ୍ତି । ସେହି ସ୍କୁଲ ଅଛି, ସେହି ସହପାଠୀ ଅଛନ୍ତି... ସେହି ଗୁରୁଜୀ-ଗୁରୁମା ବି ଅଛନ୍ତି । ହେଲେ ସ୍ୱାତୀ ଆରପାରିରେ ।

ମାର୍ଚ୍ଚ ୨୦ରେ ସରିଥିଲା ମାଟ୍ରିକ୍ ପରୀକ୍ଷା । ବାପା-ମାଆଙ୍କ ସହ ବାହାରିଥିଲେ ମାମୁଁ ଘର ବୁଲିବାକୁ । ହେଲେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପ୍ରାୟ ୨ ମାସ ତଳର ଏହି ଦୁର୍ଘଟଣା ପୁଣି ତାଜା ହୋଇଛି । ମାଟ୍ରିକ ପରୀକ୍ଷାରେ ତାଙ୍କ ଫଳକୁ ଦେଖି ପରିବାର ବର୍ଗ, ଗୁରୁଜୀ-ଗୁରୁମା ଓ ସହପାଠିନୀ ଗର୍ବ କରୁଥିଲେ ମଧ୍ୟ ସ୍ୱାତୀଙ୍କ ଅବର୍ତ୍ତମାନ ସମସ୍ତଙ୍କ ଆଖିରେ ଆଣି ଦେଇଛି ଲୁହ ।

କଥାରେ ଅଛି ମୃତ୍ୟୁ କେତେବେଳେ କାହାକୁ ଗ୍ରାସ କରିବ ତାହା କେହି ବି କହିପାରିବେ ନାହିଁ । ହେଲେ ଏତେ କମ୍‌ ବୟସରେ ସ୍ୱାତୀଙ୍କ ପରି ଜଣେ ମେଧାବୀ ଛାତ୍ରୀ ସମସ୍ତଙ୍କୁ ଛାଡି ପଳାଇବେ ସେ କଥାକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି । ଆଉ ସମସ୍ତେ କହୁଛନ୍ତି, ଆଜି ସ୍ୱାତୀ ଯଦି ଥାଆନ୍ତେ ତେବେ ବହୁତ ଖୁସି ହେବା ସହିତ ସେ ଦେଖିଥିବା ସ୍ୱପ୍ନକୁ ସାକାର କରିବାକୁ ପୁଣି ଥରେ ପ୍ରାଣପ୍ରଣେ ଉଦ୍ୟମ ଆରମ୍ଭ କରିଦେଇଥାଆନ୍ତେ ଠିକ୍‌ ମାଟ୍ରିକ୍‌ ପରୀକ୍ଷା ପୂର୍ବ ପରି...।