ମିଳୁନି ପାଣି...ସକାଳ ହେଲେ ସ୍ତ୍ରୀଲୋକଙ୍କ ଭିତରେ ପିଟାପିଟି

ପାଣି ପାଇଁ ଦହଗଞ୍ଜ । ସକାଳ ହେଲା କ୍ଷଣି ଟିୱେଲ ପାଖରେ ଲମ୍ବା ଲାଇନ୍‌...ସ୍ଥିତି ଏମିତି ହେଲାଣି ଯେ ପାଣି ମୁନ୍ଦାଏ ପାଇଁ ପିଟାପିଟି ହେଉଛନ୍ତି ଗାଁ ଲୋକେ

Acute water crisis In Lamtaput villagers

ସକାଳ ହେବା ମାତ୍ରେ ନଳକୂଅ ପାଖରେ ଲମ୍ବା ଗହଳି ଲାଗିଛି । ଯିଏ ଯେତେ ଶୀଘ୍ର ଆସିବ ସିଏ ସେତେଶୀଘ୍ର ପାଣି ନେଇକି ଯିବ । ତେଣୁ ସଅଳ ପାଣି ନେବାକୁ ଅନ୍ଧାରିଆରୁ ଆସି ନଳକୂଅ ପାଖରେ ହାଜର ହେଉଛନ୍ତି ଲୋକେ । ଟିକେ ଡେରି ହେଲେ ପାଣି ନମିଳିବାରର ସମ୍ଭାବନା ରହିଛି । ସେଇଥି ପାଇଁ ତ ସଅଳ ଯାଇ ନଳକୂଅ ସାମ୍ନାରେ ଲାଇନ୍‌ ଲଗାଉଛନ୍ତି ଲୋକେ ।

ନିଇତି ସକାଳ ହେଲେ ଗାଁର ମହିଳାମାନେ ଗରାହାଣ୍ଡି ଧରି ଗାଁଠୁ କିଛି ଦୂରରେ ରହିଥିବା ଥିବା ଗୋଟିଏ ମାତ୍ର ନଳକୂପ ପାଖରେ ଭିଡ ଲଗାନ୍ତି । ସ୍ଥିତି ଏମିତି ହେଲାଣି ଯେ ପାଣି ଲାଗି ଝଗଡ଼ା ଲାଗୁଛନ୍ତି ଗାଁର ମହିଳାମାନେ । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଲମତାପୁଟ ବ୍ଲକ ପଇବେଡା ଗାଁରେ । ଗାଁରେ ୨୫ରୁ ୩୦ପରିବାର ରହୁଛନ୍ତି । ହେଲେ ଅଛି ମାତ୍ର ଗୋଟିଏ ନଳକୂଅ । ପାଣି ସମସ୍ୟାକୁ ନେଇ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିଛନ୍ତି ଲୋକେ । ହେଲେ ଏଯାଏଁ ସମସ୍ୟାର ହେଲାନି ସମାଧାନ ।

ଜାଣିଆଶ୍ଚର୍ଯ୍ୟ ହେବେ, ପାଇବେଡା ଗାଁରେ ପାନୀୟ ଜଳର ସମସ୍ୟା ଦୂର କରିବା ଲାଗି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୩ବର୍ଷ ହେଲା ପ୍ରକଳ୍ପ ତିଆରି କାମ ଚାଲିଛି । ଗାଁଠୁ କିଛି ଦୂରରେ ପାଣି ଟାଙ୍କି ତିଆରି ହୋଇଥିଲେ ସୁଦ୍ଧା ଗାଁ ଲୋକଙ୍କ ପାଇଁ ଏହା ଏକ ଆଇନା ସଦୃଶ୍ୟ ରହିଛି । ଆଉ ବିଭିନ୍ନ ବାହାନା କରି କାମକୁ ଅଧାପନ୍ତରିଆ କରି ରଖିଛନ୍ତି ଠିକାଦାର ।

ପାନୀୟ ଜଳର ସମସ୍ୟା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ, ପ୍ରକଳ୍ପ ଯନ୍ତ୍ରୀ, ବିଦ୍ୟୁତ ବିଭାଗ, ବିଡ଼ିଓଙ୍କଠୁ ନେଇ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଅଭିଯୋଗ କରିଛନ୍ତି ଗାଁ ଲୋକେ । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ସେପଟେ କିନ୍ତୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ କହୁଛନ୍ତି, ଗାଁ ଲୋକଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହିଛି । ପ୍ରକଳ୍ପ କାମ ସରିଛି, ଖୁବଶୀଘ୍ର ମିଳିବ ପାଣି । ଲୋକଙ୍କୁ ପାଣି ଦେବାକୁ ବସୁଧା ପରି ଯୋଜନା କରିଛନ୍ତି ସରକାର । ହେଲେ ପ୍ରକୃତ ହିତାଧିକାରୀଙ୍କ ପାଖରେ ଯୋଜନାର ସଫଳ ରୂପାୟନ କେତେ ମାତ୍ରାରେ ହେଉଛି ତାହା ଏଇ ଚିତ୍ରରୁ ହିଁ ସ୍ପଷ୍ଟ ।

(ଲମତାପୁଟରୁ ଜଗତଜୀବନ କାଚିମଙ୍କ ରିପୋର୍ଟ)