ଲଙ୍କା କରିଛି ଲକ୍ଷପତି; ୫ ଏକର ଜମିରେ ଚାଲିଛି ନାଲି ଲଙ୍କା ଚାଷ

ଲଙ୍କା ଚାଷ କରି ଲକ୍ଷପତି । ଦୃଢ଼ ଇଛାଶକ୍ତି ବଳରେ ନିଜେ ଲକ୍ଷ ପତି ହେବା ସହ ଅନ୍ୟ ପରିବାରଙ୍କୁ ଦେଖାଇଛନ୍ତି ରୋଜଗାର ପନ୍ଥା..

Red Chili

ମଣିଷ ଉଚ୍ଚର ଗଛ । ଗଛରେ ଫଳିଛି ଲମ୍ବା ଲମ୍ବା କଞ୍ଚା ଲଙ୍କା । ଗୋଟେ କି ଦୁଇ ଏକର ନୁହେଁ । ଏକାସାଙ୍ଗରେ ୫ ଏକରରୁ ଅଧିକ ଜମିରେ ଚାଷ ହୋଇଛି ଲଙ୍କା । ଧାଡି ଧାଡି ହୋଇ ଲାଗିଥିବା ସେହି ସବୁ ଗଛ ଦେଖିଲେ ଲୋଭ ଲାଗିବ ନିଶ୍ଚୟ । ଧାଡି ପ୍ରଣାଳୀରେ ଲଗା ଯାଇଛି ତେଜା ଓ ସେମିଶୁ ନାମକ ଦୁଇ ପ୍ରକାରର ଲଙ୍କା । ଯାହା ଚାଷୀକୁ ଲାଭବାନ କରାଇଛି ।

ଲଙ୍କା ଚାଷୀ ପି.ଗଣେଶ । ଘର ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ । ଦୁଇବର୍ଷ ତଳେ ରୋଜଗାରର ଆଶା ନେଇ ସେ ଆସିଥିଲେ ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳକୁ । ଆନ୍ଧ୍ର ଭଳି ଜଳବାୟୁ ଓ ମୃତ୍ତିକା ଏଠାରେ ରହିଥିବାରୁ ପ୍ରଥମେ ଅଳ୍ପ କିଛି ଅଞ୍ଚଳରେ ଆନ୍ଧ୍ର ପଦ୍ଧତିରେ ଆରମ୍ଭ କରିଥିଲେ ଲଙ୍କା ଚାଷ । ପରେ ଏଥିରେ ସଫଳ ହେବାରୁ ଏବେ ୫ ଏକର ଜମିରେ କରିଛନ୍ତି ଲଙ୍କା ଚାଷ । ଆଉ ଏଥିରୁ ପାଉଛନ୍ତି ଲକ୍ଷାଧିକ ଟଙ୍କାର ଲାଭ ।

ଲଙ୍କା ସମ୍ପୂର୍ଣ୍ଣ ଭାବେ ପାଚି ଗଲା ପରେ ଏହାକୁ ତୋଳି ଶୁଖାଇ ବିକ୍ରି କରାଯାଏ । ଏକ ଏକର ପିଛା ୮୦ ହାଜର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଲାଭ ଦୁଇଗୁଣା ହେଉଛି । ଏକର ପ୍ରତି ୨୦ କ୍ୱିଣ୍ଟାଲ ଲଙ୍କା ଆଦାୟ ହେଉଥିବା ଚାଷୀ କୁହନ୍ତି । ବଜାର ଦର ହିସାବରେ ଏକ କୁଇଣ୍ଟାଲ ପିଛା ୨୦ ହଜାର ଟଙ୍କାରେ ଲଙ୍କା ବିକ୍ରି କରାଯାଉଛି । ହେଲେ ରାୟଗଡ଼ାରେ ଉପଯୁକ୍ତ ବଜାର ନଥିବାରୁ ଆନ୍ଧ୍ର ଗୁଣ୍ଟୁର ଉପରେ ହିଁ ନିର୍ଭର କରନ୍ତି ଚାଷୀ ପି.ଗଣଶ ।

(ରିପୋର୍ଟ- ଇନ୍ଦ୍ରଜିତ୍ ପଣ୍ଡା, ଗୁଣପୁର)