ସ୍କୁଲ୍‌ରୁ ଡାକି ନେଇଥିଲା ଯମ, ମିଳିଲା ୪ ଛାତ୍ରଙ୍କ ମୃତଦେହ

କାଳ ହେଲା ମହାନଦୀରେ ଗାଧୋଇବା। ଘରୁ ସାଇକେଲ୍‌ରେ ସ୍କୁଲ୍‌ ବାହାରି ଯାଇଥିଲେ ୪ ଛାତ୍ର। ହେଲେ ଆଉ ଘରକୁ ଫେରିନଥିଲେ। ଶେଷରେ ମହାନଦୀରୁ ମିଳିଲା ମୃତଦେହ।

ମହାନଦୀରୁ ମିଳିଲା ୪ ଛାତ୍ରଙ୍କ ମୃତଦେହ

କଟକ: କାଳ ହେଲା ମହାନଦୀରେ ଗାଧୋଇବା। ଗତକାଲି କଟକ ମହାନଦୀରେ ବୁଡ଼ି ୪ ସ୍କୁଲ୍‌ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ୪ ଛାତ୍ରୀ ହେଲେ- ଶୁଭମ୍ ସେଠୀ, ଚନ୍ଦନ ବେହେରା, ଆକାଶ ବାହାଳିଆ ଓ କ୍ଷେତ୍ରବାସୀ ବେହେରା। ସମସ୍ତ ୪ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। 

ଗତକାଲି କଟକ ମହାନଦୀ ଭଦିମୂଳ ଘାଟରେ ଗାଧୋଇବା ବେଳେ ୪ ଜଣ ଯାକ ଭାସି ଯାଇଥିଲେ। ତେବେ ବହୁ ଖୋଜାଖୋଜି ପରେ ଗତ ରାତିରେ କ୍ଷେତ୍ରବାସୀଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ୩ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। 

 

ସମସ୍ତ ଛାତ୍ରଙ୍କ ଘର କଟକ ନୂଆବଜାର ପୋତା ପୋଖରୀ ଅଞ୍ଚଳରେ ହୋଇଥିବା ବେଳେ ସମସ୍ତେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ସେମାନଙ୍କ ବୟସ ୧୩ରୁ ୧୪ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ୪ ଛାତ୍ର ସାଇକେଲ୍‌ରେ ସ୍କୁଲ୍ ଯାଇଥିଲେ। ହେଲେ ଘରକୁ ଆଉ ଫେରି ନଥିଲେ। ଗତକାଲି ଖୋଜାଖୋଜି କରାଯାଇଥିଲା। ମହାନଦୀ ଭଦିମୂଳ ଘାଟ ପାଖରେ ସେମାନଙ୍କ ସାଇକେଲ୍,ଚପଲ ଓ ଡ୍ରେସ୍‌ ରଖାଯାଇଥିବା ଦେଖିବାକୁ ମିଳିଥିଲା।