ଟ୍ୟୁସନ୍‌ ସାରଙ୍କ କଳା କାରନାମା ! ଦୁଇ ଛାତ୍ରୀଙ୍କୁ ଫୁସୁଲାଇ ଫେରାର ମାରିଲେ

ପାଠ ପଢ଼ାଇବାକୁ ଆସୁଥିଲେ । ଆଉ ଏବେ ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ଫେରାର୍‌ ମାରିଛନ୍ତି ଟ୍ୟୁସନ୍ ସାର୍ ।

ଛାତ୍ରୀଙ୍କୁ ଧରି ଛୁ ମାରିଲେ ଟ୍ୟୁସନ୍ ସାର୍

News Summary

ସାର୍ ଟ୍ୟୁସନ୍‌ ପାଇଁ ଅଧିକ ସମୟ ଦେଉଥିବାରୁ ଆପତ୍ତି ଉଠାଇଥିଲେ ଅଭିଭାବକ

ଟ୍ୟୁସନ୍‌ ସାରଙ୍କ ଏଭଳି ବ୍ୟବହାରକୁ ପସନ୍ଦ କରୁନଥିଲେ ଅଭିଭାବକ

ଆପତ୍ତି ଉଠାଇବା ପରେ ଅଭିଭାବକଙ୍କୁ ଧମକାଇ ଥିଲେ ଟ୍ୟୁସନ୍ ସାର୍

ଭୁବନେଶ୍ୱର : ଗୁରୁ-ଶିକ୍ଷକ ସମ୍ପର୍କରେ କଳଙ୍କ । ଟ୍ୟୁସନ୍ ଟିଚରଙ୍କ ନାଁରେ ସାଘାଂତିକ ଅଭିଯୋଗ । ଦୁଇ ନାବାଳିକା ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ଚାଞ୍ଚଲ୍ୟକର ଅଭିଯୋଗ ଆସିଛି । ରାଜଧାନୀ ଭୁବନେଶ୍ୱରରେ ଏପରି ଘଟଣା ଘଟିଛି । ବଡ଼ଗଡ଼ ଥାନାରେ ଏନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଜି ଥାନାକୁ ଅଭିଭାବକ ଓ ବହୁ ମହିଳା ଆସି ଅଭିଯୋଗ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୋପାଳକୃଷ୍ଣ ବାଡ଼ତିୟା ନାମକ ଜଣେ ବ୍ୟକ୍ତି ନାବାଳିକା ଦୁଇ ଛାତ୍ରୀଙ୍କ ଘରକୁ ଟ୍ୟୁସନ୍ କରିବାକୁ ଯାଉଥିଲେ । ହେଲେ ଅଧିକ ସମୟ ଟ୍ୟୁସନରେ ଦେଉଥିବାରୁ ଅଭିଭାବକଙ୍କ ସନ୍ଦେହ ବଢ଼ିଥିଲା । ନିଜ ଘରେ ନରହି ହୋମ୍ ଟ୍ୟୁସନରେ କାହିଁକି ଏତେ ସମୟ ରହୁଛନ୍ତି କହି ଅଭିଭାବକ ଆପତ୍ତି ଉଠାଇଥିଲେ । ଏହାକୁ ନେଇ ଟ୍ୟୁସନ୍ ସାର୍ ନିଜ ଭୁଲ ହୃଦୟଙ୍ଗମ କ’ଣ କରିବେ ଓଲଟି ରାଗି ଯାଇ ଧମକ ବି ଦେଇଥିଲେ ।

ହେଲେ ଗତ ରବିବାର ଦିନ ଏସବୁର ସୀମା ଟପିଥିଲା । ଅଭିଭାବକଙ୍କ କିଛି ସମୟର ଅନୁପସ୍ଥିତର ସୁଯୋଗ ନେଇ ଦୁଇ ଝିଅଙ୍କୁ ଧରି ଚମ୍ପଟ୍ ମାରିଛନ୍ତି ଟ୍ୟୁସନ ସାର ବୋଲି ଥାନାରେ ଏତଲା ହୋଇଛି । ଦୁଇ ଜଣ ଛାତ୍ରୀଙ୍କ ଏକ ହାତ ଲେଖା ମଧ୍ୟ ସେମାନଙ୍କ ରୁମରୁ ମିଳିଛି । ଯେଉଁଥିରେ ସେମାନେ ୮ ଦିନ ପରେ ଫେରିବେ ବୋଲି ଉଲ୍ଲେଖ ରହିଛି ।