କି ସାହସ ! ଓଡ଼ିଶାରେ ପଶି ରାଜ୍ୟ ସରକାରଙ୍କ ବୋର୍ଡକୁ ଉପାଡ଼ିଲେ ଆନ୍ଧ୍ର ଅଧିକାରୀ

ଜଲାପୁଟ ଜଳଭଣ୍ଡାର ସୂଚନା ବୋର୍ଡକୁ ଉପାଡ଼ି ଦେଲେ । ଓଡ଼ିଶାର ସ୍ୱାଗତ ବୋର୍ଡକୁ ମଧ୍ୟ ବାହାର କରିଦେଲେ । ଜଲାପୁଟରେ ନିଜ ଦବଦବା ଜାହିର କରିବାକୁ ଉଦ୍ୟମ ।

ଜଲାପୁଟରେ ନିଜ ଦବଦବା ଜାହିର କରିବାକୁ ଉଦ୍ୟମ

ପୁଣି ଆନ୍ଧ୍ରର ଦାଦାଗିରି । ଓଡ଼ିଶା ସୀମାରେ ପଶି ରାଜ୍ୟ ସରକାରଙ୍କ ବୋର୍ଡକୁ ଉପାଡ଼ି ଫୋପାଡ଼ି ଦେଲେ ଆନ୍ଧ୍ରପ୍ରଦେଶ ଅଧିକାରୀ । କୋରାପୁଟ କୋଟିଆ ଓ ରାଇପାଡ଼ର ସୀମା ବିବାଦ ଥମିନଥିବା ବେଳେ ନୂଆ ବିବାଦ ସୃଷ୍ଟି କରିଛି ପୋଡ଼ୋଶୀ ଆନ୍ଧ୍ରା କୋରାପୁଟ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ଜଲାପୁଟ ସ୍ଥିତ ମୁଖ୍ୟ ଜଳଭଣ୍ଡାର ନିକଟରେ ନିଜ ଉପସ୍ଥିତି ଜାହିର କରିଛି ।

ବର୍ଷ ବର୍ଷ ଧରି ଜଲାପୁଟ ଜଳ ଭଣ୍ଡାର ନିକଟରେ କୋରାପୁଟ ଜିଲାପାଳଙ୍କ ଦ୍ୱାରା ପୋତା ଜଳ ଭଣ୍ଡାର ସୁରକ୍ଷା ସୂଚନା ବୋର୍ଡ, ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଦ୍ୱାରା ଲଗାଯାଇଥିବା ବୋର୍ଡକୁ ଆନ୍ଧ୍ର ପ୍ରଦେଶର ମୁଚୀମପୁଟ ବ୍ଲକ ଓ ତହସିଲର ଅଧିକାରୀ ଓ ଜନପ୍ରତିନିଧି ମାନେ ଉପାଡ଼ି ଫିଙ୍ଗି ଦେଇଛନ୍ତି । ଖାଲି ସେତିକି ନୁହେଁ ଉଭୟ ରାଜ୍ୟର ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଡ୍ୟାମ୍ ପାଖରେ ଲାଗିଥିବା ସ୍ୱାଗତଂ ବୋର୍ଡକୁ ମଧ୍ୟ ଆନ୍ଧ୍ର ପ୍ରଶାସନ ଅଧିକାରୀମାନେ ଉପାଡ଼ି ଦେଇଥିବା ଅଭିଯୋଗ ହୋଇଛି ।

ଉଭୟ ଓଡିଶା ଓ ଆନ୍ଧ୍ର ପ୍ରଦେଶର ମିଳିତ ଜଳ ଭଣ୍ଡାର ହେଉଛି ଜଲାପୁଟ । ଦୀର୍ଘ ବର୍ଷ ଧରି ଉଭୟ ରାଜ୍ୟ ଏହାର ତତ୍ତ୍ୱାବଧାନ କରନ୍ତି କିନ୍ତୁ ଏବେ ଆନ୍ଧ୍ର ଏହାକୁ ସମ୍ପୂର୍ଣ୍ଣ ନିଜର ବୋଲି ହକ୍ ଜାହିର କରିବାକୁ ଚେଷ୍ଟା କରୁଛି ।