Advertisment

ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଚଳୁ କରୁଥିଲା, ଏବେ ବନ୍ଧାହେଲା

ଓଡ଼ିଶାରେ ଲମ୍ବିଛି ଜବ୍ ଫ୍ରଡର ମାୟାଜାଲ। ନକଲି ୱେବସାଇଟ୍ କରି ହଜାର ହଜାର ଚାକିରି ଆଶାୟୀଙ୍କୁ କୋଟି କୋଟି ଟଙ୍କାର ଚୁନା ଲଗାଉଛନ୍ତି ଠକ। କେବେ ସରକାରୀ ଢାଞ୍ଚାରେ ଅନଲାଇନରେ ବିଜ୍ଞାପନ ଦେଇ ତ କେବେ ଓଡ଼ିଆ ଖବର କାଗଜରେ ନିଯୁକ୍ତି ସୂଚନା ଦେଇ ଲୁଟିଛନ୍ତି ଯୁବକ ଯୁବତୀଙ୍କୁ।

ଅଦ୍ୟତନ ହୋଇଛି
A robber arrested who loot crores of rupees in the name of job

A robber arrested who loot crores of rupees in the name of job

Advertisment

ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଚଳୁ କରି ଲକ୍ଷ ଲକ୍ଷ ଆଶାୟୀଙ୍କ ଭବିଷ୍ୟତ ସହ ଖେଳିଥିବା ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ଦିଲ୍ଲୀରୁ ଅପରେଟ ହେଉଥିବା ଏହି ଠକେଇ ନେଟ୍‌ୱାର୍କର ଜଣେ ମାଷ୍ଟର ମାଇଣ୍ଡକୁ ବିହାରରୁ ଇଓଡବ୍ଲୁ ଗିରଫ କରିଛି।

Advertisment

ଏହି ଗ୍ୟାଙ୍ଗ ଓଡ଼ିଶା ସହ ୧୮ଟି ରାଜ୍ୟରେ ଅତି ଚତୁରତାର ସହ ରାକେଟ୍‌ ଜାରି ରଖିଥିଲା। ଯାହାର ଶିକାର ହୋଇଛନ୍ତି ଦେଢ଼ ଲକ୍ଷରୁ ଅଧିକ ଯୁବକ ଯୁବତୀ। ଆଦାୟ ଟଙ୍କାରେ ସିନେମା ବି ତିଆରି ହୋଇଛି। ତେବେ କେମିତି ଚାଲୁଥିଲା ଏହି କଳାଧନ୍ଧାର ଖେଳ, ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ଆପଣ।

ନକଲି ୱେବସାଇଟ୍ କରି ହଜାର ହଜାର ଚାକିରୀ ଆଶାୟୀଙ୍କୁ କୋଟି କୋଟି ଟଙ୍କାର ଚୁନା ଲଗାଇଥିବା ଠକ ଜଣକ ହେଲେ ଧରମପାଲ୍ ସିଂହ। ନାଁ ସିନା ଧରମ ହେଲେ କାମ କରୁଥିଲା ଅଧର୍ମର। ଫିଜିକ୍ସରେ ବିଏସ୍‌ସି କରିଛି ଧରମପାଲ୍। ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ସଂସ୍ଥା କରି ୧୮ଟି ରାଜ୍ୟରେ ଚାକିରି ଆଶାୟୀଙ୍କୁ ଲୁଟିଛି କୋଟି କୋଟି ଟଙ୍କା।

Advertisment

ତା’ ଠକାମିର ଶିକାର ହୋଇଛନ୍ତି ଦେଢ଼ ଲକ୍ଷ ଯୁବକ ଯୁବତୀ। ତା’ମଧ୍ୟରେ ରହିଛନ୍ତି ଓଡ଼ିଶାର ହଜାର ହଜାର ଚାକିରି ଆଶାୟୀ। ଠକ ଏବେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାର କବ୍ଜାରେ। ଚାକିରି ନାଁରେ ଚଳୁ କରିଥିବା ଏହି ମାଷ୍ଟରମାଇଣ୍ଡକୁ ବିହାରର ହାତୁଆରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତାକୁ ୫ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି।

ଚିଟ୍‌ଫଣ୍ଡ୍‌ ଠକେଇ ଭଳି ଲୁଟ୍ ଟଙ୍କାରେ ତିଆରି ହେଉଥିଲା ହିନ୍ଦି ମୁଭି। ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ଧରମପାଲ ସିଂହ ଏକ ୱେବ୍‌ସାଇଟ୍‌ କରି ଦେଉଥିଲା ନିଯୁକ୍ତି ସୂଚନା। ଧରମପାଲ ହେଉଛି, ସଂସ୍ଥାର ସେକ୍ରେଟାରୀ। ଯାହାର ଅଫିସ ରହିଛି ଦିଲ୍ଲୀ, ମୁମ୍ବାଇ, ଭୋପାଳ ଓ ଡେରାଡୁନରେ।

Advertisment

୧୮ଟି ରାଜ୍ୟର ଜିଲ୍ଲାଗୁଡ଼ିକରେ ବ୍ଲକ୍‌ କୋର୍ଡିନେଟର୍‌, କମ୍ପୁଟର ଅପରେଟର୍‌, ବ୍ଲକ ସର୍ଭେୟର୍ ଆଦି ପଦବୀ ପାଇଁ ଅନ୍‌ଲାଇନ୍‌ ଏବଂ ପ୍ରତିଷ୍ଠିତ ଖବରକାଗଜରେ ଦିଆଯାଉଥିଲା ବିଜ୍ଞାପନ। ଚାକିରି ଆଶାୟୀ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ସରକାରୀ ଢାଞ୍ଚାରେ ସଂରକ୍ଷଣ ସୁବିଧା ସହ ଫି’ ରିହାତିର ବ୍ୟବସ୍ଥା ବି କରାଯାଉଥିଲା।

ରୋଚକ କଥା ହେଉଛି, ଚାକିରି ନାଁରେ ହେଉଥିବା ଠକାମୀ ପ୍ରତି ସତର୍କ ରହିବାକୁ ବି ସଂସ୍ଥା ପକ୍ଷରୁ ସତର୍କ କରାଇ ଦିଆଯାଉଥିଲା। ସେସବୁ ବିଶ୍ୱାସ କରି ଅନ୍‌ଲାଇନ୍‌ ପରୀକ୍ଷା ଦେଉଥିବା ଚାକିରି ଆଶାୟୀଙ୍କୁ ଜାଣିଶୁଣି ଫେଲ୍ କରିଦିଆଯାଉଥିଲା। ଏଭଳି ଭାବେ ପିଲା ପିଛା ୩ ହଜାରରୁ ୫୦ ହଜାର ଟଙ୍କା ଯାଏଁ ଚୁନା ଲଗାଇଛି ଏହି ସଂସ୍ଥା।

ଚାକିରି ନାଁରେ ଏଭଳି ଠକେଇ ଏହା ନୂଆ ନୁହେଁ। ଗତ କିଛି ଦିନ ଭିତରେ ଲଗାତାର ଏଭଳି ମାମଲା ସାମ୍ନାକୁ ଆସିଛି। ୩୧ ଡିସେମ୍ବର, ୨୦୨୨ରେ ୟୁପି ଆଲିଗଡ଼ରୁ ଗିରଫ ହୋଇଥିବା ଜାଫର ଅହମ୍ମଦ ୯ଟି ରାଜ୍ୟରେ ୫୦ ହଜାର ଆଶାୟୀଙ୍କୁ କୋଟି କୋଟି ଟଙ୍କାର ଠକେଇ କରିଥିଲା। ୧୫ ଜାନୁୟାରୀ, ୨୦୨୩ରେ ମଧ୍ୟପ୍ରଦେଶରୁ ଗିରଫ ଅର୍ପିତ ପଞ୍ଚଲ ଓଡ଼ିଶାର ୨୨ ହଜାର ଚାକିରି ଆଶାୟୀଙ୍କୁ ଚୁନା ଲଗାଇ ବନ୍ଧା ହୋଇଥିଲା।

ସେହିପରି ସରକାରୀ ଚାକିରି ଦେବା ନାଁରେ ଠକେଇ କରିଥିବା ରଞ୍ଜନ ନାୟକକୁ ଗତକାଲି ଗିରଫ କରିଥିଲା କମିଶନରେଟ୍‌ ପୋଲିସ। ଯିଏ କେବେ ନିଜକୁ ଡାକ୍ତର, ଇଞ୍ଜିନିୟର, ପୋଲିସ ଦର୍ଶାଇ ଚାକିରି ଦେବା ନାଁରେ ଚୁନା ଲଗାଉଥିଲା। ଆଉ ସେହି ଟଙ୍କାରେ ତିଆରି କରିଥିଲା ଯାତ୍ରା ପାର୍ଟି।

(ଭୁବନେଶ୍ୱରରୁ ଆଲୋକ ମହାନ୍ତିଙ୍କ ରିପୋର୍ଟ)

Job Fraud Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ