ଖତ ଖାଉଛି ରୋଗୀ ବୁହା ଆମ୍ବୁଲାନ୍ସ : ନାହିଁନଥିବା ହଇରାଣ ହେଉଛନ୍ତି ୩୪ ପଞ୍ଚାୟତବାସୀ

ଡ୍ରାଇଭର ଗଲା ପରେ ଖତ ଖାଉଛି ଆମ୍ବୁଲାନ୍ସ..ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର

ଲୋକଙ୍କ ସେବାରେ ଲାଗୁନି, ପଡ଼ିରହିଛି ଆମ୍ବୁଲାନ୍ସ

ଲୋକଙ୍କ ସେବାରେ ଲାଗୁନି, ପଡ଼ିରହିଛି ଆମ୍ବୁଲାନ୍ସ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଅବସର ହେବା ପରେ ୨ଟି ଆମ୍ବୁଲାନ୍ସ ବ୍ୟବହୃତ ନହୋଇ ଖତଖାଉଛି । ଆଉ ଏଥିପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ୪ଟି ବ୍ଲକର ୩୪ ପଞ୍ଚାୟତବାସୀ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରୁ ଏବେ ବଞ୍ଚିତ ।

ଓଡିଶା ଓ ଆନ୍ଧ୍ର ସୀମାନ୍ତ କୋରାପୁଟ ଜିଲ୍ଲା ନନ୍ଦପୁରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନନ୍ଦପୁର ବ୍ଲକର ୨୩ଟି ପଂଚାୟତ, ଲମତାପୁଟ-୪, କୋରାପୁଟ-୩ ଓ ସେମିଳିଗୁଡା ବ୍ଲକ ଲୋକେ ନିର୍ଭରଶିଳ । ୪ଟି ବ୍ଲକର ୩୪ଟି ପଞ୍ଚାୟତବାସୀଙ୍କ ପାଇଁ ୨ଟି ଆମ୍ବୁଲାନ୍ସ ରହିଥିଲେ ମଧ୍ୟ ତା ଏବେ ଡ୍ରାଇଭର ନଥିବା ଯୋଗୁଁ ଅଚଳ ହୋଇ ପଡିଛି । ଫଳରେ ବହୁ ରୋଗୀ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।

୩୪ ପଞ୍ଚାୟତବାସୀଙ୍କ ପାଇଁ ଏବେ ଏକମାତ୍ର ସାହା ଭରସା ଗୋଟିଏ ଆମ୍ବୁଲାନ୍ସ । ତା ମଧ୍ୟ ୩୪ଟି ପଞ୍ଚାୟତ ବାସୀଙ୍କ ନିମନ୍ତେ ପ୍ରଯୁଜ୍ୟ ନୁହେ । ୨ଟି ରୋଗୀ ବୁହା ଆମ୍ବୁଲାନ୍ସ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନାମରେ ପଞ୍ଜିକୃତ ରହିଛି । ଗୋଟିଏ ପଟାଙ୍ଗି ବିଧାୟକ ପାଣ୍ଠି ଓ ଅନ୍ୟଟି ରୋଗୀ କଲ୍ୟାଣ ସମିତି ଦ୍ୱାରା କିଣା ଯାଇଛି । ଏହି ୨ଟି ଆମ୍ବୁଲାନ୍ସର ଫିଟନେସି ଓ ବୀମା ରାଶି ମଧ୍ୟ ଶେଷ ହୋଇଯାଇଛି ।

ଆମ୍ବୁଲାନ୍ସ ଡ୍ରାଇଭର ଅବସର ନେବା ପରେ ଆମ୍ବୁଲାନ୍ସ ୨ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ପଡି ରହିଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହେଉନ ଥିଲା ଲୋକେ ଅଭିଯୋଗ କରିଛନ୍ତି ।

୨ଟି ଆମ୍ବୁଲାନ୍ସ ସମସ୍ୟା ସମ୍ପର୍କରେ ବିଧାୟକ ସ୍ୱାସ୍ଥ୍ୟ ପ୍ରତିନିଧି ଓ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପଚାରିବାରୁ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି । କୌଣସି ରୋଗୀ ଏବେ ସୁଦ୍ଧା ଅସୁବିଧା ଭୋଗିନାହାନ୍ତି । ଡ୍ରାଇଭର ଅବସର ନେବା ପରେ ଆମ୍ବୁଲାନ୍ସ ଖାଲି ପଡ଼ିଛି । ତେବେ ଜିଲା ସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି ।

ଜଗତ ଜୀବନ, ଲମତାପୁଟ