ଛଳ ଛଳ ଆଖିରେ ଶଯ୍ୟାଶାୟୀ ପୁଅର ସେବା କରୁଛନ୍ତି, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗାଦବାଗୁଡ଼ାର ୭୦ ବର୍ଷୀୟା ସୁଲୋଚନା ଖୁରା। ବୁଢ଼ୀ ବୟସରେ ପୁଅ ସାହାରା ସାଜିବ କଣ, ଓଲଟି ନିଜେ ସାହାରା ଖୋଜୁଛି। ଖିଆପିଆଠୁ ନିତ୍ୟକର୍ମ ଯାଏଁ- ସବୁ କାମ ପାଇଁ ସୁଲୋଚନାଙ୍କ ସ୍ୱାମୀ କେବେଠୁ ଆରପାରିରେ। ମାଆ-ପୁଅ ଗରିବୀ ସହ ଜୁଝୁଥିବା ବେଳେ, ବେଡ଼ି ଉପରେ ବିଧାତାର ଏ କୋରଡ଼ା ମାଡ଼। ନୟନ ଯେଉଁ ଗୋଡ଼ରେ ସିଲେଇ ମେସିନ୍ରେ ପେଡାଲ୍ ମାରି ପେଟ ପୋଷୁଥିଲେ, ସେଇ ଗୋଡ଼ ୩ ବର୍ଷ ତଳେ ଏକ ଦୁର୍ଘଟଣାରେ ଭାଙ୍ଗିଗଲା। ମାଆ ସୁଲୋଚନା ଅନ୍ୟ ଉପାୟ ନପାଇ ରାସନକାର୍ଡ ବନ୍ଧା ପକାଇ ୮ ହଜାର ଟଙ୍କା ଆଣିଲେ ଓ କୋରାପୁଟରେ ପୁଅର ଚିକିତ୍ସା କରାଇଲେ।
ହେଲେ କିଛି ଦିନ ପରେ ଗୋଡ଼ ଭୟଙ୍କର ଭାବେ ଫୁଲିଯିବାରୁ, ଏଥର ଭତ୍ତାକାର୍ଡ ବନ୍ଧା ପଡ଼ିଲା। ୬ ହଜାର ଟଙ୍କା ଆଣି ପୁଣି କୋରାପୁଟ ଦୌଡ଼ିଲେ। ସେଠି ଡାକ୍ତର କହିଲେ ବ୍ରହ୍ମପୁର ଯାଅ, ହେଲେ ଅଣ୍ଟିରେ କାଣିକଉଡ଼ିଟିଏ ବି ନଥିବାରୁ କାନ୍ଦ କାନ୍ଦ ହୋଇ ଘରକୁ ଫେରିଆସିଲେ ମାଆ-ପୁଅ। ସେବେଠୁ ଘରେ ପଡ଼ିରହିଛନ୍ତି ନୟନ, ଭାଗ୍ୟକୁ ନିନ୍ଦୁଛନ୍ତି ସୁଲୋଚନା। ସାହିପଡ଼ିଶା ଖାଇବାକୁ ଦେଲେ ଖାଉଛନ୍ତି, ନହେଲେ ଖାଲିପେଟ।
ସୁବିଧା ଅସୁବିଧାରେ ବନ୍ଧକ ରଖି ଋଣ ନେବା କିଛି ନୂଆ କଥା ନୁହେଁ। କିଏ ସୁନାଗହଣା ବନ୍ଧା ପକାଉଛି, ତ ଆଉ କିଏ ଜମିବାଡ଼ି ହେଲେ ଏ ବିଧବାଙ୍କ ପାଖରେ ସେସବୁ କାହିଁ? ସମ୍ବଳ କହିଲେ ତ ଏଇ ଗୋଟିଏ। ତେଣୁ ପେଟ କଥା ଭୁଲି, ପୁଅକୁ ଭଲ କରିବା ପାଇଁ ସ୍ଥାନୀୟ ଭୁବନ ସାହୁଙ୍କ ନିକଟରେ କାର୍ଡ ଦୁଇଟି ବନ୍ଧା ପକାଇ ଦେଇଛନ୍ତି ସୁଲୋଚନା।
୩ ବର୍ଷ ହେଲା ରାସନ୍ ଚାଉଳ ଗୋଟିଏ ମାସ ସୁଲୋଚନା ନେଲେ, ଆଉ କିଛି ମାସ ଭୁବନ ନିଅନ୍ତି। ଭତ୍ତା ଟଙ୍କା ବି ପ୍ରତିମାସ ଅଧା ଅଧା ହେଉଛି। ଏସବୁ କଥା ଭୁବନ ସ୍ବୀକାର କରିଥିବା ବେଳେ, କାର୍ଡକୁ ସେ ବନ୍ଧା ରଖିନାହାନ୍ତି, ବରଂ ସୁଲୋଚନା ନିଜେ ଯାଚି ଦେଇଛନ୍ତି ବୋଲି ଦାବି କରିଛନ୍ତି। ତେଣେ ଆମଠୁ ସୁଲୋଚନାଙ୍କ ଦୁଃଖର କଥା ଶୁଣି ତେନ୍ତୁଳିଖୁଣ୍ଟି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ଯେ ନୟନଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ।
ରିପୋର୍ଟ: ନବଘନ ବିଷୋୟ